ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିଜୁ ଜନତା ଦଳର ଉପସଭାପତି ପଦରୁ ବାଦ ଦିଆଯିବା ପରେ ଖଣ୍ଡପଡ଼ା ବିଧାୟକ ତଥା ଦଳର ବରିଷ୍ଠନେତା ସୌମ୍ୟରଂଜନ ପଟ୍ଟନାୟକ ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଛଳରେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ଉତ୍ଥାପନ କରିଛନ୍ତି। ତାଙ୍କୁ ଦଳୀୟ ପଦରୁ ହଟାଇବା ନେଇ ଯେଉଁ ଚିଠି ଆସିଛି ସେଥିରେ ଥିବା ଦସ୍ତଖତ ସତରେ ଦଳର ସଭାପତି ନବୀନଙ୍କର ନା ଆଉ କିଏ କରିଛନ୍ତି, ତାହାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ସୌମ୍ୟ। ସେ କହିଛନ୍ତି, ଚିଠିରେ ଥିବା ଦସ୍ତଖତକୁ ନେଇ ମୋର ସନ୍ଦେହ ଅଛି |

ବିଜେଡି ଉପ-ସଭାପତି ପଦରୁ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ହଟାଇବା ପରେ ତାଙ୍କର ପ୍ରତିକ୍ରିୟା ସାମ୍ନାକୁ ଆସିଛି | ସେ ନିଜର ମତ ରଖି କହିଛନ୍ତି, ଏଭଳି ପଦକ୍ଷେପ ତାଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ| ସଭାପତି ଭାବରେ ନବୀନବାବୁ କାହାକୁ ରଖିବେ କାହାକୁ ରଖିବେ ନାହିଁ, ତାହା ସମ୍ପୂର୍ଣ୍ଣ ଭାବେ ତାଙ୍କ ଇଚ୍ଛାଧୀନ ବ୍ୟାପାର | ତେବେ ଉପସଭାପତି ପଦ ଚାଲିଯିବାରେ କୌଣସି ଅସ୍ଵାଭାବିକତା ନାହିଁ | ଏହି ପଦ ହରାଇଲି ବୋଲି କିଛି ହରାଇଲା ଭଳି ମୋତେ ଲାଗୁନାହିଁ | କାରଣ ଉପସଭାପତି ଭାବରେ ସେମିତି କିଛି କରୁନଥିଲି, ଯେ ତାହାର ପ୍ରଭାବ ପଡିବ | ଏମିତି ପଦପଦବୀରେ ବିଜେଡିରେ ଅନେକ ନେତା ଅଛନ୍ତି ଯେଉଁମାନେ କିଛି କରନ୍ତି ନାହିଁ |
ଏଥିସହ ସେ ଆହୁରି ମଧ୍ୟ କରିଛନ୍ତି ଯେ ଉପସଭାପତି ପଦ କେବଳ ଆଳଙ୍କରିକ ଥିଲା | ତେବେ ଯେଉଁ ନିର୍ଦ୍ଦେଶନାମାଟି ଜାରି କରାଯାଇଛି ସେଥିରେ ମୁଖ୍ୟମନ୍ତ୍ରୀଙ୍କର ଯେଉଁ ଦସ୍ତଖତ ରହିଛି ତାହା ଅସଲି ନା ନକଲି ମୋର ସନ୍ଦେହ ହେଉଛି | କାରଣ ଗୋଟିଏ ସପ୍ତାହ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଦୁଇ ମିନିଟର ସମୟ ମାଗିଥିଲି | ସେ ସମୟ ତ ମିଳିନାହିଁ, କିନ୍ତୁ ଆଜି ଏହି ବରଖାସ୍ତର ନିର୍ଦ୍ଦେଶନାମା ମିଳିଛି | ତେବେ ଦସ୍ତଖତ ଅସଲି ନା ନକଲି ଜାଣିବା ସମ୍ଭବପର ନୁହେଁ | ସେହିପରି ରାଜନୀତି ଗୋଟିଏ ନିଷ୍ପତ୍ତିରେ ସରିଯାଏନାହିଁ ବୋଲି ସୌମ୍ୟ କହିଛନ୍ତି।





