ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗୁଜୁରାଟର ଉଧନା ରେଳ ଷ୍ଟେସନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ତେବେ ହଜାର ହଜାର ପ୍ରବାସୀ ଶ୍ରମିକ ଯୁଦ୍ଧ ମଧ୍ୟରେ ଗ୍ୟାସ ସଙ୍କଟକୁ ଦୃଷ୍ଟିରେ ରଖି ଘର ମୁହାଁ ହୋଇଛନ୍ତି। ଘରକୁ ଫେରିବା ପାଇଁ ଷ୍ଟେସନରେ ପ୍ରବାସୀ ଶ୍ରମିକଙ୍କ ପ୍ରବଳ ଗହଳି ଲାଗିବା ପରେ ପରିସ୍ଥିତି ଏପରି ବିଗିଡ଼ି ଯାଇଥିଲା ଯେ ଯାତ୍ରୀଙ୍କୁ ୧୪ ରୁ ୧୬ ଘଣ୍ଟା ପର୍ଯ୍ୟନ୍ତ ୨ କିଲୋମିଟର ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡ଼ିଥିଲା। ପ୍ରବଳ ଖରା ସାଙ୍ଗକୁ ଭୋବକଶୋଷରେ ଅନେକ ଯାତ୍ରୀଙ୍କ ଅବସ୍ଥା ଆହୁରି ଶୋଚନୀୟ ହୋଇପଡ଼ିଥିଲା। ଭିଡ଼ ଏତେ ଅଶାନ୍ତ ହୋଇଗଲା ଯେ ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା। ଜଣେ ଯାତ୍ରୀ ଭିଡ଼ ମଧ୍ୟ ଦେଇ ଦୌଡ଼ୁଥିବା ବେଳେ କ୍ୟାମେରା ଦେଖି ଅଟକି ଯାଇ ନିଜର ଯନ୍ତ୍ରଣା ବଖାଣି କହିଲେ, ମୁଁ ଆଉ କେବେ ଏଠାକୁ ଫେରିବି ନାହିଁ। ସେପଟେ ପ୍ରାରମ୍ଭରେ ୮,୦୦୦ ରୁ ଅଧିକ ଯାତ୍ରୀଙ୍କ ପାଇଁ କେବଳ ଦୁଇଟି ଟ୍ରେନ୍ ଉପଲବ୍ଧ ଥିଲା। ହଠାତ୍ ଭିଡ଼ ବଢ଼ି ଯାଇଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା। ରବିବାର ଦିନ, ପ୍ରାୟ ୨୧,୦୦୦ ଯାତ୍ରୀ କେବଳ ଉଧନା ଷ୍ଟେସନରୁ ଉତ୍ତର ପ୍ରଦେଶ, ବିହାର ଏବଂ ଝାଡ଼ଖଣ୍ଡ ଭଳି ରାଜ୍ୟକୁ ଯାତ୍ରା କରିଥିଲେ। ଟ୍ରେନରେ ଚଢ଼ିବା ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି କରିଥିଲା। ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ରେଳବାଇ ପୁଲିସ ଏବଂ ସ୍ଥାନୀୟ ପୁଲିସକୁ ହସ୍ତକ୍ଷେପ କରିବାକୁ ପଡିଥିଲା।
