ଲକ୍ଷ୍ନୌ : ଚଳିତ ରାଷ୍ଟ୍ରପତି ନିର୍ବାଚନ ନେଇ ସମର୍ଥନ ଯୋଗାଡ ରେ ଲାଗିପଡିଛନ୍ତି ଦୁଇ ପ୍ରତିଦ୍ବନ୍ଦୀ ପ୍ରାର୍ଥୀ।ଗୁରୁବାର ଉତ୍ତରପ୍ରଦେଶରେ ନିର୍ବାଚନ ପ୍ରଚାର ପାଇଁ ପହଞ୍ଚିଥିବା ମିଳିତ ବିରୋଧୀଦଳଙ୍କ ପ୍ରାର୍ଥୀ ୟଶବନ୍ତ ସିହ୍ନା ସମାଜବାଦୀ ପାର୍ଟି (ସପା) କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହି ଅବସରରେ ସେ ନିର୍ବାଚନରେ ବିଜୟୀ ହେଲେ କେବଳ ଓ କେବଳ ସମ୍ବିଧାନ ପ୍ରତି ଉତ୍ତରଦାୟୀ ରହିବେ ବୋଲି କହିଛନ୍ତି। ସେ କହିଛନ୍ତି ଯେ ବିରୋଧୀ ଦଳ ମୋତେ ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ଲାଗି ପ୍ରାର୍ଥୀ କରିଛନ୍ତି। ଏଣୁ ଏଥିପ୍ରତି ଉତ୍ତରଦାୟୀ ରହିବି ବୋଲି ସେ ଦୃଢ ପ୍ରତିଶ୍ରୁତି ଦେଇଛନ୍ତି।
ସିହ୍ନା ଚଳିତ ରାଷ୍ଟ୍ରପତି ନିର୍ବାଚନକୁ ଦେଶରେ ଅସାଧାରଣ ବୋଲି କହିଛନ୍ତି। ଏହା ଏଥିପାଇଁ ଯେ ଦେଶ ଓ ସମାଜ ଏବେ ଅନେକ ଭାଗରେ ବିଭାଜିତ ହୋଇଯାଇଛି। ବଡ଼ ବଡ଼ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିରବ ରହୁଛନ୍ତି। ଦେଶରେ ଆଶାନ୍ତି ଓ ଅସାଧାରଣ ପରିସ୍ଥିତି ଉପୁଜିଛି। ସମ୍ବିଧାନର ମୂଲ୍ୟକୁ ସମାପ୍ତ କରାଯାଉଛି। ଯଦି ଏପରି ପରିସ୍ଥିତି ଜାରି ରହିଲା ତେବେ ଦିନେ ଦେଶରେ ସମ୍ବିଧାନ ଅର୍ଥହୀନ ହୋଇ ରହିଯିବ ବୋଲି କହିଛନ୍ତି।
ଲକ୍ଷ୍ନୌ ସହିତ ତାଙ୍କର ଗଭୀର ସମ୍ପର୍କଥିବା ସିହ୍ନା କହିଛନ୍ତି। ଏହି ଅବସରରେ ସେ ମୁଲାୟମ ସିଂହ ଯାଦବଙ୍କ ଦୀର୍ଘଜୀବନ କାମନା କରିଥିଲେ। ଚୌଧୁରୀ ଅଜିତ ସିଂହଙ୍କ ସହ ମଧ୍ୟ ତାଙ୍କର ଉତ୍ତମ ସମ୍ପର୍କଥିବା କହିଛନ୍ତି। ସ୍ୱର୍ଗୀୟ ଅଟଳ ବିହାରୀ ବାଜପେୟୀ ଲକ୍ଷ୍ନୌକୁ ତାଙ୍କର କର୍ମଭୂମି କରିଥିଲେ। ତେବେ ଦୁର୍ଭାଗ୍ୟର କଥା ତାଙ୍କ ପାର୍ଟି ଆଜି କେଉଁଠୁ କେଉଁଠିକୁ ପହଞ୍ଚିଯାଇଛି ବୋଲି କହିଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳଙ୍କ ପ୍ରାର୍ଥୀଙ୍କୁ ନିର୍ବାଚିତ କରିବା ପାଇଁ ସିହ୍ନା ନିବେଦନ କରିଥିଲେ। ତାଙ୍କର ଏହି କାର୍ଯ୍ୟକ୍ରମକୁ ସମର୍ଥନ କରି ରାଷ୍ଟ୍ରୀୟ ଲୋକଦଳ ବିଧାୟକଙ୍କୁ ନେଇ ଜୟନ୍ତ ଚୌଧୁରୀ ସପା କାର୍ଯ୍ୟାଳୟକୁ ଆସିଥିଲେ। ତେବେ ସପା ସହଯୋଗୀ ସୁହେଲଦେବ ଭାରତୀୟ ସମାଜପାର୍ଟି ବିଧାୟକମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ ।
