ବିରୋଧୀ ଦଳ ନେତା ପଦ ଫିକ୍ସିଂ !

ସତ୍ୟପାଠ ବ୍ୟୁରୋ : ବିରୋଧୀଦଳ ନେତା ହୋଇଛନ୍ତି ପ୍ରଦୀପ୍ତ ନାଏକ । ଜୟନାରାୟଣ ମିଶ୍ରଙ୍କ ଭଳି ରୋକଠୋକ୍ ନେତାଙ୍କୁ ସାଇଡ୍ ମାରି ପ୍ରଦୀପ୍ତଙ୍କୁ ଦିଆଗଲା ଦାୟିତ୍ୱ । ଯଦିଓ ଏହା ଭାରତୀୟ ଜନତା ପାର୍ଟିର ଆଭ୍ୟନ୍ତରୀଣ ବ୍ୟାପାର କିନ୍ତୁ ବିଧାନସଭାରେ ବିରୋଧୀ ଦଳର ଭୁମିକା ଉପରେ ରାଜ୍ୟର ସ୍ୱାର୍ଥ ନିର୍ଭର କରୁଥିବାରୁ ବିଜେପିର ଏଭଳି ନିଷ୍ପତିକୁ ନେଇ ଉଠିଛି ପ୍ରଶ୍ନ । ଅନେକ ଏହାକୁ ବିରୋଧୀ ଦଳ ନେତା ପଦ ଫିକ୍ସିଂ ହୋଇଥିବା ବି କହିଲେଣି ।

ଅବାଟରେ ଯାଉଥିବା ସରକାରକୁ ବାଟ ଦେଖାଇବା ବିରୋଧୀ ଦଳର କାମ । ଖାସ କରି ବିଧାନସଭାରେ ବିରୋଧୀଦଳ ନେତାଙ୍କ ଗୁରୁତ୍ୱ ବଢ଼ିଯାଏ । ରାଜ୍ୟର ସ୍ୱାର୍ଥ ସମ୍ବଳିତ କେଉଁ ପ୍ରସଙ୍ଗ କିଭଳି ଢ଼ଙ୍ଗରେ ଆଲୋଚନା ହେବ ତାହା ନିର୍ଭର କରେ ବିରୋଧୀ ଦଳ ନେତାଙ୍କ ଉପରେ । ଚଳିତ ନିର୍ବାଚନରେ ୨୩ ଆସନ ପାଇ ଏହି ନେତା ପଦ ପାଇଁ ଦାବୀଦାର ଭାରତୀୟ ଜନତା ପାର୍ଟିର ଭୁମିକା ଓ ନିଷ୍ପତିକୁ ନେଇ ପୁରା ରାଜ୍ୟବାସୀ ଏବେ ଚିନ୍ତାରେ ।

ବିଧାନସଭା ଅଧିବେଶନର ଦିନ କେଇଟା ଆଗରୁ ସଂଖ୍ୟା ନଥାଇ ବି ରାଜ୍ୟସଭାକୁ ନିଜ ଦଳର ପ୍ରାର୍ଥୀଙ୍କୁ ପଠାଇବାକୁ ବିଜେଡିକୁ ଅନୁରୋଧ କଲା ବିଜେପି । ଶୀର୍ଷ ନେତା ନରେନ୍ଦ୍ର ମୋଦି ଓ ଅମିତ ଶାହା ଏନେଇ ନବୀନ ବାବୁଙ୍କ ସହ କଥା ହେବା ସମସ୍ତେ ଜାଣିଲେ । ଆଲୋଚନା ହେଲା, ରାଜ୍ୟସଭା ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ ପଛରେ ଖାଲି ସିବିଆଇ ଗୋଟିଏ କାରଣ ନୁହେଁ ବରଂ ବିଧାନସଭାରେ ବିରୋଧୀ ଦଳ ନେତା ପଦ ବିଜେଡି ମନ ମୁତାବକ ହେବା ପାଇଁ ବି ଅଘୋଷିତ ସନ୍ଧି ହୋଇଛି । ଖାସ ସେଇଥିପାଇଁ ଅଧିବେଶନର ପୂର୍ବ ରାତିରେ ବଛାଗଲା ବିରୋଧୀ ଦଳ ନେତା ।

