ନୂଆବର୍ଷରେ ମେଟ୍ରୋ ରେଳ ପ୍ରକଳ୍ପ ଶିଳାନ୍ୟାସ, ୫୯୨୯ କୋଟିର ଡିପିଆର୍ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବହୁ ପ୍ରତୀକ୍ଷିତ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପକୁ ରାଜ୍ୟ ସରକାର ନିଜ ଖର୍ଚ୍ଚରେ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୫୯୨୯କୋଟି ଖର୍ଚ୍ଚ ହେବ ଆକଳନ କରାଯାଇଛି। ବିସ୍ତୃତ ପ୍ରକଳ୍ପ ରିପୋର୍ଟ ବା ଡିପିଆର୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ସରକାର ସ୍ଥିର କରିଛନ୍ତି ଯେ ୨୦୨୪ ମସିହା ଜାନୁଆରି ୧ (ନୂଆବର୍ଷ)ରେ ମୁଖ୍ୟମନ୍ତ୍ରୀ ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ କରିବେ।

୪ବର୍ଷରେ ଅର୍ଥାତ୍ ୨୦୨୮ରେ ଏହି ପ୍ରକଳ୍ପ ନିର୍ମାଣ ଶେଷ ହେବ। ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ପ୍ରଥମ ପର୍ଯ୍ୟାୟରେ ତ୍ରିଶୁଳିଆ ଛକରୁ ଭୁବନେଶ୍ବର ବିମାନବନ୍ଦର ପର୍ଯ୍ୟନ୍ତ ନିର୍ମାଣ ହେବ। ମୁଖ୍ୟମନ୍ତ୍ରୀ ଏହାର ସମୀକ୍ଷା କରିଛନ୍ତି। ଏହାକୁ ୫-ଟି ନୀତିରେ ନିର୍ମାଣ କରିବାକୁ ସ୍ଥିର କରାଯାଇଛି। ଚଳିତ ଅତିରିକ୍ତ ବଜେଟ୍‌ରେ ଏଥିପାଇଁ ୨୧୦କୋଟି ବରାଦ ହୋଇଥିବାରୁ ଏହି ପ୍ରକଳ୍ପ କାମ ଜାନୁଆରି ମାସରୁ ହିଁ ଆରମ୍ଭ ହେବ। ଏହି ପ୍ରକଳ୍ପ ପାଇଁ କିପରି ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ଏବଂ ବିଭିନ୍ନ କାର୍ଯ୍ୟ ତ୍ବରାନ୍ବିତ କରାଯାଇପାରିବ, ସେଥିପାଇଁ ଉନ୍ନୟନ କମିସନର ଅନୁ ଗର୍ଗଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି।

ମେଟ୍ରୋ ରେଳ ତ୍ରିଶୁଳିଆରୁ ଆରମ୍ଭ ହୋଇ ନନ୍ଦନକାନନ, କିଟ୍‌ ଛକ, ଡମଣା, ଜୟଦେବବିହାର, ବାଣୀବିହାର, ରାମମନ୍ଦିର, ଭୁବନେଶ୍ବର ରେଳ ଷ୍ଟେସନ, ବାପୁଜୀ ନଗର, ଶିଶୁ ଭବନ, କ୍ୟାପିଟାଲ ହସ୍ପିଟାଲ ହୋଇ ବିମାନବନ୍ଦର ନିକଟରେ ପହଞ୍ଚିବ। ଏଥିରେ ୨୦ଟି ଷ୍ଟେସନ ରହିବ। ମେଟ୍ରୋ ଚଳାଚଳ କଲେ ବି ଯେପରି ଅନ୍ୟ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେବନାହିଁ, ସେଥିପାଇଁ ଏହାକୁ ଏଲିଭେଟେଡ୍‌ ଡିଜାଇନ୍‌ରେ ନିର୍ମାଣ କରାଯିବ। ଅର୍ଥାତ୍ ରାସ୍ତା ପାର୍ଶ୍ବରେ କିମ୍ବା ମେଡିଆନ୍‌ ଉପରେ ସୁଉଚ୍ଚ ଫ୍ଲାଏଓଭର ଡିଜାଇନ୍‌ର ରେଳ ଧାରଣା ବିଛାଯିବ। ଏହି ପ୍ରକଳ୍ପ ଯେପରି ୪୮ମାସରେ ଶେଷ ହେବ ସେଥିପାଇଁ ସମସ୍ତ ବିଭାଗ ସମନ୍ବୟ ରଖି କାମ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ଓଡ଼ିଶା ପାଇଁ ଏକ ଲ୍ୟାଣ୍ଡମାର୍କ ପ୍ରକଳ୍ପ ହେବ। ଭୁବନେଶ୍ବର ମେଟ୍ରୋ ରେଳ ସେବା ଯୋଗାଇବାରେ ଦେଶର କେତେକ ବଡ଼ ସହର ତାଲିକାରେ ଯୋଡ଼ିହେବ। ଏହାଦ୍ବାରା ସାଧାରଣ ପରିବହନ ବ୍ୟବସ୍ଥା ସୁଦୃଢ ହେବ ଏବଂ ଅର୍ଥନୈତିକ ବିକାଶ ହେବ। ମୁଁ ନିଶ୍ଚିତ ଯେ ଏହି ମେଗା ପ୍ରକଳ୍ପ ହେବା ପରେ ଭୁବନେଶ୍ବର ଦେଶର ବାସୋପଯୋଗୀ ସହର ତାଲିକାରେ ଶୀର୍ଷରେ ରହିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ ପାଣ୍ଡିଆନ କହିଥିଲେ ଯେ ବହୁତ କ୍ଷେତ୍ର ପରିଦର୍ଶନ କରିବା ପରେ ମେଟ୍ରୋ ଚଳାଚଳ କରିବା ପାଇଁ ଏହି ରୁଟ୍ ବଛାଯାଇଛି। ଏହାଦ୍ବାରା ମୁଖ୍ୟ ରାସ୍ତାରେ ଭିଡ଼ କମିବ ଏବଂ ଭୁବନେଶ୍ବର-କଟକ ମଧ୍ୟରେ ଦୈନିକ ଯାତାୟତ କରୁଥିବା ଲୋକମାନେ ଉପକୃତ ହେବେ। ପରବର୍ତ୍ତୀ ସମୟରେ ଏହା ଭୁବନେଶ୍ବର ଭିତରେ ଏବଂ ବାହାରେ ଅନ୍ୟାନ୍ୟ ଜନବହୁଳ ଅଞ୍ଚଳକୁ ସମ୍ପ୍ରସାରଣ ହେବ। ଏହି ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ଉନ୍ନୟନ କମିସନର ଅନୁ ଗର୍ଗ, ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି. ମାଥିଭାଥନନ୍ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Related Posts