ଭୁବନେଶ୍ୱର,୨୧/୧୨(ସତ୍ୟପାଠ ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ନହେବାରୁ ଯୁବକଙ୍କ ପ୍ରତିବାଦ ।ବିଜ୍ଞାପନ ହୋର୍ଡିଂ ଉପରେ ଚଢ଼ି ସୁନ୍ଦରଗଡ ଜିଲ୍ଲା ରାଉରକେଲାର ମୁକ୍ତିକାନ୍ତ ବିଶ୍ୱାଳଙ୍କ ପ୍ରତିବାଦ । ଭୁବନେଶ୍ୱରର ଶିଶୁଭବନ ଛକ ହୋର୍ଡିଂ ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ ଚେତାବନୀ ଦେଇଛନ୍ତି । ରାଉରକେଲାରେ ବିଭିନ୍ନ ପ୍ରକଳ୍ପ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ମୁକ୍ତିକାନ୍ତ ଗତ କିଛି ଦିନ ହେବ ଆସିଥିବା ବେଳେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରାଇ ଦେଇନଥିବା ଅଭିଯୋଗ ହୋଇଛି । ଫଳରେ ମୁକ୍ତିକାନ୍ତ ଦୀର୍ଘ ୨ ଘଣ୍ଟା ହେବ ବିଜ୍ଞାପନ ହୋର୍ଡିଂ ଉପରେ ଚଢ଼ି ପ୍ରତିବାଦ ଜଣାଇଛନ୍ତି । ମୁକ୍ତିକାନ୍ତଙ୍କୁ ରକ୍ଷା କରିବାକୁ ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚିଛନ୍ତି । ହେଲେ ମୁକ୍ତିକାନ୍ତ ତାଙ୍କ ଜିଦରେ ଅଟଳ ଥିବା ଦେଖିବାକୁ ମିଳୁଛି ।

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ ଜିଲା ଅର୍ନ୍ତଗତ ରାଉରକେଲା ନିବାସୀ ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରି ନଥିବାରୁ ପ୍ରତିବାଦରେ ‘ଶ୍ରବଣ କୁମାର’ ଢ଼ଙ୍ଗରେ ପଦଯାତ୍ରାରେ ବାହାରିଥିଲେ ମୁକ୍ତିକାନ୍ତ । ନଭେମ୍ବର ୧୬ ତାରିଖରୁ ମୁକ୍ତିକାନ୍ତ ରାଉରକେଲାରୁ ଏହି ପଦଯାତ୍ରା ଆରମ୍ଭ କରିଥିବା ବେଳେ ଗତ କିଛି ଦିନ ତଳେ ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ । ମୁକ୍ତିକାନ୍ତ ୨୦୧୩ ମସିହାରେ ସରକାର କୋଏଲ ନଦୀରେ ବ୍ୟାରେଜ, ରାଉରକେଲା ରିଙ୍ଗରୋଡ, ରାଉରକେଲା ସରକାରୀ ଡାକ୍ତରଖାନାକୁ କ୍ୟାପିଟାଲ ହସ୍ପିଟାଲରେ ପରିଣତ କରିବା, ନୁଆଁ ଗାଁ ଓ ବିଶ୍ରା ଠାରେ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ତାହା ଆଜି ପର୍ଯ୍ୟନ୍ତ ପୂରଣ କରି ନାହାନ୍ତି । ଏଣୁ ମୁକ୍ତିକାନ୍ତ ଏହାର ପ୍ରତିବାଦରେ ଉକ୍ତ ପ୍ରକଳ୍ପ ଗୁଡିକର ମଡେଲ ଗୁଡିକୁ କାନ୍ଧରେ ବୋହି ନେଇ ପଦଯାତ୍ରା କରୁଛନ୍ତି ।

ବିଗତ ୨୦୧୮ ମସିହାରେ ମଧ୍ୟ ମୁକ୍ତିକାନ୍ତ ଏଭଳି ପଦଯାତ୍ରା କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଦାବି ଜଣାଇଥିଲେ । ୪ ବର୍ଷ ବିତିଯିବା ସତ୍ତ୍ବେ ସରକାର ରାଉରକେଲା ସହର ପାଇଁ ଘୋଷଣା କରିଥିବା ସବୁ ପ୍ରକଳ୍ପ ଗୁଡିକ ସରକାର ଆରମ୍ଭ କରି ନାହାନ୍ତି । ଏଣୁ ମୁକ୍ତିକାନ୍ତ ଭୁବନେଶ୍ୱର ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଏହି ପ୍ରକଳ୍ପ ଗୁଡିକର ମଡେଲ ଦେଖାଇ ଯଥାଶୀଘ୍ର କାର୍ଯ୍ୟାନ୍ୱୟନ ପାଇଁ ଦାବି କରିବେ ବୋଲି କହିଛନ୍ତି ।