ସତ୍ୟପାଠ ବ୍ୟୁରୋ : ନବୀନ ବାବୁଙ୍କ ପ୍ରଶାସନର ଦେଖିବା ଦାନ୍ତ ହେଲା ୫-ଟି, ଖାଇବା ଦାନ୍ତ ହେଲା ଦରବାରୀ କଲ୍ଚର ବା ପ୍ରିୟାପ୍ରୀତି ତୋଷଣ । ଏହାର ସଦ୍ୟତମ ଉଦାହରଣ ହେଉଛି ଓଡିଶା ପାୱାର ଟ୍ର୍ରାନ୍ସମିଶନ କର୍ପୋରେସନ ଲିମିଟେଡ ବା ଓପିଟିସିଏଲ । ଏହି ନିଗମରେ ବଡବଡିଆ ବିଭିନ୍ନ ନିର୍ଦ୍ଦେଶକ ପଦବୀରେ ନିଯୁକ୍ତି ଓ କାର୍ଯ୍ୟକାଳ ବୃଦ୍ଧି ମେରୀରାୟ ନୀତିରେ ଚାଲିଛି । ଏ ଅଭିଯୋଗକୁ ନେଇ ମାମଲା ଏବେ ହାଇକୋର୍ଟରେ । ଏ ଅଭିଯୋଗକୁ ନେଇ ଏବେ ଓପିଟିସିଏଲର ସିଏମଡି ତଥା ଶକ୍ତି ବିଭାଗର ସଚିବ ହେମନ୍ତ ଶର୍ମା ଓ ଓପିଟିସିଏଲର ମାନବସମ୍ବଳ ନିର୍ଦ୍ଦେଶକ ରାଜେନ୍ଦ୍ର କୁମାର ସେନାପତି ସନ୍ଦେହଘେରରେ । ୨୦୧୬ ଅଗଷ୍ଟରେ ରାଜେନ୍ଦ୍ର ସେନାପତିଙ୍କ ନିଯୁକ୍ତି ଓ ଚାକିରୀ ଅବଧି ସରିବା ପୂର୍ବରୁ କାର୍ଯ୍ୟକାଳ ବୃଦ୍ଧି କରାଯିବାକୁ କିଭଳି ମସୁଧା କରାଯାଉଥିଲା ତାହା ଧରାପଡିଛି । ଏକଥା ଅତି ଚୁପ ଚାପ ଚାଲିଥିଲା । କିନ୍ତୁ ଏକଥା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଏ ସମ୍ପର୍କିତ ଏକ ଜନସ୍ୱାର୍ଥ ମାମଲା କିଛିଦିନ ତଳେ ମାନ୍ୟବର ହାଇକୋର୍ଟରେ ଦାୟର ହୋଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲାଏ ଅଭିଯୋଗ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଜାଣି ମଧ୍ୟ ଚୁପ ରହିଲେ । ଏବେ ଏକଥା ଜାଣିବା ପରେ ରାଜ୍ୟପାଳ ରାଜ୍ୟ ସରକାରଙ୍କ ଠାରୁ ରିପୋର୍ଟ ମାଗିଛନ୍ତି । ରାଜେନ୍ଦ୍ର ସେନାପତିଙ୍କୁ ଅନୁକମ୍ପା ଦେଖାଇବାକୁ ଯାଇ ମାନବସମ୍ବଳ ନିର୍ଦ୍ଦେଶକ ଭଳି ଅତି ଗୁରୁତ୍ୱପୂର୍ଣ୍ଣ ଆଉ ବରିଷ୍ଠ ପଦବୀର ନିଯୁକ୍ତି ପ୍ରକ୍ରିୟାରେ କିଭଳି ହେରଫେର କରାଯାଇଛି, ନିଗମର ନିର୍ଦ୍ଦେଶାବଳୀକୁ ମଧ୍ୟ ପରିବର୍ତ୍ତନ କରାଯାଇଛି, ତାହାର ଲେଖାଯୋଖା ପ୍ରମାଣ ଲାଗିଛି ସତ୍ୟପାଠ ପାଖରେ । ଆଶ୍ଚର୍ଯ୍ୟର କଥା, ୨୦୧୬ ଅଗଷ୍ଟରେ ସେନାପତିଙ୍କୁ ନିଯୁକ୍ତି ଠାରୁ ଏଯାଏଁ ନିଗମର ମୁଖ୍ୟ ପଦବୀରେ ଅଛନ୍ତି ହେମନ୍ତ ଶର୍ମା । ଆଉ ଶର୍ମାଙ୍କର ନିରବତା ଏବେ ସନ୍ଦେହ ଘେରରେ ।
