ଭୁବନେଶ୍ବରରେ ଘର ମାଲିକ ଆଶ୍ୱସ୍ତ, ବିଏମସିର ହୋଲ୍ଡିଂ ଟିକସ ବୃଦ୍ଧି ନିଷ୍ପତ୍ତିକୁ ରଦ୍ଦ କଲେ ହାଇକୋର୍ଟ

ଭୁବନେଶ୍ୱର,୯/୨(ସତ୍ୟପାଠ ବ୍ୟୁରୋ): ରାଜଧାନୀ ଭୁବନେଶ୍ବରରେ ଘର ମାଲିକ ଆଶ୍ୱସ୍ତ । ବିଏମସିର ହୋଲ୍ଡିଂ ଟିକସ ବୃଦ୍ଧି ନିଷ୍ପତ୍ତିକୁ ରଦ୍ଦ କଲେ ହାଇକୋର୍ଟ । ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି ନେଇ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିବା ଭୁବନେଶ୍ୱର ମହାନଗର ନିଗମକୁ ହାଇକୋର୍ଟରୁ ଶକ୍ତ ଧକ୍କା ଲାଗିଛି । ହୋଲଡିଂ ଟିକସ ପ୍ରସଙ୍ଗରେ ୨୦୨୧ ଏପ୍ରିଲ ୨୨ରେ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ବିଏମସି ସୁପ୍ରିମକୋର୍ଟରେ ଦାୟର କରିଥିବା ଏସଏଲପି ଗତ ବର୍ଷ ନଭେମ୍ବର ୭ ତାରିଖରେ ଖାରଜ ହୋଇଛି ।ଉଭୟ କୋର୍ଟରେ ବିଏମସି ହାରିବା ପରେ ଭୁବନେଶ୍ୱରବାସୀ ଆଶ୍ୱସ୍ତ ହୋଇଛନ୍ତି । ପୂର୍ବରୁ ବିଏମସି ଜୋରଜବରଦସ୍ତ ଅନେକ ଲୋକଙ୍କ ଠାରୁ ବର୍ଦ୍ଧିତ ଦରରେ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିଥିଲା ।

୨୦୧୦ ମସିହାରେ ବିଏମସି ଏହି ଟିକସ ୧୦ରୁ ୧୫ ଗୁଣ ବଢ଼ାଇ ଦେଇଥିଲା । ଯେଉଁ ଘର ପାଇଁ ୧୭୨ଟଙ୍କା ହୋଲ୍ଡିଂ ଟ୍ୟାକ୍ସ ଦେବାକୁ ପଡ଼ୁଥିଲା ବର୍ଦ୍ଧିତ ଦରରେ ତାହା ୪୪୪ଟଙ୍କା ୪୬ ପିଇସା ହୋଇଥିଲା । ନୂଆ ଦରରେ ଅବ୍ୟବହୃତ ଜମି ପାଇଁ ମଧ୍ୟ ହୋଲ୍ଡିଂ ଟିକସ ଧାର୍ଯ୍ୟ ହୋଇଥିଲା । ଏହାକୁ ନେଇ ପ୍ରବଳ ବିରୋଧ ହୋଇଥିଲା । କିନ୍ତୁ ବିଏମସି ମାମଲା ରୁଜୁ କରିବ ବୋଲି ଧମକ ଦେବାରୁ ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକ ବର୍ଦ୍ଧିତ ଦରରେ ହୋଲ୍ଡିଂ ଟିକସ ଦେଇ ଆସୁଥିଲେ । ଏହାକୁ ବିରୋଧ କରି କନଫେଡେରେସନ୍ ଅଫ ସିଟିଜେନ୍ସ ଆସୋସିଏସନ୍ ହାଇକୋର୍ଟରେ ମାମଲା ଦାୟର କରିଥିଲା ।

