ଡିସେମ୍ବରରେ ଭାରତର ବେକାରୀ ହାର ୮.୩%କୁ ବୃଦ୍ଧି; ବିଗତ ୧୬ ମାସରେ ସର୍ବାଧିକ

ଭୁବନେଶ୍ୱର,୧/୧(ସତ୍ୟପାଠ ବ୍ୟୁରୋ): ଭାରତରେ ବେକାରୀ ସଂଖ୍ୟା କମିବା ବଦଳରେ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ସରକାରଙ୍କ ମାଳମାଳ ଯୋଜନା ଓ ଚାକିରି ଦେବାର ପ୍ରତିଶୃତି ମଧ୍ୟରେ ଦେଶର ବେରୋଜଗାରୀଙ୍କ ସଂଖ୍ୟା ରେକର୍ଡ ସ୍ତରରେ ପହଞ୍ଚିଛି । ଚାକିରି ସୃଷ୍ଟି କରିବା ମଧ୍ୟ ସରକାରଙ୍କ ପାଇଁ ଚ୍ୟାଲେଞ୍ଜିଂ ହେଉଛି । ତେବେ ବିଗତ ୧୬ ମାସ ମଧ୍ୟରୁ ଗତ ଡିସେମ୍ବର ମାସରେ ବେକାରୀଙ୍କ ସଂଖ୍ୟା ସର୍ବାଧିକ ରହିଛି । ୨୦୨୨ ନଭେମ୍ବର ମାସରେ ବେକାରୀ ସଂଖ୍ୟା ୮ ପ୍ରତିଶତ ଥିବାବେଳେ ଡିସେମ୍ବର ମାସରେ ତାହା ବୃଦ୍ଧିପାଇ ୮.୩ ପ୍ରତିଶତରେ ପହଞ୍ଚିଛି । ଏନେଇ ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ୍ ଇକୋନୋମୀ (ସିଏମଆଇଇ) ପକ୍ଷରୁ ୨୦୨୩ ବର୍ଷ ଆରମ୍ଭର ପ୍ରଥମ ଦିନରେ ପ୍ରକାଶିତ ରିପୋର୍ଟରୁ ଜଣା ପଡ଼ିଛି।

ସିଏମଆଇଇ ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ, ସହରାଞ୍ଚଳରେ ବେରୋଜଗାରୀଙ୍କ ସଂଖ୍ୟା ଗ୍ରାମାଞ୍ଚଳ ଅପେକ୍ଷା ଅଧିକ । ନଭେମ୍ବର ମାସରେ ସହରାଞ୍ଚଳରେ ବେରୋଜଗାରୀଙ୍କ ସଂଖ୍ୟା ୮.୯୬ ପ୍ରତିଶତ ଥିବାବେଳେ ଡିସେମ୍ବର ମାସରେ ତାହା ବୃଦ୍ଧିପାଇ ୧୦.୦୯%ରେ ପହଞ୍ଚିଛି । ସେହିଭଳି ଗ୍ରାମାଞ୍ଚଳରେ ବେକାରୀଙ୍କ ସଂଖ୍ୟା ନଭେମ୍ବର ମାସର ୭.୪୪%ରୁ ଡିସେମ୍ବରରେ ୭.୫୫%ରେ ପହଞ୍ଚିଛି ।

ଏନେଇ ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ୍ ଇକୋନୋମୀ (ସିଏମଆଇଇ)ର ପରିଚାଳନା ନିର୍ଦ୍ଦେଶକ ମହେଶ ବ୍ୟାସ୍‌ କହିଛନ୍ତି ଯେ, ବର୍ଦ୍ଧିତ ବେରୋଜଗାରୀ ସଂଖ୍ୟା ଏତେ ବି ଚିନ୍ତାଜନକ ନୁହେଁ । ଶ୍ରମ ଭାଗିଦାରୀ ହାର ବା ଲେବର୍‌ ପାର୍ଟିସିପେସନ୍‌ ରେଟ୍‌ ଗତ ବର୍ଷ ଅପେକ୍ଷାକୃତ ବୃଦ୍ଧିପାଇଛି । କେବଳ ଡିସେମ୍ବର ମାସରେ ତାହା ୪୦.୪୮% ରହିଛି । ଯାହାକି ଗତ ୧୨ ମାସ ମଧ୍ୟରେ ସର୍ବାଧିକ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବର୍ଷ ୨୦୨୨ରେ ରୋଜଗାର ହାର ବଢିଛି । କେବଳ ଡିସେମ୍ବର ମାସରେ ରୋଜଗାର ହାର ୩୭.୧ ପ୍ରତିଶତକୁ ବୃଦ୍ଧିପାଇଛି । ଯାହାକି ଜାନୁଆରୀ ୨୦୨୨ ପରଠାରୁ ସର୍ବାଧିକ ବୋଲି ସିଏମଆଇଇ ନିର୍ଦ୍ଦେଶକ ମହେଶ ବ୍ୟାସ କହିଛନ୍ତି।

Related Posts