କାହିଁକି ସନ୍ଦେହରେ ସେନାପତିଙ୍କ ନିଯୁକ୍ତି :
ଓପିଟିସିଏଲର ମାନବସମ୍ବଳ ନିର୍ଦ୍ଦେଶକ ଭାବରେ ୮ଅଗଷ୍ଟ ୨୦୧୬ରେ ରାଜେନ୍ଦ୍ର ସେନାପତି ନାମକ ଜଣେ ଅଧିକାରୀ ଭାବେ ନିଯୁକ୍ତି ଦିଆଗଲା । ଏ ବ୍ୟକ୍ତି ଏଠାରେ ଯୋଗଦେବା ପୂର୍ବରୁ ନିଳାଚଳ ଇସ୍ପାତ ନିଗମ ଲିମିଟେଡ ର ଏଚଆର ଜେନେରାଲ ମ୍ୟାନେଜର ଭାବରେ କାର୍ଯ୍ୟ କରୁଥିଲେ । ଗୁରୁତ୍ୱୂପୁର୍ଣ୍ଣ କଥା ହେଲା ଏ ବ୍ୟକ୍ତିଙ୍କ ନିଯୁକ୍ତି ଆଉ ତାଙ୍କର ଯୋଗ୍ୟତାକୁ ନେଇ କିଛି ଚାଂଚଲ୍ୟକର ତଥ୍ୟ ଏବେ ସାମ୍ନାକୁ ଆସିଛି । ଆଉ ଏହାକୁ ତଥ୍ୟ ପ୍ରମାଣ ଭାବରେ ଜନସ୍ୱାର୍ଥ ମାମଲା ଯାଚିକାରେ ମଧ୍ୟ ମାନ୍ୟବାର ହାଇକୋର୍ଟଙ୍କୁ ବି ଦିଆଯାଇଛି । ମାନ୍ୟବର ହାଇକୋର୍ଟ ଏହାକୁ ଦେଖି ରାଜ୍ୟ ସରକାରଙ୍କୁ ନୋଟିସ ଦେଇଛନ୍ତି । ୮ଅଗଷ୍ଟ ୨୦୧୬ରେ ଓପିଟିସିଏଲରେ ତିନିବର୍ଷ ପାଇଁ ରାଜେନ୍ଦ୍ର ସେନାପତିଙ୍କୁ ନିଯୁକ୍ତି ଦିଆଗଲା । ଅର୍ଥାତ ତାଙ୍କର ଶେଷ କାର୍ଯ୍ୟକାଳ ହେଉଛି ୭ଅଗଷ୍ଟ ୨୦୧୯ । ଜନସ୍ୱାର୍ଥ ମାମଲା ଯାଚିକାରେ ଅଭିଯୋଗ ଅଛି ଯେ, ଏଚଆର ନିର୍ଦ୍ଦେଶକ ନିଯୁକ୍ତିଙ୍କୁ ନେଇ ଯାହା ଯାହା କ୍ରାଇଟେରିଆ ରହିବା କଥା, ଏ ବ୍ୟକ୍ତିଙ୍କର ଆବଶ୍ୟକ ଅନୁଯାୟୀ ସେହି ଦକ୍ଷତା ନାହିଁ । ତା ସହ ଏ ବାବୁଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ବି ପ୍ରଶ୍ନ ଉଠିଛି । ଆଉ ସରକାର ମଧ୍ୟ ତାଙ୍କ ନିଯୁକ୍ତି ବେଳେ ଆବଶ୍ୟକ ଯୋଗ୍ୟତା ଭିତ୍ତିରେ ଚଂଚକତା କରିଛନ୍ତି । ଓପିଟିସିଏଲରେ ସାଧାରଣ ନିଯୁକ୍ତି ବେଳେ ଯେଉଁ ଆବଶ୍ୟକ ଯୋଗ୍ୟତା ରଖାଯାଉଛି ତାହା ସେନାପତି ବାବୁଙ୍କ କ୍ଷେତ୍ରରେ ରଖାଯାଇ ନଥିଲା । ଆଉ ଦ୍ୱିତୀୟରେ ହେଲା, ଚୁପଚାପ ଏ ବାବୁଙ୍କ ନିଯୁକ୍ତି ଅବଧି ବଢ଼ାଇବାର ଯୋଜନା ।
ରାଜେନ୍ଦ୍ର ସେନାପତିଙ୍କ ପ୍ରାର୍ଥୀତ୍ୱ ସମ୍ପର୍କରେ ଥିବା ଗୁରୁତର ଅଭିଯୋଗ :
