ଅସହାୟ ମନମୋହନ; ବଲାଙ୍ଗୀରରେ ରାଲି ବେଳେ ସାମ୍ନାରେ ହାତାହାତି ହେଲେ ନେତା

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବଲାଙ୍ଗୀରରେ ବାଜା,ବାଣ ସହ ରୋଷଣୀ କରି ରାଲି କରୁଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ | ସାଙ୍ଗରେ ଥିଲେ ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓ | ହେଲେ ହଠାତ ଜିନ୍ଦାବାଦ ସ୍ଲୋଗାନ ଭିତରେ ହାତାହାତି ହୋଇଥିଲେ ଦୁଇ ଗୋଷ୍ଠୀ |

ସୋମବାର ବଲାଙ୍ଗୀରରେ ବିଜେପିର ଏକ ରାଲି ସମୟରେ ମନମୋହନ ସାମଲଙ୍କୁ ପୁଷ୍ପମାଲ୍ୟ ଦେଇ ସ୍ୱାଗତ କରିବାକୁ ଚେଷ୍ଟା କରିଥିଲେ ୨୦୧୯ରେ ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ହୋଇଥିବା ଅନନ୍ତ ଦାସ। ହେଲେ ସେ ଜିପ୍‌କୁ ଚଢ଼ୁଥିବା ବେଳେ ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ ତାଙ୍କୁ ବାରଣ କରିଥିଲେ। ବାରଣ କରାଯିବା ସତ୍ତ୍ୱେ ଅନନ୍ତ ମନମୋହନ ସବାର ଥିବା ଜିପ୍‌ରେ ଚଢ଼ି ତାଙ୍କୁ ପୁଷ୍ପଗୁଚ୍ଛ ଦେବାକୁ ପ୍ରୟାସ କରିଥିଲେ। ଆଉ ଏହି ଠେଲା ପେଲା ଭିତରେ ଜିପରୁ ପଡି ଯାଇଥିଲେ ଗୋପାଳଜୀ ପାଣିଗ୍ରାହୀ |

ଆଉ ଏହାପରେ ଦୁହିଁଙ୍କ ଗୋଷ୍ଠୀ ମଧ୍ୟରେ ଟଣାଓଟରା ଓ ହାତାହାତି ହୋଇଥିଲା। ଏପରିକି ଗୋପାଳଜୀଙ୍କ ସମର୍ଥକମାନେ ଅନନ୍ତ ଦାସଙ୍କୁ ମାଡ଼ମାରିବା ସହ ତାଙ୍କ ଶାର୍ଟ ଚିରି ଦେଇଥିଲେ | ହେଲେ ସବୁଠାରୁ ରୋଚକ କଥା ହେଲା ରାଜ୍ୟ ସଭାପତିଙ୍କ ସାମ୍ନାରେ ଦୁଇ ନେତା ଏଭଳି ହାତାହାତି ହୋଇଥିବା ବେଳେ ମନମୋହନ କିନ୍ତୁ ଜିପ ସାଇଡ କରି ଚାଲିଯାଇଥିଲେ | କୁହାଯାଉଛି ପରିସ୍ଥିତି ଏଭଳି ଥିଲା ଯେ, ଟିକେ ଭାଗ ମାପ ଅଲଗା ହୋଇଥିଲେ ମନମୋହନଙ୍କୁ ବି କର୍ମୀ ଛାଡି ନଥାନ୍ତେ |

ଏହି ଘଟଣା ପରେ ବଲାଙ୍ଗୀରରେ ବିଜେପିର ଗୋଷ୍ଠୀ କନ୍ଦଳ ସାମ୍ନାକୁ ଆସିଥିବା ବେଳେ ରାଜ୍ୟ ସଭାପତିଙ୍କ ସାମ୍ନାରେ ଏଭଳି ଦୁଇ ନେତା ହାତାହାତି ହେବା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି |

Related Posts