କଠିନ ପରିଶ୍ରମୀ ଓ ଚାଷୀବତ୍ସଳ ସରକାର ଏମିତି !

ଭୋଟ ପୂର୍ବରୁ ନୀତି ନିୟମ, ସିଧାବାଟ, ଗଳାବାଟ କିଛି ଦେଖାଗଲାନି । ଏବେ ସବୁ ଘଳିଆ ଜଳଜଳ କରି ସରକାରଙ୍କୁ ଦେଖାଯାଉଛି । ହଜାରେ କି ଦୁଇ ହଜାର ନୁହେଁ ପାଖାପାଖି 200 କୋଟି ଟଙ୍କାର ସୁଦ୍ଧ ଘୋଟାଲା ଟାଏ ସରକାରଙ୍କ ଆଖି ଆଗରେ ସରକାରଙ୍କ ଦ୍ବାରା ହୋଇଗଲା, ଅଥଚ ସେତେବେଳେ ଭୋଟ ଲୋଭରେ ସବୁ ଜାଣି ଚୁପ ରହିଲେ ଅଧିକାରୀମାନେ । କାଳିଆ ଟଙ୍କା ଗଣିବା ପାଇଁ ଏତେ ବ୍ୟାକୁଳ ହେଲେ ଯେ ବିପର୍ଯ୍ୟୟ ଜରୁରୀକାଳୀନ ପାଣ୍ଠିକୁ ବି ବାଦ୍ ଦେଲେନି । ଏବେ କୃଷିମନ୍ତ୍ରୀଙ୍କ ସ୍ବୀକାରୋକ୍ତି ସେତେବଳର ବିରୋଧୀଙ୍କ ଅଭିଯୋଗକୁ ସତ୍ୟ ପ୍ରମାଣିତ କରିଛି । ଶହେ ବା ଦୁଇଶହ ନୁହେଁ, 3 ଲକ୍ଷ 41 ହଜାର ଅଯୋଗ୍ୟ ଲୋକ ଚାଷୀ କହି ଟଙ୍କା ଲୁଟିନେଲେ କିଭଳି ? ନିର୍ବାଚନ ପୂର୍ବରୁ ନବୀନ ବାବୁଙ୍କ ନାରା ଥିଲା ‘କଥା ନୁହେଁ, କଠିନ ପରିଶ୍ରମ । କାଳିଆ ଟଙ୍କା ଲୁଟ୍‌ ବୟାନ କରୁଛି ନବୀନଙ୍କ ନାରାବାଜି କେତେ ଫମ୍ପା ଥିଲା ।

କାଳିଆ ଯୋଜନା ସରକାରଙ୍କର । ଅର୍ଥ ବରାଦ ନିଷ୍ପତ୍ତି ସରକାରଙ୍କର । ଆବେଦନ ପତ୍ର ଯାଞ୍ଚ କରିବା ଲୋକ ସରକାରଙ୍କର । ଟଙ୍କା ଦେବା ଲୋକ ବି ସରକାରଙ୍କର । ତେବେ 3 ଲକ୍ଷ 41 ହଜାର ଲୋକ 170 କୋଟି ନେଇଗଲେ କିଭଳି ? ସବୁ କଲେ ସରକାର । ଏବେ ଧରାପଡ଼ିବା ପୂର୍ବରୁ ନିଜ ଉପରୁ ଦୋଷ ଛଡ଼େଇବା ପାଇଁ ସୁନ୍ଦର ଯୋଜନାଟିଏ ରଚିଛନ୍ତି । ବିରୋଧୀ ଅଙ୍ଗୁଳି ଦେଖାଇବା ପୂର୍ବରୁ ଆଗୁଆ 170 କୋଟି ଟଙ୍କାର ଘଳିଆ ହୋଇଛି କହି ନିଜ ମୁଣ୍ଡରୁ ଅଠା ଛଡ଼ାଇଦେବାକୁ ବସିଛନ୍ତି । ଏବେ କେବଳ ଲୋକଙ୍କ ଦୋଷ । ସେମାନେ କୁଆଡ଼େ ମିଛ ତଥ୍ୟ ଦେଇ ଠକିନେଲେ । ସବୁତ କଲେ ସରକାର । ଦେଶ ସାରା କାଳିଆ ପାଇଁ ବାହାବା ନେଲେ, ସରକାରୀ ଅର୍ଥରେ ଭୋଟ ସଙ୍କୀର୍ତ୍ତନ ବି କଲେ ।

ଚାଷୀଙ୍କୁ ସହାୟତା ନାଁରେ 3 ଲକ୍ଷ 41 ହଜାର ଅଯୋଗ୍ୟ ବ୍ୟକ୍ତିଙ୍କୁ ନିର୍ବାଚନ ପାଇଁ ଦିଆଯାଇଛି 170 କୋଟି ଟଙ୍କା । କେଳେଙ୍କାରୀ ହୋଇଥିବା ଖୋଦ ମାନିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ । ନିର୍ବାଚନ ପୂର୍ବରୁ ଯୋଜନା ଦ୍ବାରା ଲାଭ ପାଇଥିବା ଯୋଗ୍ୟ ହିତାଧିକାରୀ ଏବେ ଅଯୋଗ୍ୟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ କେବଳ 20 ହଜାର ସରକାରୀ କର୍ମଚରୀ ଓ ପେନ୍‌ସନ ଭୋଗୀ ଓ 9 ହଜାର ନାବାଳକ-ନାବାଳିକା ଅଛନ୍ତି । ଯାହାଙ୍କୁ ନେଇ ଏବେ ସରକାର ହରଡ଼ଘଣାରେ । ପ୍ରଥମେ ମନଇଛା ଲୋକଙ୍କୁ ଟଙ୍କା ବଣ୍ଟାଗଲା । ଭୋଟ ବି ହାତେଇଲେ ଆଉ ଏବେ ଟଙ୍କା ଫେରସ୍ତ ପାଇଁ ଦିଆଯାଉଛି ଡେଡ୍‌ଲାଇନ । ଗତକଲି ଟଙ୍କା ଫେରସ୍ତ ନେଇ ସିଧାସିଧା କହିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ । ମନ୍ତ୍ରୀ ମାନିଛନ୍ତି ରାଜ୍ୟରେ କାଳିଆ ଯୋଜନାରେ 3 ଲକ୍ଷ 41 ହଜାର ଅଯୋଗ୍ୟ ବ୍ୟକ୍ତିଙ୍କ ପାଖକୁ ଟଙ୍କା ଯାଇଛି । ସରକାରୀ ଅଧିକାରୀଙ୍କଠାରୁ ଟଙ୍କା ତାଙ୍କ ଦରମା କିମ୍ବା ପେନ୍‌ସନ୍‌ରୁ ରିକଭରି କରାଯିବ  । ବାକି ନାବାଳକ ଓ ନାବାଳିକାଙ୍କ ନାଁରେ ଯାଇଥିବା ଟଙ୍କାକୁ ସେମାନଙ୍କ ଅଭିଭାବକଙ୍କ ନିକଟକୁ ଯିବାକୁ ଥିବା ଟଙ୍କାକୁ ଆଜଷ୍ଟ କରାଯିବ ।

ଯୋଜନାରେ ହୋଇଥିବା କେଳେଙ୍କାରୀର କାରଣ ଖୋଜିବା ପରିବର୍ତ୍ତେ । ମନ୍ତ୍ରୀ ଏବେ ଟଙ୍କା ଫେରସ୍ତ ଆଣିବାରେ ବ୍ୟସ୍ତ । ପ୍ରକୃତରେ ଏଭଳି କେଳେଙ୍କାରୀ ପଛରେ କିଏ ? କାଳିଆ ଯୋଜନା ପ୍ରଚଳନ ବେଳେ ଯେତିକି ଚର୍ଚ୍ଚାରେ ଥିଲା ଏବେ ଟଙ୍କା ଫେରସ୍ତ ନେଇ ବି ସେତିକି ଚର୍ଚ୍ଚା । ଫରକ ଏତିକି ସେତେବେଳେ ସହାୟତା ପାଇବା ନେଇ ଚାଷୀ ଖୁସି ଥିବାବେଳେ  ଏବେ ଟଙ୍କା ଫେରସ୍ତ ନେଇ ସେମାନଙ୍କ ମଧ୍ୟରେ ହାତାସା ଦେଖାଦେଇଛି । ସବୁଆଡେ ଏବେ ଗୋଟିଏ ଆଲୋଚନା ଯଦି ନେବାର ଥିଲା ଦେଉଥିଲେ କାହିଁକି ? ଯଦି ଦେଲେ ଉଚିତ ଲୋକଙ୍କୁ ଦେଲେନି କାହିଁକି ? ନାଁ କେବଳ ଭୋଟ ପାଇଁ ମନଇଛା ବାଣ୍ଟିଗଲେ । ଆଉ ଭୋଟ ସରିବା ପରେ ଟଙ୍କା ଫେରସ୍ତ କର । ଏଭଳି ପ୍ରଶ୍ନ ଏବେ ଗାଁଠୁ ସହର ସବୁଠି ଶୁଭୁଛି। ଶାସକ ଦଳର ଏଭଳି ନିର୍ବାଚନୀ ଚାଲକୁ ଏବେ ଲୋକେ ଧିରେ ଧିରେ ବୁଝିବାକୁ ଆରମ୍ଭ କରିଛନ୍ତି ।

