ଭାରତୀୟମାନେ ଅଧିକ ଲାଞ୍ଚୁଆ

ଭାରତୀୟମାନେ ଅଧିକ ଲାଞ୍ଚୁଆ । ଦେଶରେ ପ୍ରତି ଦୁଇ ଜଣରେ ଜଣେ ଲାଞ୍ଚ ଦେବାକୁ ପସନ୍ଦ କରୁଛନ୍ତି । ଇଣ୍ଡିଆ କରପସନ୍ ସର୍ଭେ ରିପୋର୍ଟରେ ଏଭଳି ସାଙ୍ଘାତିକ ତଥ୍ୟ ପଦାକୁ ଆସିଛି । ତେବେ ଆଶ୍ବାସନାର କଥା ହେଲା ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଏହି ସଂଖ୍ୟା କିଛି ମାତ୍ରାରେ କମିଛି । ସର୍ଭେ ଅନୁସାରେ ଏବେ ମଧ୍ୟ 50 ପ୍ରତିଶତ ଭାରତୀୟ ସ୍ବୀକାର କରନ୍ତି ଯେ, ସେମାନେ ସହଜରେ କାମ ହାସଲ କରିବାକୁ ଲାଞ୍ଚ ଦେଇଥାନ୍ତି । 2019ରେ ଜମି ପଞ୍ଜୀକରଣ ମାମଲାରେ ଅଧିକ ଲାଞ୍ଚ ଦିଆଯାଇଥିଲା ଜଣାପଡ଼ିଛି । 11ଟି ରାଜ୍ୟରେ ଜମି ମାମଲା ନେଇ ସବୁଠୁ ଅଧିକ ଲାଞ୍ଚ ଦିଆଯାଇଛି । ଏ କ୍ଷେତ୍ରରେ  ରାଜସ୍ଥାନର ସ୍ଥାନ ପ୍ରଥମ ।  6ଟି ରାଜ୍ୟରେ ପୋଲିସ ବିଭାଗରେ ସର୍ବାଧିକ ଲାଞ୍ଚ ନିଆଯାଇଥିବା ସର୍ଭେ ରିପୋର୍ଟରୁ ଜଣାପଡ଼ିଛି । ମଧ୍ୟପ୍ରଦେଶ ଏକମାତ୍ର ରାଜ୍ୟ ଯେଉଁଠି  ପୌରପାଳିକା ଓ  ନଗର ନିଗମରେ ସର୍ବାଧିକ ଲାଞ୍ଚ କାରବାର ହୋଇଥିବା ସାମ୍ନାକୁ ଆସିଛି ।

ଲୋକାଲ୍ ସର୍କସ ଓ ଟ୍ରାନ୍‌ସପରେନ୍‌ସି ଇଣ୍ଟରନ୍ୟାସନ୍‌ଲ ଇଣ୍ଡିଆ ଦ୍ବାରା 20ଟି ରାଜ୍ୟରେ କରାଯାଇଥିଲା ଏହି ‘ଇଣ୍ଡିଆ କରପସନ୍ ସର୍ଭେ’ । ଏଥିରେ ଏକ ଲକ୍ଷ 90 ହଜାର ଲୋକଙ୍କ ମତାମତ ନିଆଯାଇଥିଲା । ସେଥିରୁ ଅଧିକାଂଶଙ୍କ ମାନିବା କଥା ହେଲା ଯେ କାମ ହେବା ଆଶ୍ବାସନା ଅଧିକ ଥିବାରୁ ଲାଞ୍ଚ ଦିଆଯାଉଛି । ଭ୍ରଷ୍ଟାଚାର ଉପରେ କମ୍‌ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କଥା ମଧ୍ୟ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି ।

ତେବେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଲାଞ୍ଚ ପରିମାଣ ସାମାନ୍ୟ ହ୍ରାସ ପାଇଛି । ରିପୋର୍ଟ ଅନୁସାରେ 2017ରେ 12 ମାସରେ 25 ପ୍ରତିଶତ ଲୋକ ଏକାଧିକ ବାର ଲାଞ୍ଚ ଦେଇଥିବା ବେଳେ 2018ରେ 27 ପ୍ରତିଶତ ଲୋକ ଲାଞ୍ଚ ଦେଇଥିଲେ ।  2019ରେ କିନ୍ତୁ ଏହି ସଂଖ୍ୟା 24 ପ୍ରତିଶତରେ ସୀମିତ ରହିଛି । ଯାହା ପୂର୍ବ ବର୍ଷ ଅପେକ୍ଷା ସାମାନ୍ୟ କମ୍ ଅଛି । ସର୍ଭେ ଅନୁସାରେ ସାମଗ୍ରିକ ଭାବେ ଗତ ବର୍ଷ ତୁଳନାରେ  ଏ ବର୍ଷ ଲାଞ୍ଚ କାରବାର 10 ପ୍ରତିଶତ ହ୍ରାସ ପାଇଛି । ଓଡ଼ିଶା ସମେତ ଦିଲ୍ଲୀ, ହରିୟାଣା, ଗୁଜରାଟରେ ଅପେକ୍ଷାକୃତ କମ ଲାଞ୍ଚ ମାମଲା ସାମ୍ନାକୁ ଆସିଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ,  ନଗଦ ଆକାରରେ ଲାଞ୍ଚ ନେବାକୁ ଅଧିକାଂଶ ବେଶୀ ପସନ୍ଦ କରୁଥିବା ଜଣାପଡ଼ିଛି । ଯାହା ଆଗାମୀ ପିଢ଼ି ପାଇଁ ଭୟଙ୍କର ରୂପ ନେବ ଏବଂ ଏକ ସୁସ୍ଥ ସାମାଜିକ ବାତାବରଣକୁ ଖରାପ କରିଦେବ ବୋଲି କୁହାଯାଉଛି ।


 

Related Posts