ସତ୍ୟପାଠ ବ୍ୟୁରୋ): ହର୍ମୁଜ ଅଚଳାବସ୍ଥାକୁ ନେଇ ଆଜି ଇସଲାମାବାଦରେ ଆଲୋଚନା ହେବାକୁ ଯାଉଛି । ଉପରାଷ୍ଟ୍ରପତି ଜେଡି ଭାନ୍‌ସ ଆମେରିକୀୟ ପ୍ରତିନିଧିଙ୍କର ନେତୃତ୍ବ ନେବେ। ଆଲୋଚନାର ନେତୃତ୍ୱ ନେବାକୁ ଉପରାଷ୍ଟ୍ରପତିଙ୍କୁ ପଠାଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଂକେତ ଦେଇଛନ୍ତି ଯେ ସେ ପାରମ୍ପରିକ ଗୁପ୍ତ କୂଟନୀତି ବଦଳରେ ଉଚ୍ଚସ୍ତରୀୟ ଖୋଲା ଆଲୋଚନା ଉପରେ ଗୁରୁତ୍ୱ ଦେଉଛନ୍ତି। ଗୋଟିଏ ପଟେ ୱାସିଂଟନ କେବଳ ସୀମିତ ଅଞ୍ଚଳରେ ଅସ୍ତ୍ରବିରତି ଚାହୁଥିବା ବେଳେ ଅନ୍ୟପଟେ ତେହେରାନ ଏହି ଶାନ୍ତି ପ୍ରକ୍ରିୟାକୁ ଲେବାନନରେ ଚାଲିଥିବା ଇସ୍ରାଏଲର ସାମରିକ ଅଭିଯାନ ସହ ଯୋଡ଼ିବାକୁ ଜିଦ୍ ଧରିଛି। ସେପଟେ ଲେବାନନ ଉପରେ ଚାଲିଥିବା ଆକ୍ରମଣ ତୁରନ୍ତ ବନ୍ଦ କରାଯିବା ଏବଂ ବିଭିନ୍ନ ରାଷ୍ଟ୍ରରେ ଇରାନର ଅଚଳ କରାଯାଇଥିବା ସମ୍ପତ୍ତି ପୁନଃ କାର୍ଯ୍ୟକ୍ଷମ ହେଲେ ହିଁ ଆଲୋଚନା ସଫଳ ହେବ ବୋଲି ଇରାନ ସର୍ତ୍ତ ରଖିଥିବାରୁ ଏହାକୁ ନେଇ ନେଇ ଟ୍ରମ୍ପ କ୍ଷୁବ୍ଧ ହୋଇଛନ୍ତି। ସେ କହିଛନ୍ତି ଯେ ଇରାନ ଏବେ କୌଣସି ସର୍ତ୍ତ ରଖିପାରିବ ନାହିଁ ଏବଂ ବୈଠକ ବିଫଳ ହେଲେ ଏହାର ଭୟଙ୍କର ପରିଣାମ ଭୋଗିବାକୁ ବାଧ୍ୟ। ଏଭଳି ସ୍ଥିତିରେ ହର୍ମୁଜ ପ୍ରଣାଳୀକୁ ନେଇ ବିଶ୍ବର ଚିନ୍ତା ବଢ଼ିବାରେ ଲାଗିଛି। ଏହି ଗୁରୁତ୍ୱପୂର୍ଣ୍ଣ ଜଳପଥକୁ ସମ୍ପୂର୍ଣ୍ଣ ରୂପେ ଖୋଲିବା ପାଇଁ ୱାସିଂଟନ ଇରାନ ଉପରେ ଚାପ ପକାଉଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହେଉନାହିଁ। ରାଷ୍ଟ୍ରପତି ଟ୍ରମ୍ପ ଇରାନର ବର୍ତ୍ତମାନର ସହଯୋଗକୁ ଅତି ସୀମିତ ବୋଲି କହିଛନ୍ତି ଏବଂ ଜଳପଥରେ ଅବାଧ ଯାତାୟାତ ପାଇଁ କୌଣସି ବୁଝାମଣା କରାଯିବ ନାହିଁ ବୋଲି ସ୍ପଷ୍ଟ କରିଥିବାର ଦେଖିବାକୁ ମିଳିଛି ।