କାଳିଆ ଯୋଜନାରେ ଘଳିଆ ପଡ଼ିଲା କିଭଳି ?

ଘଳିଆ ପଡ଼ିବା ବେଳେ କିଭଳି ଜାଣିପାରିଲେ ବନ୍ଧ ଦାୟିତ୍ବରେ ଥିବା ଅଧିକାରୀ ?

ନା ଜାଣିଶୁଣି ସରକାରଙ୍କର ଏହା ଏକ ନିର୍ବାଚନୀ ଚାଲ୍ ଥିଲା ?

ଏଭଳି କେଳେଙ୍କାରୀ ପାଇଁ ଦାୟୀ କିଏ ?

କିଏ ସେଇ ସରକାରୀ ଅଧିକାରୀ ? ଯିଏ ଯୋଗ୍ୟ ଅଯୋଗ୍ୟ ଭିତରେ ଫରକ ଜାଣିପାରିଲେ ନାହିଁ ?

ନାଁ ଶାସକ ଦଳର ନିର୍ଦ୍ଦେଶରେ ଏଭଳି ହୋଇଛି ?

ଯୋଗ୍ୟ ଚାଷୀ ବାଛିବାକୁ ଅଯୋଗ୍ୟ ଅଧିକାରୀଙ୍କୁ ଦାୟିତ୍ବ ଦିଆଗଲା କାହିଁକି ?

କାଳିଆ ଯୋଜନା ନାଁରେ ଚାଷୀଙ୍କୁ ଭଣ୍ଡେଇ ଭୋଟ ହାତେଇବା ଲକ୍ଷ୍ୟ ଥିଲା କି ?

କାଳିଆ ଯୋଜନାରେ ଅଯୋଗ୍ୟ ଚାଷୀ ସାମିଲ ହେଲେ କାହା ପାଇଁ ?

ଅଯୋଗ୍ୟ ସରକାରୀ ବାବୁଙ୍କ ପାଇଁ ବଢ଼ିଛି କି ଅଯୋଗ୍ୟ ଚାଷୀଙ୍କ ସଂଖ୍ୟା ?

ପ୍ରଥମେ ଅଯୋଗ୍ୟ ବାବୁମାନଙ୍କ ବିରୋଧରେ ସରକାର ପଦକ୍ଷେପ ନେବେ କି ?

ପ୍ରକୃତରେ କ’ଣ 3 ଲକ୍ଷ 41 ହଜାର ହଯୋଗ୍ୟ ଚାଷୀ ଅଛନ୍ତି । ନା ଅଯୋଗ୍ୟଙ୍କ ସଂଖ୍ୟା ଆହୁରି ବଢ଼ିପାରେ ?

କାରଣ ପୂର୍ବରୁ କାଳିଆ ଯୋଜନାରେ 2 ଲକ୍ଷ 67 ହଜାର ଅଯୋଗ୍ୟ ଚାଷୀ ଥିବା ସରକାର କହିଥିଲେ । ପୁଣି ଏବେ ଏହି ସଂଖ୍ୟା ବଢ଼ି 3 ଲକ୍ଷ 41 ହଜାରରେ ପହଞ୍ଚିଛି । ତେଣୁ ସରକାରଙ୍କ ଅଯୋଗ୍ୟ ଚାଷୀ ତାଲିକାକୁ ନେଇ ମଧ୍ୟ ଲୋକେ ସନ୍ଦେହ କରୁଛନ୍ତି ।

Related Posts