ଭୋଗରାଇ : ସାଙ୍ଗ ସାଥି ହୋଇ ବୁଲିବାକୁ ଆସିବା ପାଲଟିଗଲା ଶେଷ ଯାତ୍ରା । ହସ ଓ ଖୁସିର ମାହୋଲ ରେ କ୍ଷଣିକ ମଧ୍ୟରେ ଖେଳି ଗଲା ଦୁଃଖର ବାଦଲ । ଦିଘା ସମୁଦ୍ରରେ ଗାଧୋଉଥିବା ବେଳେ ଏକ ବଡ଼ ଅଘଟଣ ଘଟିଛି । ବଜ୍ରାଘାତରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ୪ ଜଣ ଗୁରୁତର ଆହତ ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ, ପବିତ୍ର ରଥଯାତ୍ରାରେ ଛୁଟି ଦିନରେ କୋଲକତାରୁ ୬ଜଣ ସାଙ୍ଗ ଦିଘା ବୁଲିବାକୁ ଆସିଥିଲେ । ଦିଘା ଖଣିକା ଘାଟରେ ଗାଧୋଉଥିବା ବେଳେ ଝିପିଝିପି ବର୍ଷା ଲାଗି ରହିଥିଲା । ୪ ଜଣ ସାଙ୍ଗ ଗାଧୋଇବା ପରେ ଉପରକୁ ଆସିଥିଲା ବେଳେ ହଠାତ ବିଜୁଳି ମାରିଥିଲା । ଦୁଇ ସାଙ୍ଗ ୨୪ ବର୍ଷ ବୟସ୍କ ସଂଗ୍ରାମ ପାଳ ଓ ୨୬ ବର୍ଷ ବୟସ୍କ ଶୁଭଜିତ ପାଳ ସେଠାରେ ଟଳି ପଡିଥିଲେ । ଅନ୍ୟ ସମସ୍ତେ ଅଚେତ ହୋଇଯାଇଥିଲେ । ତୁରନ୍ତ ସେମାନଙ୍କୁ ଦିଘା ହସ୍ପିଟାଲକୁ ପଠାଯାଇଥିଲା । ମାତ୍ର ଡାକ୍ତର ସେଠାରେ ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଦୁଇ ଜଣ ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ହାଲିସହର ଓ ନଦିଆ ଜିଲ୍ଲାର କଲ୍ୟାଣୀ ଗ୍ରାମର ବାସିନ୍ଦା ବୋଲି ଜଣାପଡିଛି ।
