(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀରେ ISI ସମର୍ଥିତ ଗୁଇନ୍ଦା ମଡ୍ୟୁଲ୍‌ର ପର୍ଦ୍ଦାଫାସ । ତେବେ ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ଶାଖା ପାକିସ୍ତାନର ଆଇଏସ୍ଆଇ ( ଇଣ୍ଟର ଷ୍ଟେଟ୍‌ ଇଣ୍ଟେଲିଜେନ୍ସ) ସମର୍ଥନରେ ଚାଲିଥିବା ