ବାଲୁଖଣ୍ଡ ଅଭୟାରଣ୍ୟରେ ଗଛ ସଫା ନାଁ ରେ ଚାଲିଛି ହରିଲୁଟ୍‌ : ୨୨ଲକ୍ଷ ଗଛ ଭାଙ୍ଗିଥିଲା, ଏବେ ବି ଉଠିନି ଭଙ୍ଗା ଗଛ , ଖର୍ଚ୍ଚ ହେଲାଣି ୬.୨୫ ‌କୋଟି

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ଗତ ଦୁଇବର୍ଷ ତଳେ ବାତ୍ୟା ‘ଫନି’ ଯୋଗୁଁ ହରିଣ ଅଭୟାରଣ୍ୟ ବାଲୁଖଣ୍ଡ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା। ଏହା ପ୍ରଳୟଙ୍କରୀ ବାତ୍ୟା ପ୍ରଭାବରେ ଅନେକ କିଛି କ୍ଷତିଗ୍ରସ୍ତ ହୋଇଥିଲା। ଅଭୟାରଣ୍ୟର ସବୁଜିମା ନଷ୍ଟ ସାଙ୍ଗକୁ , ଅନେକ ହରିଣ, ବାର୍‌ହା, ଓଧ, କୋକିଶିଆଳି ଭଳି ବନ୍ୟଜନ୍ତୁ ମଧ୍ୟ ପ୍ରାଣ ହରାଇଥିଲେ। ଲକ୍ଷ ଲକ୍ଷ ଗଛ ମଧ୍ୟ ଭାଙ୍ଗି ଯାଇଥିଲା। ତେବେ ଏହା ମଧ୍ୟରେ ବାତ୍ୟା ‘ଫନି’କୁ ତିନି ବର୍ଷ ପୂରିବାକୁ ବସିଥିବାବେଳେ ବାଲୁଖଣ୍ଡର ସ୍ଥିତି ପରିବର୍ତ୍ତନ ଘଟିନାହିଁ।  ପୂର୍ବଭଳି ଲକ୍ଷ ଲକ୍ଷ ଭଙ୍ଗା ଗଛ ବାଲୁଖଣ୍ଡ ଜଙ୍ଗଲ ଭିତରେ ପଡ଼ି ରହିଥିବାବେଳେ ବନ୍ୟଜନ୍ତୁଙ୍କ ପାଇଁ ଏହା ଘାତକ ସାଜିଛି। ଏପଟେ ଗଛ ସଫା କରିବା ନାଁରେ ଚାଲିଛି ହରିଲୁଟ୍ 

କିନ୍ତୁ ଓଡ଼ିଶା ବନ ନିଗମ ବାଲୁଖଣ୍ଡରୁ ଭଙ୍ଗା ଗଛ କଟା ନାଁରେ ପ୍ରାୟ ୬.୨୫ କୋଟି ଟଙ୍କା ରାଜ୍ୟ ରାଜକୋଷରୁ ନେଇ ସାରିଥିବା ଜଣାପଡିଛି। 

ଆରିଟିଆଇ ତଥ୍ୟରୁ ଏବେ ଚାଞ୍ଚଲ୍ୟକର ଖୁଲାସା ହୋଇଛି । ବଙ୍ଗୋପସାଗର କୂଳରେ ୮୭ ବର୍ଗ କିଲୋମିଟର ବ୍ୟାପ୍ତ ପୁରୀ-କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ହେଉଛି ପୂର୍ବ ଏସିଆର ଏକ ବିରଳ ଅଭୟାରଣ୍ୟ। ପ୍ରତି ବର୍ଷ ଏହାର ବିରଳ ଦୃଶ୍ୟକୁ ଉପଭୋଗ କରିବା ପାଇଁ ହଜାର ହଜାର ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। କିନ୍ତୁ ଫନି ଯୋଗୁଁ ଏହି ଅଭୟାରଣ୍ୟ ପୂର୍ବ ଗାରିମା ହରାଇବାକୁ ବସିଲାଣି।

ପ୍ରଳୟଙ୍କରୀ ବାତ୍ୟା ପରେ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଅନୁଧ୍ୟାନ କରି ଫେରିବା ପରେ ବାଲୁଖଣ୍ଡର ପୁନରୁଦ୍ଧାର ପ୍ରସଙ୍ଗ ଉଠାଇଥିଲେ। ଜଙ୍ଗଲ ମନ୍ତ୍ରୀ ବି ବାଲୁଖଣ୍ଡରୁ ତତ୍କାଳ ଭଙ୍ଗାଗଛ କାଟି ବାହାର କରାଯିବା ସହ ସବୁଜିମା ଫେରାଇ ଆଣିବାକୁ ବନୀକରଣ ସର୍ବାଧିକ ଗୁରୁତ୍ବ ଦିଆଯିବ ବୋଲି କହିଥିଲେ। ସେ ସମୟରେ ବାଲୁଖଣ୍ଡ ଅଭୟାରଣ୍ୟରୁ ବିଭିନ୍ନ ପ୍ରଜାତିର ପ୍ରାୟ ୨୨ ଲକ୍ଷ ଗଛ ଭାଙ୍ଗିଥିବା ପ୍ରାଥମିକ ଆକଳନ ହୋଇଥିଲା। ତେଣୁ ନଷ୍ଟ ହୋଇଥିବା ସବୁଜିମା ଫେରାଇ ଆଣିବାକୁ ଏହାର ଦୁଇଗୁଣା ଗଛ ଲଗାଇବାକୁ ସରକାର ଘୋଷଣା କରିଥିଲେ। 

ତେବେ ଏହି ଘୋଷଣାକୁ ଦୁଇ ବର୍ଷ ବିତିଥିଲେ ବି ବାଲୁଖଣ୍ଡର ଚିତ୍ର କିନ୍ତୁ ବଦଳି ପାରିନାହିଁ । ଭଙ୍ଗାଗଛ ସବୁ ଏଣେତେଣେ ପଡିଛି। ଆରଟିଆଇ ତଥ୍ୟରୁ ଜଣାପଡ଼ିଛି ଯେ , ବାଲୁଖଣ୍ଡ ଅଭୟାରଣ୍ୟରୁ ଭଙ୍ଗା ଗଛ ସବୁ କାଟିବା ପାଇଁ ଓଡ଼ିଶା ବନ ନିଗମକୁ ୬ କୋଟି ୨୫ ଲକ୍ଷ ୨୦ହଜାର ୬୨୪ ଟଙ୍କା ଦିଆଯାଇଛି ଏବଂ ଓଡ଼ିଶା ବନ ନିଗମ ଭୁବନେଶ୍ବର କଟିଂ ଡିଭିଜନ୍‌କୁ ଏହି ଟଙ୍କା ଦିଆଯାଇଛି। ଏହି ଟଙ୍କା ଭୁବନେଶ୍ବର କଟିଂ ଡିଭିଜନ୍‌ର ଡିଭିଜନାଲ୍‌ ମ୍ୟାନେଜର ରୁଦ୍ରମଣି ସାହୁଙ୍କ କାର୍ଯ୍ୟକାଳ ଭିତରେ ପ୍ରଦାନ କରାଯାଇଥିବା ନେଇ ଓଡ଼ିଶା ବନ ନିଗମ ଆରଟିଆଇରେ ଏହି ତଥ୍ୟ ଦେଇଛି। 

Related Posts