‘ହକି ନୁହେଁ ଭାତ ଚାହୁଁ’; ଉଚ୍ଛେଦକୁ ବିରୋଧ କରି ରାଜଧାନୀରେ ଉଠାଦୋକାନୀଙ୍କ ଜୋରଦାର ବିକ୍ଷୋଭ

ଭୁବନେଶ୍ୱର,୩୧/୧୨(ସତ୍ୟପାଠ ବ୍ୟୁରୋ): ‘ହକି ନୁହେଁ ଭାତ ଚାହୁଁ’ କିଛି ଏଭଳି ସ୍ଲୋଗାନ ଦେଇ ହକି ବିଶ୍ୱକପ୍ ପାଇଁ ରାଜଧାନୀ ଭୁବନେଶ୍ବରରେ କରାଯାଉଥିବା ଉଚ୍ଛେଦ କାର୍ଯ୍ୟକୁ ବିରୋଧ କରିଛି ନିଖିଳ ଓଡ଼ିଶା ରାସ୍ତାପାର୍ଶ୍ବ ଉଠାଦୋକାନୀ ମହାସଂଘ। ସଂଘ ଅଭିଯୋଗ କରିଛି ଯେ, ହକି ପାଇଁ ଆମକୁ ଉଚ୍ଛେଦ କରି ହଜାର ହଜାର ପରିବାରର ରୋଜଗାର ଛଡାଇ ନେଉଛନ୍ତି ସରକାର। ଯିଏ ଦିନେ ଆମକୁ ବ୍ୟାଙ୍କ ସହ ବସାଇ ଲୋନ୍‌ କରାଇ ଦେଇଥିଲା ସେ ହିଁ ଡୋଜର୍‌ ଲଗାଇ ଆମ ବ୍ୟବସାୟ ଉଜାଡ଼ି ଦେଲାଣି। ଏବେ ଋଣ ସୁଝିବୁ କେମିତି? କରୋନା ତ’ ଯାହା କଲବଲ କଲା, ଏବେ ଡୋଜର ସର୍ବସ୍ବ ନେଇଗଲାଣି। ହକି ପାଇଁ ଯଦି ଏତେ ସବୁ ଯୋଗାଡ଼ ହେଉଛି ତେବେ ହଠାତ୍‌ ଉଚ୍ଛେଦ କାହିଁକି? ଯଥେଷ୍ଟ ସମୟ ପୂର୍ବରୁ ଅନ୍ୟ କେଉଁଠି ଥଇଥାନ କରି ଉଚ୍ଛେଦ କଲେନି କାହିଁକି? ଆଗ ଥଇଥାନ କରି ପ‌ରେ ଉଚ୍ଛେଦ କରିବାକୁ କହିଥିଲେ। ହେଲେ ଏବେ ସିଧା ଆସି ଦୋକାନ ଭାଙ୍ଗି ଦେଉଛନ୍ତି ।

ଏଭଳି ଅଭିଯୋଗ କରି ଆଜି ନିଖିଳ ଓଡ଼ିଶା ରାସ୍ତାପାର୍ଶ୍ବ ଉଠାଦୋକାନୀ ମହାସଂଘ ଶୁକ୍ରବାର ମାଷ୍ଟର କ୍ୟାଣ୍ଟିନ୍‌ରୁ ବାହାରି ବିଡିଏ କାର୍ଯ୍ୟାଳୟ ଘେରିବାକୁ ଯାଉଥିବା ବେଳେ ରାମମନ୍ଦିର ଛକରେ ସେମାନଙ୍କୁ ପୁଲିସ ଅଟକାଇଥିଲା। ସେଠାରୁ ଏକ ୧୩ ଜଣିଆ ପ୍ରତିନିଧି ଦଳ ବିଡିଏ ଯାଇ ଦାବିପତ୍ର ଦେଇଥିଲା। ସେଠାରେ ବିଏମସି ଡେପୁଟି କମିସନର ବିନୟ କୁମାର ଦାସ, ବିଡିଏ ଅତିରିକ୍ତ କମିସନର (ଏନଫୋର୍ସମେଣ୍ଟ) ହରିଶ୍‌ ଚନ୍ଦ୍ର ନାୟକ ଓ ଏସିପି (ଜୋନ୍‌-୧) ମାନସ ଗଡ଼ନାୟକଙ୍କ ସହିତ ଦୀର୍ଘ ୧ ଘଣ୍ଟା ଧରି ଆଲୋଚନା ହୋଇଥିଲା। ଆଲୋଚନାରେ ନିଷ୍ପତ୍ତି ହୋଇଥିଲା ଯେ, ରାସ୍ତାପାର୍ଶ୍ବ ଉଠାଦୋକାନୀଙ୍କୁ ଉଚ୍ଛେଦ କରାଯିବ ନାହିଁ। କେବଳ ଯେଉଁଠି ଜରୁରୀ ଥିବ ତାହା ଉଚ୍ଛେଦ କରାଯିବ। ସହରର ବିଭିନ୍ନ ସ୍ଥାନରେ ‌ଭେଣ୍ଡିଂ ଜୋନ୍‌ ନିର୍ମାଣ କରାଯାଇ ଏମାନଙ୍କୁ ଥଇଥାନ କରାଯିବ।

