ରାହୁଲଙ୍କୁ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଲେ ହିମନ୍ତା

ଭୁବନେଶ୍ୱର,୨୩/୧(ସତ୍ୟପାଠ ବ୍ୟୁରୋ): କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ଏଫ୍‌ଆଇଆର୍‌ କର । ପୁଲିସକୁ ଏଭଳି କିଛି ନିର୍ଦ୍ଦେଶ ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। ଭିଡକୁ ଉସ୍‌କାଇବା ଅଭିଯୋଗରେ ରାହୁଲ ବିରୋଧରେ ମାମଲା ରୁଜୁ କରିବାକୁ ସେ ପୁଲିସକୁ କହିଛନ୍ତି।

ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରା ଆସାମର ଗୌହାଟିରେ ପ୍ରବେଶ କରିଥିବା ସମୟରେ ଆଜି କଂଗ୍ରେସ କର୍ମୀ ଓ ପୁଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। କଂଗ୍ରେସ କର୍ମୀମାନେ ପୁଲିସ ସହ ଧସ୍ତାଧସ୍ତି ହେବା ସହ ବ୍ୟାରିକେଡ୍ ଭଙ୍ଗା ଭଙ୍ଗି କରିଛନ୍ତି । ରାହୁଲ ଗାନ୍ଧି ସହରରେ ଯାତ୍ରା କରିବାକୁ ପୂର୍ବରୁ ଅନୁମତି ମାଗିଥିଲେ, କିନ୍ତୁ ଅନୁମତି ନ ମିଳିବାରୁ କଂଗ୍ରେସ କର୍ମୀମାନେ ଜୋରଦାର ହଙ୍ଗାମା କରିଥିବା କଥା କୁହାଯାଉଛି।

ତେବେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏହି ମାମଲାରେ ଡିଜିପିଙ୍କ ସହ କଥା ହୋଇ ରାହୁଲ ଗାନ୍ଧିଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ‘ଏମାନେ ଆସାମ ସଂସ୍କୃତିର ଅଂଶ ନୁହଁନ୍ତି। ଆମେ ଏକ ଶାନ୍ତିପୂର୍ଣ୍ଣ ରାଷ୍ଟ୍ର। ଏହିପରି ନକ୍ସଲାଇଟ୍ ରଣନୀତି ଆମ ସଂସ୍କୃତିଠାରୁ ସମ୍ପୂର୍ଣ୍ଣ ଭିନ୍ନ। ତେଣୁ ଭିଡକୁ ଉସ୍‌କାଇବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଡିଜିପିକୁ ନିର୍ଦ୍ଦେଶ ଦେଇଛି।’

ସୋସିଆଲ ମିଡିଆରେ କଂଗ୍ରେସ କର୍ମୀଙ୍କ ହଙ୍ଗାମା ବେଳର ଭିଡିଓକୁ ଏହି ମାମଲାରେ ପ୍ରମାଣ ରୂପେ ବ୍ୟବହାର କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଡିଜିପିକୁ କହିଛନ୍ତି। ଅନିୟମିତ ଆଚରଣ ଏବଂ ସହମତ ନିର୍ଦ୍ଦେଶାବଳୀଗୁଡିକର ଉଲ୍ଲଂଘନ ଯୋଗୁ ଗୌହାଟୀରେ ବ୍ୟାପକ ଟ୍ରାଫିକ୍ ଜାମ୍ ହୋଇଛି ବୋଲି ହିମନ୍ତ ବିଶ୍ୱ ଶର୍ମା ଅଭିଯୋଗ ଆଣିଛନ୍ତି।

ଅନ୍ୟପଟେ ପୁଲିସ ସହ କଂଗ୍ରେସ କର୍ମୀଙ୍କ ହୋଇଥିବା ଧସ୍ତାଧସ୍ତିକୁ ନେଇ ଓ୍ୱାଇନାଡ ସାଂସଦ ରାହୁଲ ଗାନ୍ଧି କହିଛନ୍ତି, ‘ଏହି ମାର୍ଗ ଦେଇ ବଜରଙ୍ଗ ଦଳ ଏବଂ ଜେପି ନାଡ୍ଡାଙ୍କ ରାଲି ଅନୁଷ୍ଠିତ ହୋଇଥିଲା, କିନ୍ତୁ ସେମାନେ ଆମକୁ ଅଟକାଉଛନ୍ତି। ଆମେ କଂଗ୍ରେସ କର୍ମୀ ଶକ୍ତିଶାଳୀ, ଆମେ ବ୍ୟାରିକେଡ୍ ଭାଙ୍ଗିଛୁ, କିନ୍ତୁ ଆମେ ଆଇନ ଭାଙ୍ଗିବୁ ନାହିଁ।’

ସୂଚନାଯୋଗ୍ୟ, ଆଜି ପାଞ୍ଚ ହଜାରରୁ ଅଧିକ କଂଗ୍ରେସ କର୍ମୀ ଗୌହାଟିକୁ ପ୍ରବେଶ କରିଥିଲେ। ଏହି ସମୟରେ ରାସ୍ତାରୁ ଜନ ସମାଗମ ହଟାଇବା ପାଇଁ ବ୍ୟାପକ ପୁଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଟ୍ରାଫିକ ନିୟନ୍ତ୍ରଣ କରିବା ପାଇଁ ପୁଲିସ କଂଗ୍ରେସ କର୍ମୀଙ୍କୁ ଅନ୍ୟ ରାସ୍ତାରେ ଯିବାକୁ କହିଥିଲା, କିନ୍ତୁ ଏହାକୁ ସେମାନେ ବିରୋଧ କରିଥିଲେ। ଫଳରେ କଂଗ୍ରେସ କର୍ମୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଗୌହାଟିରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ପରେ ପୁଲିସ କଂଗ୍ରେସର ନ୍ୟାୟ ଯାତ୍ରାକୁ ବନ୍ଦ କରି ଦେଇଛି।

Related Posts