ସୂଚନା ମୁତାବକ, ୧୯୯୮ ମସିହା ବେଞ୍ଚ ମାର୍କ ଭାଲ୍ୟୁଏସନ ମୁତାବକ ବିଏମ୍‌ସି ଅଞ୍ଚଳରେ ହୋଲ୍ଡିଂ ଟ୍ୟାକ୍ସ ଆଦାୟ ହେଉଥିଲା । ୨୦୧୦ ମସିହାରେ ବିଏମ୍‌ସି ଏହି ଟିକସ ୧୦ରୁ ୧୫ ଗୁଣ ବଢ଼ାଇ ଦେଇଥିଲା । ଏହାକୁ ବିରୋଧ‌ କରି କନଫେଡେରେସନ୍ ଅଫ ସିଟିଜେନ୍ସ ଆସୋସିଏସନ୍ ସାଧାରଣ ସଂପାଦକ ଶୁଭ୍ରାଂଶୁ ରଥ ଓ ପୂର୍ବତନ ସାଂସଦ ମୀରା ଦାସ ହାଇକୋର୍ଟରେ ମାମଲା ଦାୟର କରିଥିଲେ । ପ୍ରାରମ୍ଭିକ ଶୁଣାଣି କରି ହାଇକୋର୍ଟ ଏହି ପ୍ରସଂଗରେ ଅନ୍ତରୀଣ ରହିତାଦେଶ କାରି କରିଥିଲେ । ୨୦୧୯ ନଭେମ୍ବର ୧୧ରେ ହାଇକୋର୍ଟରେ ମାମଲାର ଶୁଣାଣି କରି ଏହି ପ୍ରସଂଗରେ ସାନି ନିଷ୍ପତ୍ତି ନେବାକୁ ବିଏମସିକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ବିଏମସି ପକ୍ଷରୁ ନୂଆ ପୌର ଆଇନର ତର୍ଜମା କରାଯାଇ ହୋଲଡିଂ ଟିକସ ବୃଦ୍ଧି ନିଷ୍ପତ୍ତିକୁ ୨୦୧୯ ଅକ୍ଟୋବରରେ କାଏମ ରଖାଯାଇଥିଲା ।

ଏହି ପ୍ରସଂଗ ନେଇ ପୁଣି ଆସୋସିଏସନ ତରଫରୁ ୨୦୨୦ରେ ହାଇକୋର୍ଟରେ ମାମଲା ଦାୟର କରାଯାଇଥିଲା । ହୋଲଡିଂ ଟିକସ ବୃଦ୍ଧି ନିଷ୍ପତ୍ତି ଉପରେ ହାଇକୋର୍ଟ ୨୦୨୦ ଜୁନ ୧୦ରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ହାଇକୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ ୨୦୧୨ ମସିହାରେ କଲ୍ୟାଣୀ ମାଟର୍‌ନିଟି ହସ୍‌ପିଟାଲ ପ୍ରାଇଭେଟ୍‌ ଲିମିଟେଡ୍‌ ମଧ୍ୟ ଏହି ବର୍ଦ୍ଧିତ ଦରକୁ ବିରୋଧ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । ହାଇକୋର୍ଟଙ୍କ ରାୟ ସମ୍ପୃକ୍ତ ସଂସ୍ଥା ସପକ୍ଷରେ ଯିବାରୁ ବିଏମ୍‌ସି ଏହି ରାୟ ବିରୋଧରେ ସୁପ୍ରିମକୋର୍ଟରେ ସ୍ପେଶାଲ ଲିଭ୍‌ ପିଟିସନ ଫାଇଲ୍‌ କରିଥିଲା । ସୁପ୍ରିମକୋର୍ଟରେ ବିଏମ୍‌ସିର ଆବେଦନ ଖାରଜ ହୋଇଥିଲା । ଆବେଦନକାରୀଙ୍କ ତରଫରୁ ହାଇକୋର୍ଟରେ ଚାଲିଥିବା ମାମଲାର ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ପରିଚାଳନା କରୁଥିବା ବେଳେ ଆଇନଜୀବୀ ସୌମିକ ସ୍ପନ୍ଦନ ତ୍ରିପାଠୀ ଓ ଅନିନ୍ଦ୍ୟ ବେବର୍ତ୍ତା ପଟ୍ଟନାୟକ ସହାୟତା କରୁଥିଲେ ।

Related Posts