ବିଡିଏ, ବିଏମ୍‌ସି ଓ କମିସନରେଟ୍‌ ପୁଲିସକୁ ନେଇ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହେବ। ସଂଘ ସହ କର୍ତ୍ତୃପକ୍ଷଙ୍କର ନିୟମିତ ଆଲୋଚନା ହୋଇ ସମସ୍ୟାଗୁଡ଼ିକର ସମାଧାନ କରାଯିବ। ଏହି ନିଷ୍ପତ୍ତି ହେବା ସହ ଲିଖିତ ପ୍ରତିଶ୍ରୁତି ମିଳିବା ପରେ ଯାଇ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ମହାସଂଘର ସଭାପତି ପ୍ରତାପ କୁମାର ସାହୁଙ୍କ ନେତୃତ୍ବରେ ୫ଶହରୁ ଊର୍ଦ୍ଧ୍ବ ସଦସ୍ୟ ଏଥିରେ ସାମିଲ ହୋଇଥିଲେ। ମହାସଂଘ ବିଏମ୍‌ସି, ବିଡିଏ, ନବୀନ ନିବାସ, କଳିଙ୍ଗ ଷ୍ଟାଡିୟମ ଘେରାଉ କରିବା ପାଇଁ ଡାକରା ଦେଇଥିଲେ ମଧ୍ୟ ଆଜି ଲିଖିତ ପ୍ରତିଶ୍ରୁତି ମିଳିବା ପରେ ଘେରଉ କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଥିଲା। ଏହାକୁ ଅଟୋ ମହାସଂଘର ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ସାମଲ, ଅଶୋକ କୁମାର ନାୟକ, ଅନୁଜ କୁମାର ପ୍ରଧାନ, ସୂର୍ଯ୍ୟମଣି ସାହୁ, ବିପିନ ବିହାରୀ ଜେନା, ସତ୍ୟସୁନ୍ଦର ମହାନ୍ତି, ହେମନ୍ତ କୁମାର ନାୟକ, ଭାସ୍କର ଚନ୍ଦ୍ର ସୁନ୍ଦରାୟ, ବିନାୟକ ନାୟକ, ମନୋରଞ୍ଜନ ନାୟକ, ଅନୁ ମିଶ୍ର, ଶୁଭଲକ୍ଷ୍ମୀ ମହାନ୍ତି, ସୁରେଶ ପଟ୍ଟନାୟକ, ସୁଦର୍ଶନ ପୃଷ୍ଟି, ପ୍ରଦୀପ ସାବତ, ଶ୍ରୀଧର କୁଣ୍ଡ ପ୍ରମୁଖ ପରିଚ‌ାଳନା କରିଥିଲେ।

ମହାସଂଘର ଦାବି ମୁତାବକ, ଉଚ୍ଛେଦ ବନ୍ଦ କରିବା, ଉଚ୍ଛେଦ ଦୋକାନୀମାନଙ୍କୁ କ୍ଷତିପୂରଣ ଦେବା, ଉଚ୍ଛେଦ ସମୟରେ ଗାଳିଗୁଲଜ କରୁଥିବା ଅଧିକାରୀମାନଙ୍କୁ ଅପରାଧିକ ଆଇନ ଅନୁଯାୟୀ ଗିରଫ କରିବା, ସମ୍ବିଧାନର ଧାରା ୨୨, ୧୯ (୧) କୁ ସମ୍ମାନ ଦେବା, ଉଚ୍ଛେଦ ସମୟରେ ମାନବିକତା ଅବଲମ୍ବନ କରିବା, ହକି ଖେଳ ପାଇଁ ଉଚ୍ଛେଦ ହୋଇଥିବା ଦୋକାନୀମାନଙ୍କୁ ମାସକୁ ୨୦ ହଜାର ଟଙ୍କା ଆର୍ଥିକ ଅନୁଦାନ ଦେବା, ଉଚ୍ଛେଦ ହୋଇଥିବା ଦୋକାନୀମାନଙ୍କର ତାଲିକା ଆଧାରରେ ଏକମାସ ମଧ୍ୟରେ ଥଇଥାନ କରିବା, ଉଚ୍ଛେଦ ସମୟରେ ମହାସଂଘର କମିଟିକୁ ଡାକି ଆଲୋଚନା କରିବା, ଯେଉଁ ଜାଗାରେ ଭେଣ୍ଡିଂଜୋନ ତିଆରି କରାଯାଉଛି ପ୍ରଥମେ ସେହି ଅଞ୍ଚଳର ଉଠାଦୋକାନୀଙ୍କୁ ଅଗ୍ରାଧିକାର ଦେବା, ବିଡିଏ ସ୍କ୍ବାଡ୍‌ ସହ ମହାସଂଘର ସ୍କ୍ବାଡ୍‌କୁ ସାମିଲ୍ କରିବା ଆଦି ୧୨ ଦଫା ଦାବି ଉପରେ ଆଲୋଚନା କରାଯାଇଥିଲା।

Related Posts