ଅଭିଯୋଗ ନମ୍ବର ୧ – ଓପିଟିସିଏଲର ମାନବସମ୍ବଳ ନିର୍ଦ୍ଦେଶକ ରାଜେନ୍ଦ୍ର ସେନାପତିଙ୍କର ରାଜ୍ୟ ସରକାର ନିଯୁକ୍ତି ବିଜ୍ଞପ୍ତି ଅନୁଯାୟୀ ଦକ୍ଷତା ନାହିଁ । କାରଣ ସିଏ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱିବଦ୍ୟାଳୟ/ଶିକ୍ଷାନୁଷ୍ଠାନରୁ ନିୟମିତ ଏମବିଏ ଡିଗ୍ରୀ (ରେଗୁଲାର କୋର୍ସ) ହାସଲ କରି ନାହାଁନ୍ତି । କରେସପଣ୍ଡେନ୍ସ କୋର୍ସ ବା ପତ୍ର ବିନିମୟ ମାଧ୍ୟମରେ ସେ ଏନଆଇପିଏମରୁ ଡିପ୍ଲୋମା ହାସଲ କରିଛନ୍ତି । ଅର୍ଥାତ ତାଙ୍କର ଶିକ୍ଷାଗତ ଯୋଗ୍ୟତାକୁ ମଧ୍ୟ ମେନୁପୁଲେଟ୍ କରାଯାଇଛି ବୋଲି ଅଭିଯୋଗ ହୋଇଛି । କେବଳ ସେନାପତିଙ୍କୁ ଅନୁଗ୍ରହ ଦେଖାଇବାକୁ ଯାଇ ବିଜ୍ଞାପନରେ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତାକୁ ଜାଣିଶୁଣି କମ୍ କରାଯାଇଛି ବୋଲି ଅଭିଯୋଗ ହୋଇଛି । ସାଧାରଣତଃ ବେସ୍ ଲେବୁଲର ମାନବସମ୍ବଳର ଅଧିକାରୀମାନଙ୍କ ନିଯୁକ୍ତି କ୍ଷେତ୍ରରେ ନିଗମ ପକ୍ଷରୁ ଯେଉଁ ବିଜ୍ଞାପନ ଦିଆଯାଉଛି ସେଥିରେ ସର୍ବନିମ୍ନ ଯୋଗ୍ୟତା ଲେଖା ଯୋଉଛି ଏମବିଏରେ ଫାଷ୍ଟକ୍ଲାସ୍ ଡିଗ୍ରୀ ହୋଲ୍ଡର ବା ୬୦ପ୍ରତିଶତ ମାର୍କ ରଖି ପାସ କରିଥିବେ । କିନ୍ତୁ ଏଠାରେ ଶ୍ରୀ ସେନାପତି କେବଳ ପାସ କରିଛନ୍ତି ଆଉ ତାହା ବି କରେସପଣ୍ଡେନ୍ସ କୋର୍ସରେ । ବେସ୍ ଲେବୁଲ ବା ତଳସ୍ତରରେ ଏଚଆରଡି ନିଯୁକ୍ତିି ସମୟରେ ଯେଉଁ ବିଜ୍ଞାପନ ଦିଆଯାଉଛି, ସେଥିରେ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ୬୦ପ୍ରତିଶତ ମାର୍କ ରଖି ପାସ କରିଥିବା ଦର୍ଶାଯାଉଛି କିନ୍ତୁ ଯେତେବେଳେ ନିର୍ଦ୍ଦେଶକ ପଦବୀ ପାଇଁ ବିଜ୍ଞାପନ ବାହାରିଲା ସେଥିରେ ଆଉ ଫାଷ୍ଟ ଡିଭିଜନ କଥା କୁହାଗଲା ନାହିଁ । ଅର୍ଥାତ ଫାଷ୍ଟ ଡିଭିଜନରୁ କମ୍ ଓ ଜଷ୍ଟ ପାସ୍ କରିଥିବା ଜଣେ ବ୍ୟକ୍ତିକୁ ନିଯୁକ୍ତି ଦିଆଯିବ ବୋଲି ନିଷ୍ପତି ନିଆଗଲା । ବଡକଥା ହେଉଛି ଓପିଟିସିଏଲର ଯେଉଁ ଷ୍ଟାଣ୍ଡିଂ ଗାଇଡଲାଇନ ରହିଛି, ସେଥିରେ କୁହାଯାଇଛି କେବଳ ‘ଇଗ୍ନୋ’ ବ୍ୟତୀତ ଅନ୍ୟ କୌଣସି ଓପନ ୟୁନିଭରସିଟିର କରେସପଣ୍ଡେନ୍ସ କୋର୍ସର ଶିକ୍ଷାଗତ ଯୋଗ୍ୟତାକୁ ଗ୍ରହଣ କରାଯିବ ନାହିଁ । କିନ୍ତୁ ସେନାପତି ବାବୁ ‘ଇଗ୍ନୋ’ ନୁହେଁ ବରଂ ଏନଆଇପିଏମରୁ କୋର୍ସ କରିଛନ୍ତି । ତଥାପି ତାହା ଗ୍ରହଣ କରାଗଲା । କାହିଁକି ସରକାର ଏହି ଯାଗାରେ ବୁଝାମଣା କଲେ ଏବେ ଏହାକୁ ନେଇ ଉଠିଛି ପ୍ରଶ୍ନ ।
ଅଭିଯୋଗ ନମ୍ବର ୨: କେବଳ ମ୍ୟାନେଜମେଂଟ ଡିଗ୍ରୀ ନୁହେଁ ସୂଚନା ଅଧିକାର ଆଇନ ବଳରେ ସେନାପତି ବାବୁଙ୍କର ଶିକ୍ଷାଗତ ଯୋଗ୍ୟତାର ଯେଉଁ ବାୟୋଡାଟା ଆସିଛି, ସେଥିରେ ସେନାପତି ବାବୁ ମାଟ୍ରିକରେ ସେକେଣ୍ଡ ଡିଭିଜନ , ଇଣ୍ଟର ମିଡିଏଟ (ସାଇନ୍ସ)ରେ ଥାର୍ଡ ଡିଭିଜନ ପାଇଥିବା ଜଣାପଡିଛି । ତେବେ ସେ ବ୍ୟାଚଲର ଅଫ ଆର୍ଟସରେ ଫାଷ୍ଟ ଡିଭିଜନ ପାଇଥିବା ଜଣାପଡିଛି । ତେଣୁ ଏହାକୁ ନେଇ ବି ପ୍ରଶ୍ନ ଛିଡା ହୋଇଛି ।
ଅଭିଯୋଗ ନମ୍ବର ୩ : ଅଭିଜ୍ଞତା ମାନଦଣ୍ଡକୁ ବି ହେରଫେର କରାଯାଇଛି । ବିଜ୍ଞାପନ ଅନୁଯାୟୀ ଜଣେ କ୍ୟାଣ୍ଡିଡେଟ୍ ଯଦି ଘରୋଇ ସଂସ୍ଥାରେ କାମ କରିଛି , ତେବେ ବୋର୍ଡ ରାଙ୍କର ତଳକୁ ୫ବର୍ଷ ଅତି କମରେ କାମ କରିଥିବେ । କିନ୍ତୁ ସେନାପତି ବାବୁ ବୋର୍ଡ ଲେବୁଲ ତଳେ କାମ କରିଛନ୍ତି କି ନାହିଁ ତାକୁ ମଧ୍ୟ ଅନୁଧ୍ୟାନ କଲାନାହିଁ ପବ୍ଲିକ ଏଣ୍ଟରପ୍ରାଇଜର୍ସ ଡିପାର୍ଟମେଣ୍ଟ । ଯିଏ କି ଓପିଟିସିଏଲର ଏହି ନିଯୁକ୍ତି ବ୍ୟବସ୍ଥାରେ ଥିଲା ।
ଅଭିଯୋଗ ନମ୍ବର ୪: ଓପିଟିସିଏଲର ବାର୍ଷିକ କାରବାର ହେଉଛି ୩୪୦୦କୋଟି ଟଙ୍କା । ତେଣୁ ସ୍ୱାଭାବିକ ଭାବରେ ମାନବସମ୍ବଳ ନିର୍ଦ୍ଦେଶକ ପଦବୀ ପାଇଁ ଯେତେବେଳେ ନିଯୁକ୍ତି ଦିଆଯାଉଛି ସେତେବେଳେ ବଡ କମ୍ପାନୀରୁ କାମ କରିଥିବା ବ୍ୟକ୍ତିଙ୍କୁ ନିଆଯିବା କଥା । ଯେଉଁ କମ୍ପାନୀର ଟର୍ନଓଭର ଅନ୍ତତଃପକ୍ଷେ ଓପିଟିସିଏଲର ବରାବର ଥିବ । କିନ୍ତୁ ଯେଉଁ ବିଜ୍ଞାପନ ଦିଆଗଲା ସେଥିରେ କୁହାଗଲା ଯେ, ଯଦି ୩୦୦ କୋଟି ଟଙ୍କାର ଟର୍ନଓଭର ଥିବା କମ୍ପାନୀରେ ଚାକିରୀ କରୁଥିବା ବ୍ୟକ୍ତି ବି ଆବେଦନ କରିପାରିବେ । ଅର୍ଥାତ ଜାଣିଶୁଣି କି ସେନାପତି ବାବୁଙ୍କ ଭଳି ଲୋକ ଯେଉଁମାନେ ଘରୋଇ ସେକ୍ଟରରୁ ଆସୁଛନ୍ତି ସେମାନଙ୍କୁ ସୁଯୋଗ ଦେବା ପାଇଁ ଏ ହେରଫେରଟି କରାଗଲା ବୋଲି କଥା ଉଠିଛି ।
ଏବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଓପିଟିସିଏଲରେ ଏ ବ୍ୟକ୍ତିଙ୍କୁ ନିଯୁକ୍ତି ଦେବା ପାଇଁ ଯେଭଳି ଭାବେ ଆବଶ୍ୟକତା ମାନଦଣ୍ଡ ସହିତ ଚଂଚକତା କରାଗଲା,ପରବର୍ତ୍ତୀ ସମୟରେ ମାନ୍ୟବର ହାଇକୋର୍ଟ ଏ ବାବଦରେ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିବା ପରେ ମାନବସମ୍ବଳ ନିର୍ଦ୍ଦେଶକ ପଦବୀ ପୁରଣ ପାଇଁ ବିଜ୍ଞାପନ ବାହାର କରିବାକୁ ଓପିଟିସିଏଲ ପକ୍ଷରୁ ପବ୍ଲିକ ଏଣ୍ଟରପ୍ରାଇଜର୍ସ ଡିପାର୍ଟମେଣ୍ଟ କୁ ତରବରିଆ ଭାବେ ଗତ ୨ ତାରିଖ ଦିନ ଚିଠି ଲେଖା ଯାଇଛି । ଏଠି କଥା ଉଠୁଛି, ପବ୍ଲିକ ଏଣ୍ଟରପ୍ରାଇଜର୍ସ ଡିପାର୍ଟମେଣ୍ଟର ଯେଉଁ ପୂର୍ବରୁ ବିଜ୍ଞପ୍ତି ଅଛି, ସେଥିରେ ସ୍ପଷ୍ଟ ଲେଖାଯାଇଛି କୌଣସି ପଦବୀର କାର୍ଯ୍ୟକାଳ ସରିବାର ଅତି କମରେ ୬ମାସ ପୂର୍ବରୁ ବିଜ୍ଞାପନ ଦିଆଯିବ । କିନ୍ତୁ ଏଠି ମାତ୍ର ୬ଦିନ ପୂର୍ବରୁ କାହିଁକି ବିଜ୍ଞାପନ ଜାରୀ କରିବାକୁ ଚିଠି ଲେଖାଗଲା ଆଉ ତା ବି ମାନ୍ୟବର ହାଇକୋର୍ଟଙ୍କ ତାଗିଦ ପରେ ।
ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସେତେବେଳେ ଏଇ ନିଯୁକ୍ତି ବେଳେ ଓପିଟିସିଏଲର ସିଏମଡି ଥିଲେ ହେମନ୍ତ ଶର୍ମା ଯିଏ ଏବେ ଶକ୍ତି ବିଭାଗର ସଚିବ ଅଛନ୍ତି । ଆଉ ଏ ଅଭିଯୋଗ ଆସିବା ପରେ ଯେଉଁ ତରବରିଆ ଭାବେ ଚିଠି ଲେଖାଯାଇ ପଦବୀ ପୁରଣ ପାଇଁ ପ୍ରୟାସ କରାଯାଉଛି, ତା ଭିତରେ ଏ କଥା ବି ମନେ ରଖିବାକୁ ହେବ ଯେ ଏବେ ମଧ୍ୟ ଓପିଟିସିଏଲର ସିଏମଡି ଅଛନ୍ତି ହେମନ୍ତ ଶର୍ମା । ଏବେ ପ୍ରଶ୍ନ ଉଠୁଛି ଯେତେବେଳେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଥିବା