
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନା ମହାମାରୀରେ ଭାରତୀୟ ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ କରିଛି। ସୋମବାର ଦିନ NSO ଦ୍ବାରା ଜାରି ୨୦୨୦-୨୧ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟ ମାସିକ (ଜାନୁଆରୀରୁ ମାର୍ଚ୍ଚ) ପାଇଁ ଭାରତର ମୋଟ ଘରୋଇ ଉତ୍ପାଦ ୧.୬% ବୃଦ୍ଧି ପାଇଥିବା ବେଳେ ଆର୍ଥିକ ବର୍ଷ ପାଇଁ ଅଭିବୃଦ୍ଧି ହାର -୭.୩% କୁ ହ୍ରାସ ପାଇଛି । ବିଗତ ଚାରି ଦଶନ୍ଧି ମଧ୍ୟରେ ଏହା ସବୁଠାରୁ ଖରାପ ପ୍ରଦର୍ଶନ। କୋଭିଡ୍ ମହାମାରୀର ଦ୍ୱିତୀୟ ଲହର ଯୋଗୁଁ ଅର୍ଥନୀତିଜ୍ଞମାନେ ଏହି ତ୍ରୟ ମାସରେ ଚିନ୍ତା ପ୍ରକଟ କରିଥିଲେ। COVID-19 ମହାମାରୀ ପୂର୍ବରୁ ୨୦୧୯-୨୦ରେ ଜିଡିପି ଅଭିବୃଦ୍ଧି ହାର ୪% ଥିଲା । ଏହା ମଧ୍ୟ ୧୧ ବର୍ଷ ମଧ୍ୟରେ ସବୁଠାରୁ କମ। ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ କ୍ୱାର୍ଟରରେ ଜିଡିପି ମାଇନସ୍ ୨୪.୩୮%କୁ ଖସି ଯାଇଥିଲା। ପୂର୍ବ ବର୍ଷର 4.1% ବୃଦ୍ଧି ତୁଳନାରେ ଭାରତର ଅର୍ଥନୀତିରେ GVA 2020-21 ଆର୍ଥିକ ବର୍ଷରେ ରେ 6.2% ହ୍ରାସ ପାଇଛି। ରାଷ୍ଟ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ) ଦ୍ଵାରା ଆର୍ଥିକ ବର୍ଷ ୨୦୨୦-୨୧ର ଜିଡିପି ଅଭିବୃଦ୍ଧି ହାର ଜାରି କରାଯାଇଛି। କରୋନା ଯୋଗୁ ଉତ୍ପାଦନ ଓ ନିର୍ମାଣ କାମ ବନ୍ଦ ରହିଥିବାରୁ ଅର୍ଥନୀତି ଅଭିବୃଦ୍ଧିରେ ଏପରି ହ୍ରାସ ଘଟିଥିବା କେନ୍ଦ୍ର ସରକାର କହିଛନ୍ତି। କରୋନା ମାଡ଼ ଯୋଗୁ ୨୦୨୦-୨୧ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ପୂର୍ବରୁ – ୮% ରହିବ ବୋଲି ସରକାର ଆକଳନ କରିଥିଲେ। ଦେଶର ବିତ୍ତୀୟ ଘାଟା ଗତ ବର୍ଷର ୨.୯ ଲକ୍ଷ କୋଟି ଥିବା ବେଳେ ଚଳିତ ବର୍ଷ ୭୮ ହଜାର କୋଟି ଟଙ୍କା ରହିଛି। ଏପ୍ରିଲ ମାସରେ ଆଠଟି ମୌଳିକ ଉଦ୍ୟୋଗର ଅଭିବୃଦ୍ଧି ହାର ୫୬.୧ ପ୍ରତିଶତ ରହିଛି। ୧୯୮୦-୮୧ ପରେ ପ୍ରଥମ ଥର ଜିଡିପି ମାଇନସରେ ପହଞ୍ଚିଛି । ଅର୍ଥାତ ଜିଡିପି ବଢିବା ବଦଳରେ ହ୍ରାସ ଘଟିଛି। କୋଇଲା, ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ୍, ବିଶୋଧନ ଉତ୍ପାଦ, ସାର, ଇସ୍ପାତ, ସିମେଣ୍ଟ, ବିଜୁଳିର ଅଭିଭୃଦ୍ଧି ହାର ମାର୍ଚ୍ଚରେ ୧୧.୪ ପ୍ରତିଶତ ରହିଥିବା ବେଳେ ଏପ୍ରିଲରେ ୫୬.୧ ପ୍ରତିଶତ ରହିଛି। ପ୍ରାକୃତିକ ଗ୍ୟାସ୍, ଇସ୍ପାତ, ସିମେଣ୍ଟ ଓ ବିଜୁଳି କ୍ଷେତ୍ରରେ ପ୍ରଦର୍ଶନ ଉତ୍ସାହଜନକ ରହିଥିବା ନେଇ ଏନଏସଓ ପକ୍ଷରୁ ସୂଚନା ଦିଆଯାଇଛି।