(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: କୁଖ୍ୟାତ ଗ୍ୟାଙ୍ଗଷ୍ଟର ସେକ୍ ହାଇଦରକୁ ପୋଲିସ ଏନକାଉଂଟର କରିଥିବା ସିମୁଳିଆର ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ୍ ଛାନଭିନ କରିବା ଆରମ୍ଭ କରିଛି। ଏହି ସମୟରେ ଘଟଣା ସ୍ଥଳରୁ ୨ଟି ଖୋକା ମିଳଛି।ଏହି ସାଇଣ୍ଟିଫିକ ଟିମ୍ ରେ ବାଲେଶ୍ୱର ଏସଡିପିଓ ଶ୍ରୀହର୍ସ ମିଶ୍ର ଆଡିସନାଲ ଡିସିପି ପ୍ରମୋଦ ରଥ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ପରେ ୨ଟି ଖୋକା ଜବତ କରିଛନ୍ତି।
ଅପରପକ୍ଷରେ ରବିବାର ଦିନ ଅର୍ଥାତ୍ ଆଜି ହାଇଦରର ଶବ ବ୍ୟବଚ୍ଛେଦ କରାଯିବ। ହାଇଦରର ମୃତ୍ୟୁ ପରେ କେନ୍ଦ୍ରାପଡାରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
କେନ୍ଦ୍ରାପଡ଼ା ସହରର ପୁରୁଣା ବସଷ୍ଟାଣ୍ଡ, ନୂଆ ବସଷ୍ଟାଣ୍ଡ, ବଡହାଟ, ତିନି ମୁହାଣୀ, ଗରାପୁର, ରଣପଡ଼ା, ପେଟ୍ରୋଲ ପମ୍ପ ଛକ ଆଦି ସ୍ଥାନରେ ଚାରି ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଗତକାଲି ଗ୍ୟାଙ୍ଗଷ୍ଟର ହାଇଦରକୁ କଟକର ଚୌଦ୍ବାର ଜେଲରୁ ବାରିପଦା ଜେଲକୁ ସ୍ଥାନାନ୍ତରିତ କରାଯାଉଥିଲା। ଏହି ସମୟରେ ତାକୁ ଏନକାଉଣ୍ଟର କରାଯାଇଥିଲା।
ସୂଚନାଯୋଗ୍ୟ ଯେ , ଶନିବାର ଦିନ ଅପରାହ୍ନ ୩ଟା ୨୦ରେ ପରିସ୍ରା ବାହାନାରେ ବାରିପଦା ଯିବା ବାଟରେ ବାଲେଶ୍ଵରର ସିମୁଳିଆ ନିକଟରେ ପୋଲିସ ଭ୍ୟାନରୁ ଓହ୍ଲାଇଥିଲା ହାଇଦର। ଆଉ ପୋଲିସ କର୍ମଚାରୀଙ୍କ ଠାରୁ ବନ୍ଧୁକ ଛଡାଇ ଗୁଳି ଚଳାଇ ଖସି ଯିବାକୁ ଚେଷ୍ଟା କରିଥିଲା ହାଇଦର ।
ଏହି ସମୟରେ ପୋଲିସ ତାକୁ ସରେଣ୍ଡର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପୋଲିସ ନିର୍ଦ୍ଦେଶ ନମାନିବାରୁ ଶେଷରେ ପୋଲିସ ବାଧ୍ୟ ହୋଇ ଗୁଳି ଚଳାଇଥିଲା । ଗୁଳିମାଡ ପରେ ହାଇଦରକୁ ଗୁରୁତର ଅବସ୍ଥାରେ ବାଲେଶ୍ୱରର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ହାଇଦରକୁ ମୃତ ଘୋଷଣା କରିଥିଲେ ଡାକ୍ତର।
କିଛି ମାସ ତଳେ କଟକ ବଡ଼ ମେଡିକାଲରୁ ଫେରାର ହେବାରେ ସକ୍ଷମ ହୋଇଥିଲା । ଏହି ଘଟଣା ସେହି ସମୟରେ ରାଜ୍ୟ ପୋଲିସର ନିଦ ହଜାଇ ଦେଇଥିଲା। ଏହାପରେ ରାଜ୍ୟ ପୋଲିସର ଏକ ସ୍ୱତନ୍ତ୍ର ଟିମ ହାଇଦ୍ରାବାଦର ସଙ୍ଗାରେଡୀ ଜିଲ୍ଲାରୁ ହାଇଦରକୁ ଧରିବାରେ ସଫଳ ହୋଇଥିଲା ।
ସେହିପର ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ୩ ସହଯୋଗୀ ଗିରଫ ହୋଇଥିଲେ । ୩ ଗିରଫଙ୍କ ମଧ୍ୟରେ ଜଣେ ଯୁବତୀ ମଧ୍ୟ ଥିଲେ । ୧୨୦ ଘଣ୍ଟାର ସଫଳ ଅପରେସନ ପରେ ହାଇଦରକୁ ତେଲଙ୍ଗାନାର ସାଙ୍ଗାରେଡ୍ଡିରୁ ଗିରଫ କରିଥିଲା ପୋଲିସ । ପରେ ତାଙ୍କୁ ସ୍ବତନ୍ତ୍ର ବିମାନ ଯୋଗେ ହାଇଦ୍ରାବାଦରୁ ଓଡ଼ିଶା ଅଣାଯାଇଥିଲା ।





