ଓଡ଼ିଶା ଦୁଇ ଭାଗ ହେଲେ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ; ପୁଣି ମନୋଜ ମିଶ୍ରଙ୍କ ସପକ୍ଷରେ ବାହାରିଲେ ନରସିଂହ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଓଲିଉଡରେ ଆରମ୍ଭ ହୋଇଥିବା କଳି ଥମିନଥିବା ବେଳେ ଅଭିନେତା ମନୋଜ ମିଶ୍ରଙ୍କ ସପକ୍ଷରେ ପୁଣି ବାହାରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର। ପ୍ରତିକ୍ରିୟା ରଖି ନରସିଂହ କହିଛନ୍ତି ଯେ, ପଶ୍ଚିମ ଓଡ଼ିଶାବାସୀଙ୍କ ଭାବାବେଗ ଉପରେ ବାରମ୍ବାର ଆଘାତ କରାଯାଉଛି। ପଶ୍ଚିମ ଓଡ଼ିଶା ପ୍ରତି ରାଜ୍ୟ ସରକାର ବୈମାତୃକ ମନୋଭାବ ପୋଷଣ କରିଛନ୍ତି। କୌଣସି ଦାବି ଶୁଣୁନାହାନ୍ତି। ପଶ୍ଚିମ ଓଡ଼ିଶାର କଳାକାରଙ୍କ ବିରୁଦ୍ଧରେ ଆକ୍ସନ ନିଆଗଲା। ମନୋଜ ମିଶ୍ର ତାଙ୍କ ମତ ସ୍ପଷ୍ଟ କରିଛନ୍ତି। ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। କିଛି କଳାକାର କହିଲେ ରାଜନୀତି ପଶିଗଲା। ରାଜନେତାଙ୍କ ଅଧିକାର ସବୁ ଘଟଣାରେ ପଶିବେ।

କଂଗ୍ରେସ ବିଧାୟକ ଦଳ ନେତା ଆହୁରି କହିଛନ୍ତି, ସୋସିଆଲ ମିଡିଆରେ ଦେଖନ୍ତୁ ନିଆଁ ଲାଗିଛି। ପୂର୍ବ ଓଡ଼ିଶା ଲୋକ ସୋସିଆଲ ମିଡିଆରେ ଯେମିତି ଗାଳି କରୁଛନ୍ତି, ନିଆଁରେ ଘିଅ ଢାଳୁଛନ୍ତି। ମୁଖ୍ୟମନ୍ତ୍ରୀ କଳାକାର କଳି ସମାଧାନ କରିବେ। ଯେଉଁ ମାନେ ବ୍ୟାନ୍ କରିଛନ୍ତି ବିନା ନୋଟିସରେ କରିଛନ୍ତି। ପ୍ରତ୍ୟାହାର କରିବେ କହୁଛନ୍ତି ସେଇଟା ଆଗ କରନ୍ତୁ, ବ୍ୟାନ୍ ବେଳେ ଡାକିଥିଲେ କି ମନୋଜ ମିଶ୍ରଙ୍କୁ ଆଲୋଚନା ପାଇଁ? ବିନା ନୋଟିସରେ ବ୍ୟାନ୍ କଲେ ତାହେଲେ ସମାଧାନ ବେଳେ ମନୋଜଙ୍କୁ ଡାକୁଛନ୍ତି କାହିଁକି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି। ସରକାର ନିଷ୍ପତ୍ତି ନେବେ ନହେଲେ ଜନ ସାଧାରଣ ନେବେ। ଜଣେ ନିଆଁ ଲଗାଇଦେବ, ଘର ପୋଡ଼ିଯିବ ସମାଧାନ କରିବ କିଏ? ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ କାହିଁକି ଚୁପ ବସିଛନ୍ତି? ମୁଖ୍ୟମନ୍ତ୍ରୀ ଚାଁହୁଛନ୍ତି ଓଡ଼ିଶା ଦୁଇ ଭାଗ ହେଇଯାଉ। ଯଦି ଓଡ଼ିଶା ଦୁଇ ଭାଗ ହେବ, ସେଥିଲାଗି ମୁଖ୍ୟମନ୍ତ୍ରୀ ଦାୟୀ ରହିବେ ବୋଲି ନରସିଂହ କହିଛନ୍ତି।

Related Posts