ସମ୍ବଲପୁର: ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ ଆଣ୍ଡ ରିସର୍ଚ୍ (ଭିମସାର) ରେ ଆଇସିୟୁ ସୁବିଧାକୁ ନେଇ ଗମ୍ଭୀର ଅବ୍ୟବସ୍ଥା ସାମ୍ନାକୁ ଆସିଛି। ଗୁରୁତର ରୋଗୀମାନେ ଆବଶ୍ୟକ ଆଇସିୟୁ ବେଡ୍ ନ ପାଇ ଜୀବନ ସହ ସଂଘର୍ଷ କରୁଥିବା ଅଭିଯୋଗ ଉଠିଛି।ସରକାରୀ ନିୟମ ଅନୁଯାୟୀ, ଡାକ୍ତରଖାନାର ମୋଟ ବେଡ୍ର କମରେ କମ ୧୦ ପ୍ରତିଶତ ଆଇସିୟୁ ବେଡ୍ ରହିବା ଦରକାର। କିନ୍ତୁ ଭିମସାରରେ ୧ ହଜାରରୁ ଅଧିକ ବେଡ୍ ଥିବା ସତ୍ୱେ ଆଇସିୟୁ ବେଡ୍ ସଂଖ୍ୟା ୩ ପ୍ରତିଶତରୁ କମ୍ ରହିଛି।ପୂର୍ବରୁ ଏଠାରେ କେବଳ ୨୦ଟି ଆଇସିୟୁ ବେଡ୍ ଥିଲା। ପରେ ସୁପର ସ୍ପେସାଲିଟି ହସ୍ପିଟାଲ୍ ଆରମ୍ଭ ହେବା ପରେ ୪୦ଟି ଆଇସିୟୁ ବେଡ୍ ପାଇଁ ଅନୁମୋଦନ ମିଳିଥିଲା। ତଥାପି, ନିଯୁକ୍ତି ଓ ଆବଶ୍ୟକ ଭିତ୍ତିଭୂମିର ଅଭାବରୁ ସମସ୍ତ ବେଡ୍ କାର୍ଯ୍ୟକ୍ଷମ ହୋଇପାରିନାହିଁ। ବର୍ତ୍ତମାନ କେବଳ ୩୦ଟି ଆଇସିୟୁ ବେଡ୍ ଚାଲୁ ଅଛି।ଏହା ସହିତ, ଏହି ବେଡ୍ମାନଙ୍କ ମଧ୍ୟରୁ ୪ଟି ବେଡ୍ ଭିଆଇପି ପାଇଁ ସଂରକ୍ଷିତ ରହିଥିବାରୁ ସାଧାରଣ ରୋଗୀଙ୍କ ପାଇଁ ମାତ୍ର ୨୬ଟି ବେଡ୍ ଉପଲବ୍ଧ। ଏହା ଫଳରେ ଅନେକ ଗୁରୁତର ରୋଗୀଙ୍କୁ କଟକର ଏସ୍ସିବି ମେଡିକାଲ୍ କଲେଜ ଏଣ୍ଡ ହସ୍ପିଟାଲ କିମ୍ବା ବେସରକାରି ଡାକ୍ତରଖାନାକୁ ପଠାଯାଉଛି।ଶିଶୁ ଚିକିତ୍ସା କ୍ଷେତ୍ରରେ ପରିସ୍ଥିତି ଆହୁରି ଗୁରୁତର। ନବଜାତ ଶିଶୁ ପାଇଁ ଏସଏନସିୟୁ ଥିଲେ ମଧ୍ୟ, ଶିଶୁ ଆଇସିୟୁ ବେଡ୍ ସଂଖ୍ୟା କେବଳ ୫ଟି ରହିଛି, ଯାହା ଚାହିଦା ପୂରଣ ପାଇଁ ପ୍ରୟାପ୍ତ ନୁହେଁ।ଭିମସାରର ଭାରପ୍ରାପ୍ତ ନିର୍ଦ୍ଦେଶକ ଡାକ୍ତର ଲାଲମୋହନ ନାଏକ କହିଛନ୍ତି ଯେ, ନୂଆ ୧୦ଟି ଆଇସିୟୁ ବେଡ୍ ପାଇଁ କୋଠା ପାର୍ଟିସନ୍ କାମ ଚାଲିଛି ଏବଂ ଏହା ସମାପ୍ତ ହେଲେ ଶୀଘ୍ର ନୂଆ ବେଡ୍ଗୁଡ଼ିକ ଚାଲୁ କରାଯିବ।ତେବେ ପ୍ରଶ୍ନ ଉଠୁଛି, ଜନସାଧାରଣଙ୍କ ଜୀବନ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଏତେ ବିଳମ୍ବ କାହିଁକି? ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ତତ୍କାଳ ପଦକ୍ଷେପ ନେବାକୁ ସ୍ଥାନୀୟ ମହଳରୁ ଦାବି ଜୋରଦାର ହୋଇଛି।





