ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ରୁଷ ଓ ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ ଚାଲିଛି । ଉଭୟ ଦେଶ ପରସ୍ପରକୁ କଡ଼ା ଟକ୍କର ଦେବାରେ ଲାଗିଛନ୍ତି । ଏହା ମଧ୍ୟରେ ୟୁକ୍ରେନରେ ପ୍ରଥମଥର ପାଇଁ ଜଣେ ଭାରତୀୟ ଛାତ୍ର ରୁଷ ସୈନିକଙ୍କ ବୋମାମାଡ଼ରେ ମୃତ୍ୟୁବରଣ କରିଥିବାର ଖବର ସାମ୍ନାକୁ ଆସିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ମୃତ ଛାତ୍ରଙ୍କ ନାମ ନବୀନ ଥିବାବେଳେ ସେ କର୍ଣ୍ଣାଟକର ବୋଲି ଜଣାପଡ଼ିଛି । ଏନେଇ ଟୁଇଟ କରି ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଜଣାଇଛନ୍ତି । ୟୁକ୍ରେନର ଖାରକ୍ରିଭ୍ ସହର ଓ ଅନ୍ୟ ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ଫସିରହିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ନିରାପଦ ଉଦ୍ଧାର ପାଇଁ ଭାରତ ସରକାର ଉଭୟ ରୁଷିଆ ଓ ୟୁକ୍ରେନ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗରେ ଅଛନ୍ତି ।
ସେହିପରି ୟୁକ୍ରେନ ଓ ରୁଷିଆରେ ଥିବା ଭାରତୀୟ ରାଷ୍ଟ୍ରଦୂତମାନେ ବି ଭାରତୀୟ ଛାତ୍ରଛାତ୍ରୀଙ୍କ ନିରାପଦ ଉଦ୍ଧାର ପାଇଁ ଉଦ୍ୟମରତ ଅଛନ୍ତି । ସେପଟେ ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ୟୁକ୍ରେନର ପଡ଼ୋଶୀ ଦେଶ ପୋଲାଣ୍ଡ ଓ ରୁମାନିଆ ଦେଇ ଭାରତ ସରକାର ଉଦ୍ଧାର କରୁଛନ୍ତି । ଏଥିପାଇଁ ଭାରତ ସରକାର ୪ ଜଣ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ହରଦୀପ ପୁରୀ, କିରେନ ରିଜିଜୁ ଓ ଜେନେରାଲ ଭିକେ ସିଂଙ୍କୁ ୟୁକ୍ରେନର କେତେକ ପଡ଼ୋଶୀ ଦେଶ ହଙ୍ଗେରୀ, ସ୍କୋଭାକିଆ, ମାଲଡୋଭା, ରୋମାନିଆ ଓ ପୋଲାଣ୍ଡକୁ ପଠାଇଛନ୍ତି ।





