ଭାରତ ଏକ ଗଣତାନ୍ତ୍ରିକ ଦେଶ ଯାହା ଆଇନ ଦ୍ୱାରା ପରିଚାଳିତ, ଶାସ୍ତ୍ର ଦ୍ୱାରା ନୁହେଁ : ଉତ୍ତରାଖଣ୍ଡ ହାଇକୋର୍ଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କୋଭିଡ ମହାମାରୀ ସମୟରେ ଉତ୍ତରାଖଣ୍ଡ ସରକାରଙ୍କ ଦ୍ୱାରା ଚାରି ଧାମ ଯାତ୍ରା ନିଷ୍ପତ୍ତି ଉପରେ ରୋକ୍ ଲଗାଇଛନ୍ତି ହାଇକୋର୍ଟ । ଚାରିଧାମ ଯାତ୍ରା ଉପରେ ରୋକ୍ ଲଗାଇବା ସହ ଶ୍ରଦ୍ଧାଳଙ୍କୁ ପାଇଁ ଅନ୍ ଲାଇନ ଲାଇଭ୍ ଷ୍ଟ୍ରିମିଂ କରିବାକୁ ହାଇକୋର୍ଟ ଉତ୍ତରାଖଣ୍ଡ ସରକାରଙ୍କୁ ପରାମର୍ଶ ଦେଇଥିଲେ । କିନ୍ତୁ ଆଜି ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ଏସ୍ ବାବୁଲକର କହିଛନ୍ତି ଶାସ୍ତ୍ର ଅନୁଯାୟୀ ଅନ୍ ଲାଇନ୍ ଷ୍ଟ୍ରିମିଂ ପାଇଁ ଅନୁମତି ଦିଆଯାଇ ନପାରେ ।
ଏହାପରେ କୋର୍ଟ ଜବାବରେ କହିଛନ୍ତି, ଭାରତ ଆଇନ ଦ୍ୱାରା ପରିଚାଳିତ, ଶାସ୍ତ୍ର ଦ୍ୱାରା ନୁହେଁ। ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଆରଏସ ଚୌହ୍ୱାନ ଏବଂ ଜଷ୍ଟିସ ଆଲୋକ କୁମାର ବର୍ମାଙ୍କ ଏକ ବେଞ୍ଚ ଏହି ମାମଲାର ଶୁଣାଣି କରି ଆଡଭୋକେଟ ଜେନେରାଲଙ୍କୁ ପ୍ରଶ୍ନ କରିଛନ୍ତି ଯେ ଆଇଟି ଆକ୍ଟରେ କେଉଁଠାରେ ଉଲ୍ଲେଖ ରହିଛି ଯେ ମନ୍ଦିରରୁ ଲାଇଭ ଷ୍ଟ୍ରିମିଂ କରାଯାଇ ପାରିବ ନାହିଁ। ଏଥିସହିତ ଆଡଭୋକେଟ ଜେନେରାଲଙ୍କୁ ଧାର୍ମିକ ଯୁକ୍ତି ନରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଆଡଭୋକେଟ ଜେନେରାଲ ହାଇକୋର୍ଟଙ୍କୁ କହିଥିଲେ ଯେ, ” ହିନ୍ଦୁ ଶାସ୍ତ୍ର ରୀତିନୀତିର ଲାଇଭ୍ ଷ୍ଟ୍ରିମିଂକୁ ଅନୁମତି ଦିଅନ୍ତି ନାହିଁ ।” ଆଡଭୋକେଟ ଜେନେରାଲ କହିଛନ୍ତି ଯେ ଲାଇଭ୍ ଷ୍ଟ୍ରିମିଂ ଅନୁମତି ଦିଆଯିବ କି ନାହିଁ ଦେବସ୍ଥାନମ୍ ବୋର୍ଡ ଚୂଡ଼ାନ୍ତ ନିଷ୍ପତ୍ତି ନେବ । ସେ ଏହା ମଧ୍ୟ କହିଛନ୍ତି ଯେ କିଛି ଚାର୍ ଧାମ ପୁରୋହିତଙ୍କ ଅନୁଯାୟୀ ହିନ୍ଦୁ ଶାସ୍ତ୍ର ଅନୁଯାୟୀ, ରୀତିନୀତିର ଲାଇଭ୍ ଷ୍ଟ୍ରିମିଂକୁ ଅନୁମତି ଦିଅନ୍ତି ନାହିଁ। ଅଦାଲତ କହିଛନ୍ତି ଯେ ଯଦି ଦେବସ୍ଥାନମ୍ ବୋର୍ଡ଼ ଲାଇଭ୍ ଷ୍ଟ୍ରିମିଂକୁ ଅନୁମତି ନଦେବାକୁ ନିଷ୍ପତ୍ତି ନିଏ, ତେବେ ସେମାନେ ନିଶ୍ଚିତ କରିବାକୁ ପଡିବ ଯେ କେଉଁ ଶାସ୍ତ୍ରରେ ଏହା ଉଲ୍ଲେଖ ରହିଛି ଯେ ଏପରି ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରିବାକୁ ଅନୁମତି ଦିଆଯାଇ ପାରିବ ନାହିଁ।
ଏବଂ ଜୁଲାଇ ୨୮ ରେ ପରବର୍ତ୍ତୀ ଶୁଣାଣି ସମୟରେ ଦେବସ୍ଥାନମ୍ ବୋର୍ଡ ଗ୍ରହଣ କରିଥିବା ନିଷ୍ପତ୍ତି ବିଷୟରେ କୋର୍ଟଙ୍କୁ ଜଣାଇବାକୁ ଏଜିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମଙ୍ଗଳବାର ଉତ୍ତରାଖଣ୍ଡ ସରକାର ସୁପ୍ରିମକୋର୍ଟରେ ଏକ ସ୍ପେଶାଲ ଲିଭ ପିଟିସନ ଦାଖଲ କରିଛନ୍ତି। ଉତ୍ତରାଖଣ୍ଡ ସରକାର ଦ୍ୱାରା ଚାରି ଧାମ ଯାତ୍ରା ଉପରେ ଯେଉଁ ରୋକ୍ ଲଗାଇଛି ତାକୁ ନେଇ ଉତ୍ତରାଖଣ୍ଡ ସରକାର ଏସପିଏଲ ଦାଖଲ କରିଛନ୍ତି। ଜୁନ୍ ୨୮ରେ ହାଇକୋର୍ଟ ଉତ୍ତରାଖଣ୍ଡ ସରକାରଙ୍କ ସୀମିତ ସଂଖ୍ୟକ ତୀର୍ଥଯାତ୍ରୀଙ୍କ ସହ ଏହି ଯାତ୍ରାକୁ ଅନୁମତି ଦେବା ପାଇଁ କ୍ୟାବିନେଟ ନେଇଥିବା ନିଷ୍ପତ୍ତି ଉପରେ ରୋକ୍ ଲଗାଇଥିଲେ। ମୁଖ୍ୟତଃ କୋଭିଡ୍ ପାଇଁ ସରକାରଙ୍କ ଦୁର୍ବଳ ସ୍ବାସ୍ଥ୍ୟ ଭିତ୍ତିଭୂମି ପାଇଁ ରୋକ୍ ଲଗାଇଥିଲେ। ଜୁଲାଇ ୨୮ ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Related Posts