ଲଣ୍ଡନ୍‌: ଋଷ ଓ ୟୁକ୍ରେନ ଯୁଦ୍ଧ କୁ ନେଇ ପୁଣି ଥରେ ଋଷ ରାଷ୍ଟ୍ରପତି ପୁଟିନ୍‌ କୁ ଟାର୍ଗେଟ କଲେ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ବ‌ୋରିସ୍‌ ଜନ୍‌ସନ୍‌ । ସେ କହିଛନ୍ତି ଯଦି ପୁଟିନ ଜଣେ ନାରୀ ହୋଇଥିଲେ ୟୁକ୍ରେନ୍‌ ବିରୋଧରେ ଏତେ ଆଗ୍ରହରେ ଏଭଳି ମହାଯୁଦ୍ଧ ଆରମ୍ଭ କରି ନ ଥାନ୍ତେ ।

ଚଳିତ ସପ୍ତାହରେ ସ୍ଲୋସ୍‌ ଏଲ୍‌ମାଉରେ ଆୟୋଜିତ ‘ଜି-୭’ ଶିଖର ସମ୍ମିଳନୀ ଶେଷରେ ଜର୍ମାନ୍‌ ଗଣମାଧ୍ୟମ ସହିତ ସାକ୍ଷାତ୍‌କାର ବେଳେ ଜନ୍‌ସନ୍‌ କହିଛନ୍ତି, ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧର ଆଉ ଏକ କାରଣ ହେଉଛି ପୁଟିନଙ୍କ ପୁରୁଷପଣିଆର ଅହଂଭାବ।

ବୈଶ୍ବିକ ଶାନ୍ତି ନିମନ୍ତେ ଅଧିକ ମହିଳାଙ୍କୁ କ୍ଷମତାସୀନ କରିବା ଲାଗି ମଧ୍ୟ ଜନ୍‌ସନ୍‌ ଆହ୍ବାନ ଦେଇଛନ୍ତି।

ସମ୍ବାଦ ପ୍ରସାରଣ ସଂସ୍ଥାନ ‘ଜେଡ୍‌ଡିଏଫ୍‌’କୁ ଜନ୍‌ସନ୍‌ କହିଛନ୍ତି, ପୁଟିନ୍‌ ଯଦି ନାରୀ ହୋଇଥାଆନ୍ତେ, ଅବଶ୍ୟ ସେ ନାରୀ ନୁହନ୍ତି। କିନ୍ତୁ, ଯଦି ସେ ନାରୀ ହୋଇ ଥାଆନ୍ତେ, ଏଭଳି ଉତ୍ସାହ ଓ ପୁରୁଷପଣିଆର ଦାମ୍ଭିକତା ସହ ଆକ୍ରମଣ ଓ ହିଂସାକାଣ୍ଡ ଭିଆଲା ଭଳି ଯୁଦ୍ଧ ଆରମ୍ଭ କରି ଥାଆନ୍ତେ ବୋଲି ମୋର ମନେହୁଏ ନାହିଁ।

ସେ ଯାହା କରୁଛନ୍ତି ତାହା ଗୋଟାଏ ନିଖୁଣ ଧ୍ବଂସାତ୍ମକ ପୁରୁଷପଣିଆ ଦୃଷ୍ଟାନ୍ତ ବୋଲି ୬୯ ବର୍ଷିୟ ରୁଷୀୟ ରାଷ୍ଟପ୍ରତି ଭ୍ଲାଦିମିର୍‌ ପୁଟିନ୍‌ଙ୍କୁ ଉଦ୍ଦେଶ୍ୟ କରି ଜନ୍‌ସନ୍‌ କହିଛନ୍ତି।

ସେହିପରି, ଜର୍ମାନିରେ ‘ଜି-୭’ ଶିଖର ସମ୍ମଳନୀ ପ୍ରାରମ୍ଭରେ ବୋରିସ୍‌ ପୁଟିନଙ୍କୁ କୁଖ୍ୟାତ ଫୁଙ୍ଗୁଳା ଦେହ ଫଟୋକୁ ତାଚ୍ଛଲ୍ୟ କରି ମନ୍ତବ୍ୟ ଦେଇଥିଲେ।

ସେପଟେ, ବ୍ରିଟିସ୍‌ ସରକାରଙ୍କର ଜଣେ ମୁଖପାତ୍ର କହିଛନ୍ତି, ପୁଟିନ୍‌ ଯେ ପର୍ଯ୍ୟନ୍ତ ୟୁକ୍ରେନ୍‌ ଉପରେ ଆକ୍ରମଣ ଚଳାଇଥିବେ ରୁଷୀୟ ଯୁଦ୍ଧ ବ୍ୟବସ୍ଥାକୁ ଦୁର୍ବଳ କରିବା ଲାଗି ଆମେ କଟକଣା ବଳବତ୍ତର ରଖିବୁ ।