ପଞ୍ଜାବ, ରାଜସ୍ଥାନ, ଗୁଜରାଟ ସୀମାରେ ହାଇଆଲର୍ଟ, ପାକିସ୍ତାନକୁ ଜବାବ୍‌ ଦେବାକୁ ତୟାର ଭାରତୀୟ ସେନା

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରବର୍ତ୍ତୀ ଭାରତ-ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତି ଦୃଷ୍ଟିରୁ ସୀମାକୁ ଲାଗିଥିବା ଉପକୂଳ ଓ ଭୂଭାଗରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରି ଦିଆଯାଇଛି । ବିଶେଷ କରି ପଞ୍ଜାବ, ରାଜସ୍ଥାନ ଓ ଗୁଜରାଟ ସୀମାରେ ଭାରତୀୟ ସେନା ପକ୍ଷରୁ ହାଇଆଲର୍ଟ କରି ଦିଆଯାଇଛି । ୩ ରାଜ୍ୟର ମୁଖ୍ୟ ସ୍ଥାନ ଗୁଡ଼ିକରେ ସେନା ଯବାନଙ୍କୁ ମୁତୟନ କରାଯାଇଛି । ସୀମା ନିକଟରେ ସାଧାରଣ ଲୋକଙ୍କ ଯାତାୟତ ବନ୍ଦ କରିଦିଆଯାଇଛି ।

ପୁଲୱାମା ଆକ୍ରମଣ ପରେ ମଙ୍ଗଳବାର ଭାରତୀୟ ବାୟୁସେନା ପାକିସ୍ତାନରେ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ ଓ ପରେ ବୁଧବାର ପାକିସ୍ତାନ ପକ୍ଷରୁ କରାଯାଇଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ଏଭଳି କରାଯାଇଥିବା ସେନା ସୂତ୍ରରୁ କୁହାଯାଇଛି । ସମୁଦ୍ର ଓ ଭୂଭାଗ ସୀମାରେ ସୁରକ୍ଷା ପାଇଁ ନିଶ୍ଚିତ ଯୋଜନା ପ୍ରସ୍ତୁତ କରାଯାଇଛି । ସଶସ୍ତ୍ର ବଳ ସୀମାକୁ ଜଗି ରହିଛନ୍ତି ।

ଗୁଇନ୍ଦା ଅଧିକାରୀ କହିଛନ୍ତି, ବର୍ତ୍ତମାନ ପାଇଁ ପାକିସ୍ତାନ ସେନା ଦ୍ୱାରା ଦେଶକୁ ଅଧିକ ବିପଦ ନାହିଁ କିନ୍ତୁ କଶ୍ମୀର ଘାଟିରେ ସକ୍ରିୟ ଆଇଏସ୍‌ଆଇ ସମର୍ଥିତ ଆତଙ୍କବାଦୀ ମଡ୍ୟୁଲ ଦେଶରେ ଅପ୍ରୀତିକର ଘଟଣା ଘଟାଇବାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ । ଏହାକୁ ଦୃଷ୍ଟିରେ ରଖି ସତର୍କତା ବଢ଼ାଇ ଦିଆଯାଇଛି । ଉତ୍ତର ଓ ପଶ୍ଚିମ ଭାରତରେ ପରମାଣୁ ପ୍ରତିଷ୍ଠାନ, ଏୟାରବେସ୍‌, ନୌସେନା କମାଣ୍ଡ, ସେନା ଶିବିର ଅଞ୍ଚଳରେ ସୁରକ୍ଷା କର୍ମୀମାନେ ଘେରି ରହିଛନ୍ତି ।

ହାଇ ଆଲର୍ଟ ନେଇ ଗୁଇନ୍ଦା ସଂସ୍ଥାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସହରରେ ଆତଙ୍କବାଦୀ ନିରୋଧ ଶାଖାକୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେମାନଙ୍କୁ ରିଟର୍ଣ୍ଣ ଆଲର୍ଟ ଦିଆଯାଇ ନାହିଁ । ସୀମାବର୍ତ୍ତୀ ପଂଜାବର ୫ ଜିଲ୍ଲା ଗୁରୁଦାସପୁର, ତରନତାରନ, ଅମୃତସର, ଫିରୋଜପୁର ଏବଂ ଫାଜିଲ୍କା ପାକିସ୍ତାନ ସୀମାକୁ ଲାଗିଛି । ଭାରତର ଏହି ରାଜ୍ୟ ପାକିସ୍ତାନ ଠାରୁ ପାଖାପାଖି ୫୫୩ କିଲୋମିଟର ଯାଏଁ ବିସ୍ତୃତ ।

ସୀମାବର୍ତ୍ତୀ ଅଂଚଳରୁ ସାଧାରଣ ନାଗରିକଙ୍କୁ ବିସ୍ଥାପନ କରାଯିବା ଲାଗି ଯୋଜନା କରାଯାଇ ନାହିଁ । ପଂଜାବ ବ୍ୟତୀତ ରାଜସ୍ଥାନରେ ମଧ୍ୟ ହାଇ ଆଲର୍ଟ ଜାରି କରି ଦିଆଯାଇଛି । ଏହି ରାଜ୍ୟରେ ପାଖାପାଖି ୧୦୪୮ କିଲୋମିଟର ସୀମାରେଖା ପାକିସ୍ତାନ ସହିତ ଲାଗି ରହିଛି । ଏହି ସୀମା ଅଂଚଳରେ ଏପ୍ରିଲ ଯାଏଁ ସନ୍ଧ୍ୟା ୬ ରୁ ୭ଟା ଯାଏଁ ଅନ୍ତର୍ଜାତୀୟ ସୀମାଠାରୁ ୫ କିଲୋମିଟର ମଧ୍ୟରେ ନାଗରିକମାନଙ୍କୁ ଯିବାଆସିବା ଉପରେ କଟକଣା ଲଗାଇ ଦିଆଯାଇଛି ।

ସେହିଭଳି ଗୁଜୁରାଟରେ ବିପରୀତ ପରିସ୍ଥିତିର ମୁକାବିଲା କରିବା ପାଇଁ ସୁରକ୍ଷାକର୍ମୀଙ୍କୁ ନିର୍ଦ୍ଦେଶ ହୋଇଛି । ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଆତଙ୍କବାଦ ନିରୋଧୀ ଦଳ, ଗୁଇନ୍ଦା ବ୍ୟୁରୋ, ସୀମାରେ ଅବସ୍ଥାପିତ ଆଇଜି ଓ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ସେ ଗୁଜୁରାଟ ପୋଲିସ, ବିଏସଏଫ, ତଟରକ୍ଷୀ ବାହିନୀ ସହିତ ସଂପର୍କ ରଖିଛନ୍ତି ।

Related Posts