ସବୁଠୁ ବଡ କଥା ହେଲା, ଏ ପଦପାଇଁ ନେତାଙ୍କୁ ବାଛିଲେ ଅମିତ ଶାହା । ଯିଏ ତିନି ଦିନ ପୂର୍ବରୁ ଶାସକ ଦଳର ମୁଖିଆଙ୍କୁ ରାଜ୍ୟସଭା ପ୍ରାର୍ଥୀଙ୍କୁ ସମର୍ଥନ ମାଗିଥିଲେ, ସେହି ବ୍ୟକ୍ତି ହିଁ ବିରୋଧୀ ଦଳ ନେତା ବାଛିଲେ ଓଡିଶା ବିଧାନସଭା ପାଇଁ । ହୁଏତ ଏଥିରେ ଅବୁଝା ହେବାର କୌଣସି କାରଣ ନାହିଁ କହିଲେ ଚଳେ ଯେ, ସମର୍ଥନ ମିଳିବା ପଛରେ ସମର୍ଥନ ମଗାଯାଇନଥିବ । ଚତୁର ପାଠକେ ବୁଝି ସାରିଥିବେ ଶାସକ ଓ ବିରୋଧୀଙ୍କ ଭିତରେ ଏ ଦିଆନିଆର ସମ୍ପର୍କ ପାଇଁ ରାଜ୍ୟର ବୃହତ୍ତର ସ୍ୱାର୍ଥ କିଭଳି ବଳି ପଡିବାକୁ ଯାଉଛି ।

ପ୍ରଦୀପ୍ତଙ୍କୁ ପଦବୀ ମିଳିବା ପଛରେ ଧର୍ମେନ୍ଦ୍ର ପ୍ରଧାନ ଓ ଜୟନାରାୟଣ ମିଶ୍ରଙ୍କ ମଧ୍ୟରେ ରାଜନୈତିକ ବିରୋଧକୁ ବି ଆଉ ଏକ କାରଣ ବୋଲି କୁହାଯାଇପାରେ । ଓଡିଶା ରାଜନୀତି ସହ ସମ୍ପୃକ୍ତ ପ୍ରତ୍ୟେକ ଲୋକ ଜାଣିଛନ୍ତି ଧର୍ମେନ୍ଦ୍ର ଓ ଜୟ ନାରାୟଣଙ୍କ ମଧ୍ୟରେ ସମ୍ପର୍କ କେମିତି ? ତାଙ୍କରି ନେତୃତ୍ୱରେ ପଂଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିଲା ସମ୍ବଲପୁର । କିନ୍ତୁ ଜିଲ୍ଲାପରିଷଦ ସଭାପତି ନିର୍ବାଚନ ବେଳେ ଦଳ ଉପସଭାପତି ସମୀର ମହାନ୍ତିିଙ୍କ ଉପରେ ଆକ୍ରମଣ ପାଇଁ ୨୦୧୭ ମାର୍ଚ୍ଚ ୧୨ ତାରିଖରେ ତାଙ୍କୁ ଏକାଥରକେ ୬ବର୍ଷ ପାଇଁ ସସପେଣ୍ଡ କରାଯାଇଥିଲା । ଅବଶ୍ୟ ଏହା ପଛର କାରଣ କାହାକୁ ଅଛପା ନାହିଁ ।

କୁହାଯାଏ ବିଜେପିରେ ଯେଉଁ କେତେଜଣ ସାଲିସ ବିହୀନ ନେତା ଅଛନ୍ତି ତା ଭିତରେ ଜୟଙ୍କ ନାଁ ଆସେ । କେବେ ମୁଣ୍ଡ ନୁଆଁଇ ନାହାଁନ୍ତି କି ସାଲିସ କରି ନାହାଁନ୍ତି ଜୟ । ବନାବିରା ଗୁଳିକାଣ୍ଡ ହେଉ କି ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା ଦେଖାଇ ହେଉ ଦଳ ପାଇଁ ବାରମ୍ବାର ଜେଲ ଯାଇଛନ୍ତି ଜୟ । କିନ୍ତୁ ବଡକଥା ହେଲା, ଏବେ ଜୟ ଅଲୋଡା ହୋଇଗଲେ କେବଳ ଶାସକ ବିରୋଧୀ ଓପନ ଡିଲ୍ ପାଇଁ ।

ତେବେ ରାଜ୍ୟ ରାଜନୀତିରେ ବିରୋଧୀ ଦଳକୁ କିଭଳି ମ୍ୟାନେଜ କରାଯାଏ ତାହା ନବୀନଙ୍କୁ ଭଲ ଭାବେ ଜଣା । ପୂର୍ବରୁ କଂଗ୍ରେସ ଅମଳରେ ଯାହା ହୋଇଥିଲା ଏବେ ବିଜେପି କ୍ଷେତ୍ରରେ ବି ସେଇଆ ଘଟୁଛି । ମନେଥିବ ବିରୋଧୀ ଦଳ ନେତା ଭୁପିନ୍ଦର ସିଂ କେମିତି ବିଜୁ ଜନତା ଦଳରେ ମିଶିଥିଲେ । ଯଦିଓ ପରିସ୍ଥିତି ଏବେ ସେଇଆ ନୁହେଁ କିନ୍ତୁ ଉପରେ କଳି ଭିତରେ ଯେ କୋଳାକୋଳି ତାହାକୁ ଅସ୍ୱୀକାର କରିବା ଦୁଇ ଦଳର ନେତାଙ୍କ ପାଇଁ ଅସମ୍ଭବ ବ୍ୟାପାର ।

Related Posts