ନନା ଜିତିଛନ୍ତି ନା କାରସାଦି କରି ଜିତାଯାଇଛି ପଢ଼ନ୍ତୁ

ସତ୍ୟପାଠ ବ୍ୟୁରୋ : ପ୍ରତାପ ଷଢ଼ଙ୍ଗୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ରବିନ୍ଦ୍ର ଜେନାଙ୍କ ଠାରୁ ୧୨ହଜାର୯୫୬ ଖଣ୍ଡ ଭୋଟରେ ଜିତିଛନ୍ତି । ତେବେ ତାଙ୍କର ବିଜୟକୁ ନେଇ ଏବେ ଉଠିଛି ବିବାଦ । ପ୍ରତାପ ଷଢ଼ଙ୍ଗୀ ବାସ୍ତବରେ ଏତିକି ଖଣ୍ଡ ଅଧିକ ଭୋଟ ପାଇ ଜିତିଛନ୍ତି ନା କୌଶଳ କ୍ରମେ ତାଙ୍କୁ ଏତିକି ଭୋଟ ଦିଆଯାଇଛି, ତାକୁ ନେଇ ଉଠିଛି ପ୍ରଶ୍ନ । ଏହାକୁ ନେଇ ଏକ କାରସାଦି ଥିଓରୀ ଉଭା ହୋଇଛି ।

ଏହି ଘଟଣାରେ ପ୍ରତାପଙ୍କର ଭୁମିକା ଅଛି ନା ନାହିଁ ତାହା ଅଲଗା କଥା ଆଉ ସେ କାରସାଦି ଅଧ୍ୟାୟର ମଂଜିଟି ହେଲା, ଇଭିଏମ୍ । ବାଲେଶ୍ୱର ସଂସଦୀୟ କ୍ଷେତ୍ରରେ ପ୍ରତାପ ୧୨ହଜାର ୯୫୬ ଖଣ୍ଡ ଭୋଟରେ ଜିତିଲେ । ଅନ୍ୟପଟେ, ବାକି ସାତଟି ବିଧାନସଭା କ୍ଷେତ୍ରରେ ଯେତିକି ଭୋଟଦାନ ହୋଇଛି ଲୋକସଭା ପାଇଁ ଉଦ୍ଦିଷ୍ଟ ଇଭିଏମରେ ସମସ୍ତ ବିଧାନସଭା ଠାରୁ ଅଧିକ ୧୭ହଜାର ୭୫୦ ଟି ଭୋଟ ଗଣତି କରାଯାଇଛି । ବଡ ପ୍ରଶ୍ନ ହେଲା, ବିଧାନସଭା ଓ ଲୋକସଭା କ୍ଷେତ୍ରର ଭୋଟଦାନ ଭିତରେ ଲୋକସଭା ଇଭିଏମରେ ଏବେ ବଡ ବ୍ୟବଧାନ ଆସିଲା କିଭଳି ?

୧୨୯୫୬ ଭୋଟରେ ଜିତିଲେ ପ୍ରତାପ, ଇଭିଏମରେ ୧୭୭୫୦ ଅଧିକ ଭୋଟ ଆସିଲା କେଉଁଠୁ ?

ସ୍ୱାଭାବିକ ଭାବରେ ସାତଟି ବିଧାନସଭା ଇଭିଏମରେ ଯେତିକି ଭୋଟ, ଲୋକସଭା ଇଭିଏମରେ ସେତିକି ଭୋଟ ରହିବା କଥା । କାରଣ ୧୭ହଜାର ୭୫୦ ଜଣ ଲୋକ କେବଳ ଲୋକସଭା ଇଭିଏମରେ ଭୋଟ ଦେଇ ବିଧାନସଭା ପାଇଁ ଉଦ୍ଦିଷ୍ଟ ଇଭିଏମ କୋଠରୀକୁ ପ୍ରବେଶ ନକରି ବାହାରି ଯାଇଥିବା ସମ୍ଭବ ନୁହେଁ । କାରଣ ନିୟମ ଅନୁଯାୟୀ ନିର୍ବାଚନ ଅଧିକାରୀ ଏଭଳି ଏକତରଫା ଭୋଟଦାନକୁ ବିରୋଧ କରିଥିବେ ଓ ନୋଟାରେ ହେଲେ ବି ଭୋଟ ଦେବାକୁ କହିଥିବେ । ତେଣୁ ଉଭୟ ଇଭିଏମରୁ ସମାନ ସଂଖ୍ୟକ ଭୋଟ ବାହାରିବା କଥା ନା କମ୍ ନା ବେଶୀ ।

ଏଠାରେ ପ୍ରଶ୍ନ ଉଠୁଛି, ବାଲେଶ୍ୱର ଲୋକସଭାରୁ ପ୍ରତାପ ଷଢ଼ଙ୍ଗୀ ଯେତିକି ଭୋଟରେ ଜିତିଲେ ତା ଠାରୁ ପାଖାପାଖି ୫ହଜାର ଅଧିକ ଭୋଟ ଅର୍ଥାତ ୧୭୭୫୦ ଭୋଟ ଲୋକସଭା ଇଭିଏମରେ ଗଣାହେଲା, ଏହା ସମ୍ଭବ ହେଲା କିଭଳି ? ଅର୍ଥାତ ଯଦି ୧୭୭୫୦ ଖଣ୍ଡ ଭୋଟ ଅଧିକ ଗଣାଯାଇ ନଥାନ୍ତା ତାହେଲେ ପ୍ରତାପ ଜିତିଥିବା ୧୨୯୫୬ ଖଣ୍ଡ ଭୋଟର ଫଳାଫଳ ଭିନ୍ନ ହୋଇଥାନ୍ତା । ହୁଏତ ପ୍ରତାପ ହାରି ବି ଯାଇ ଥାନ୍ତେ ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଚଳିତ ଥର କେବଳ ପ୍ରତାପଙ୍କ ବାଲେଶ୍ୱର ନୁହେଁ ୨୧ଟି ଲୋକସଭା କ୍ଷେତ୍ରରେ ମୋଟ ବିଧାନସଭା ଠାରୁ ଲୋକସଭା ଇଭିଏମରେ ଅଧିକ ଭୋଟ ଗଣାଯାଇଛି । ଏହି ଇଭିଏମ କାରସାଦିଟି ନ ହୋଇଥିଲେ ପ୍ରତାପଙ୍କ ଭଳି ବହୁ ପ୍ରାର୍ଥୀ ଯେଉଁମାନେ କମ୍ ଭୋଟ ବ୍ୟବଧାନରେ ଜିତିଛନ୍ତି ସେମାନଙ୍କର ଭାଗ୍ୟ ଓଲଟା ହୋଇଥାନ୍ତା । ଏଣୁ ପ୍ରତାପଙ୍କ ଜିତକୁ ନେଇ ଯେଉଁ ଜୟ ଜୟକାର ହେଉଛି ଏଠାରେ ସନ୍ଦେହ ଉପୁଜିଛି ଯେ ତାଙ୍କୁ ଜିତାଇବା ପାଇଁ ଇଭିଏମରେ ଅଧିକ ଭୋଟ ବ୍ୟବସ୍ଥାର କାରସାଦି କରାଯାଇନି ତ ? ତେଣୁ ସାଧାରଣରେ ପ୍ରଶ୍ନ, ଯେ ନନା ନିଜ ଗୋଡରେ ଜିତିଛନ୍ତି ନା ଇଭିଏମ୍ ଜିତାଇଛି !

 

Related Posts