ଅଧିକାରୀଙ୍କ ନିଯୁକ୍ତିକୁ ନେଇ ହେରଫେର ହୋଇଥିବା ଅଭିଯୋଗ ଆସୁଛି ଏ ସବୁ ହେମନ୍ତ ଶର୍ମାଙ୍କ ନଜରରେ ଚାଲିଥିଲା ନା ତାଙ୍କ ଅଗୋଚରରେ । ରାଜ୍ୟ ସରକାର କହୁଛନ୍ତି ହେମନ୍ତ ଶର୍ମା ଜଣେ ଯୋଗ୍ୟ ଅଧିକାରୀ । ଆଉ ଯେଉଁଥିପାଇଁ ଓପିଟିସିଏଲରୁ ତାଙ୍କୁ ହଟାଯାଉନି । ଶର୍ମା ବାବୁଙ୍କର ଓପିଟିସିଏଲରେ ଅବଧି ଯେତିକି ପୁରୁଣା , ତାଙ୍କ ବିରୋଧରେ ଅଭିଯୋଗର ଫର୍ଦ୍ଦ ସେତିକି ଲମ୍ବା ।
ଏବେ ଦାବି ହେଉଛି ଏହାର ତଦନ୍ତ ହେଉ ଆଉ ଏ ହେରଫେରରେ ସିଏମଡିଙ୍କର ଭୁମିକା କଣ ତାହା ବି ସାମ୍ନାକୁ ଆସୁ । ଶକ୍ତି ବିଭାଗ ଓ ଏହା ସହିତ ଜଡିତ ଯେତିକି ନିଗମ ରହିଛି, ପ୍ରାୟ ସବୁ ନିଗମର ଦାୟିତ୍ୱ ନେଇଛନ୍ତି ହେମନ୍ତ ଶର୍ମା । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ହେମନ୍ତ ଶର୍ମା ଓ ତାଙ୍କର ଦରବାରୀ କ୍ଷମତାକୁ ଆହୁରି ସଶକ୍ତ କରିବା ପାଇଁ ପଂଚମ ଥର ନବୀନ ବାବୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଏହି ଶକ୍ତି ବିଭାଗରେ କ୍ୟାବିନେଟ ମନ୍ତ୍ରୀ ରଖିଲେ ନାହିଁ ବରଂ ଏକଦମ ନୂଆ ଓ ପ୍ରଥମ ଥର ମନ୍ତ୍ରୀ ହେଉଥିବା ଜଣେ ଅନଭିଜ୍ଞ ନେତା କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ଦେଲେ । ଅର୍ଥାତ ବୁଲେଇ ବଙ୍କେଇ ହେମନ୍ତ ଶର୍ମାଙ୍କୁ ହିଁ ସବୁଠୁ ଅଧିକ ଶକ୍ତିଶାଳୀ କରି ଦିଆଗଲା । ଏହା ହିଁ ଦର୍ଶାଉଛି ପରୋକ୍ଷରେ ବା ପ୍ରତ୍ୟକ୍ଷରେ ଏ ଚଞ୍ଚକତା ସହିତ ହେମନ୍ତ ଶର୍ମାଙ୍କ ରଜାମନ୍ଦୀ ରହିଛି । ଯଦି ହେମନ୍ତ ଶର୍ମା ଏ ସବୁ ଗୋଲକଧନ୍ଦାରେ ନାହାଁନ୍ତି ତାହାହେଲେ ବର୍ଷାଧିକ କାଳ ଏଭଳି ଚଞ୍ଚକତା କିଭଳି ଭାବରେ ବଂଚି ରହିଛି ।
ଏ ଖବର ସମ୍ପର୍କିତ ସ୍ପଷ୍ଟିକରଣ ବାବଦରେ ସତ୍ୟପାଠ ପକ୍ଷରୁ ସିଏମଡି ହେମନ୍ତ ଶର୍ମାଙ୍କ ପ୍ରତିକ୍ରିୟା ନେବାକୁ ପ୍ରୟାସ କରାଯାଇଥିଲା କିନ୍ତୁ ତାଙ୍କ ନିକଟରୁ କୌଣସି ଉତ୍ତର ମିଳିନାହିଁ ।