ମୋଦି ସରକାରଙ୍କ କାର୍ଯ୍ୟଶୈଳୀରେ ଅତିଷ୍ଠ ହୋଇ ଇସ୍ତଫା ଦେଲେ କୋଭିଡ଼ ବୈଜ୍ଞାନିକ ପରାମର୍ଶଦାତା କମିଟିର ଅଧ୍ୟକ୍ଷ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନା ମହାମାରୀର ଦ୍ୱିତୀୟ ଲହର ରୋକିବାରେ ମୋଦୀ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ନେଇ ବିରୋଧୀଙ୍କ ଠାରୁ ଆରମ୍ଭ କରି ବିଶେଷଜ୍ଞ ସମସ୍ତେ କଡା ସମାଲୋଚନା କରୁଛନ୍ତି। ହେଲେ ମୋଦୀ ସରକାରଙ୍କୁ ସମାଲୋଚନା ବରଦାସ୍ତ ହେଉନି। କେତେବେଳେ ଟିକା ଅଭାବକୁ ନେଇ ପୋଷ୍ଟର ଲଗାଉଥିବା ଲୋକଙ୍କୁ ଗିରଫ କରାଯାଉଛି ତ ପୁଣି କେତେବେଳେ ସରକାରଙ୍କ ପ୍ୟାନେଲ କମିଟିରୁ ବିଶେଷଜ୍ଞ ଇସ୍ତଫା ଦେଉଛନ୍ତି। କରୋନା ଭୂତାଣୁର ବିଭିନ୍ନ ଭ୍ୟାରିଏଣ୍ଟକୁ ଚିହ୍ନଟ କରିବା ପାଇଁ ସରକାର ଗଠନ କରିଥିବା ବିଶେଷଜ୍ଞ ପ୍ୟାନେଲର ବରିଷ୍ଠ ଭାଇରୋଲୋଜିଷ୍ଟ ଶାହିଦ ଜମୀଲ ମୋଦି ସରକାରଙ୍କ କାର୍ଯ୍ୟଶୈଳୀରେ ଅତିଷ୍ଠ  ହୋଇ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବାର ସପ୍ତାହେ ପୂର୍ବରୁ ସେ ମୋଦୀ ସରକାରଙ୍କୁ କଡା ଭର୍ତ୍ସନା କରିଥିଲେ। କରୋନା ନିୟନ୍ତ୍ରଣ ପାଇଁ ମୋଦୀ ସରକାରଙ୍କ ରଣନୀତିକୁ ବିରୋଧ କରି ସେ ନିଜର ମତ ରଖିଥିଲେ। କରୋନାର ନୂତନ ମ୍ୟୁଟେସନ୍ ଷ୍ଟ୍ରେନ୍ ଗୁଡିକୁ ଚିହ୍ନଟ କରିବା ପାଇଁ ଗତ ବର୍ଷ ବୈଜ୍ଞାନିକ ପରାମର୍ଶଦାତା ପ୍ୟାନେଲ INSACOG ଗଠନ କରାଯାଇଥିଲା। ଶୁକ୍ରବାର ସେ ପ୍ୟାନେଲରୁ ଇସ୍ତଫା ଦେଇଛନ୍ତି। ଜମୀଲ କହିଛନ୍ତି, ମୁଁ ଏ ବିଷୟରେ କୌଣସି ଅଧିକ ଟିପ୍ପଣୀ ଦେବାକୁ ଚାହୁଁନି। ଏହା ହିଁ ମୋ ପାଇଁ ଠିକ୍‌। ମୁଁ କାହିଁକି ଇସ୍ତଫା ଦେଲି, ତା’ର କାରଣ କହିବାକୁ ବାଧ୍ୟ ନୁହେଁ। ନିକଟରେ ଡା ଜମୀଲ ଦି ନ୍ୟୁୟର୍କ ଟାଇମ୍ସରେ ଗୋଟିଏ ସ୍ତମ୍ଭ ଲେଖିଥିଲେ। ଯେଉଁଥିରେ ସେ କରୋନା ମୁକାବିଲା ପାଇଁ ମୋଦୀ ସରକାରଙ୍କ ନୀତିକୁ କଡା ସମାଲୋଚନା କରିଥିଲେ। ଜାମେଲ କହିଛନ୍ତି ଯେ , ବିଶେଷ କରି କମ୍ ଟେଷ୍ଟିଂ, ମନ୍ଥର ଟିକାକରଣ, ଟିକାର ଅଭାବ ଓ ବିଶାଳ ସ୍ୱାସ୍ଥ୍ୟ କର୍ମୀଙ୍କ ଆବଶ୍ୟକତାରେ କମି ହେଉଛି ଭାରତରେ ଦ୍ବିତୀୟ ଲହର ଆସିବାର ମୁଖ୍ୟ କାରଣ। ରଏଟର୍ସ ରିପୋର୍ଟ ଅନୁଯାୟୀ ମାର୍ଚ୍ଚ ମାସ ଆରମ୍ଭରୁ INSACOG କରୋନାର ନୂଆ ଓ ମାରାତ୍ମକ ଷ୍ଟ୍ରେନ ବିଷୟରେ ସରକାରଙ୍କୁ ଚେତାବନୀ ଦେଇଥିଲା। ହେଲେ ସରକାର ଏହା ଉପରେ କୌଣସି ପଦକ୍ଷେପ ନେବା ପରିବର୍ତ୍ତେ ଭାରତ ମହାମାରୀକୁ ପରାସ୍ତ କରିଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଘୋଷଣା କରିଦେଇଥିଲେ। ଆଉ ଏହାର ପରିଣାମ ଏବେ ସାରା ବିଶ୍ୱ ସାମ୍ନାରେ। ଜାମେଲ ରଏଟର୍ସକୁ କହିଛନ୍ତି ଯେ ନୀତି ନିର୍ଦ୍ଧାରଣ କରୁଥିବା ଅଧିକାରୀମାନେ ରିସର୍ଚ୍ଚ ପ୍ରତି ଯଥେଷ୍ଟ ଧ୍ୟାନ ଦେଉନାହାଁନ୍ତି। ଗତ ତିନି ସପ୍ତାହ ମଧ୍ୟରେ ଦେଶରେ ଦିନକୁ ୩ ଲକ୍ଷରୁ ଅଧିକ ସଂକ୍ରମଣ ରିପୋର୍ଟ ହୋଇଥିବା ବେଳେ  ଭାରତରେ ଡାକ୍ତରଖାନା ଶଯ୍ୟା, ଅମ୍ଳଜାନ, ଟିକା ଏବଂ ଔଷଧର ଅଭାବର ମୁକାବିଲା କରୁଛି। ଦେଶର ସ୍ବାସ୍ଥ୍ୟ ଭିତ୍ତିଭୂମି ଭୁଷୁଡିଯାଇଛି। ଦ୍ବିତୀୟ ଲହର ଗ୍ରାମାଞ୍ଚଳକୁ ଗ୍ରାସ କରିଥିବା ବେଳେ ଦୁର୍ବଳ ସ୍ୱାସ୍ଥ୍ୟ ଭିତ୍ତିଭୂମି ଏବଂ ସଚେତନତାର ଅଭାବରୁ ଲୋକମାନେ ଅଧିକ ଅସୁରକ୍ଷିତ ହୋଇପଡିଛନ୍ତି। ଭାରତ ବିଶ୍ୱର ସର୍ବବୃହତ ଟିକା ଉତ୍ପାଦନକାରୀ ରାଷ୍ଟ୍ର ହୋଇଥିଲେ ମଧ୍ୟ କେବଳ 4 କୋଟିରୁ ଅଧିକ ଲୋକଙ୍କୁ କିମ୍ବା ମୋଟ୍ ଜନସଂଖ୍ୟାର ମାତ୍ର 2.9 ପ୍ରତିଶତ ଲୋକଙ୍କୁ ଟିକା ଦେଇଛି। 

Related Posts