ମୁମ୍ବାଇ : ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ମହାନାଟକ ମଧ୍ୟରେ ମହାରଷ୍ଟ୍ରକୁ ନୂଆ ମୁଖ୍ୟମନ୍ତ୍ରୀ ମିଳିଛି | ଶିବସେନା ବିଧାୟକ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି | ତେବେ ହଟାତ ଏକନାଥ ସିନ୍ଦେଙ୍କ ମୁଖ୍ୟମନ୍ତ୍ରୀ କରାଯିବା ନିଷ୍ପତ୍ତିକୁ ନେଇ ଅନେକ ବିଜେପି ଉପରେ ପ୍ରଶ୍ନ ଉଠାଇଥିବା ବେଳେ, ଏହାରି ମଧ୍ୟରେ ରହସ୍ୟ ଉପରୁ ପର୍ଦ୍ଦା ହଟାଇଛନ୍ତି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ |

ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ସେ ହିଁ ଏକନାଥଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତାବ ଦେଇଥିଲେ । ସେ ନିଜେ ଚାହିଁଥିଲେ ମୁଖ୍ୟମନ୍ତ୍ରୀ ହୋଇପାରିଥାନ୍ତେ । କିନ୍ତୁ ଆଦର୍ଶଗତ କାରଣରୁ ସେ ଏକନାଥଙ୍କ ନାଁ ପ୍ରସ୍ତାବ ଦେଇଥିଲେ । ଅନ୍ୟପକ୍ଷରେ ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କୁ ସରକାରରେ ସାମିଲ ହେବାକୁ କେନ୍ଦ୍ରୀୟ ନେତୃତ୍ବ ନିର୍ଦ୍ଦେଶ ଦେଇଥିଲେ । ସେ ସରକାରରେ ନ ରହିଲେ ସରକାର ଚାଲିବ ନାହିଁ ବୋଲି କେନ୍ଦ୍ରୀୟ ନେତୃତ୍ବଙ୍କ ହୃଦବୋଧ ହେବାପରେ ସେ ସରକାରରେ ସାମିଲ ହୋଇଥିଲେ ।

ଗତ ଗୁରୁବାର ସଂଧ୍ୟାରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଓ ବିଜେପିର ଦେବେନ୍ଦ୍ର ଫଡନବୀସ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ପୂର୍ବରୁ ଫଡନବୀସ ନିଜେ ଘୋଷଣା କରିଥିଲେ ଯେ ସରକାରରେ ସାମିଲ ହେବେ ନାହିଁ । କିନ୍ତୁ ପରେ ବିଜେପି ନେତୃତ୍ବ ତାଙ୍କୁ ବୁଝାଇବାରେ ସଫଳ ହୋଇଥିଲେ ।

ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ, ବୁଧବାର ରାତିରେ ଏକ ଫେସବୁକ ଲାଇଭ ମାଧ୍ୟମରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟର ନିଜର ଅଭିଭାଷଣ ରଖିବା ସହ ଉଦ୍ଧବ ଠାକରେ ଇସ୍ତଫା ଘୋଷଣା କରିଥିଲେ ।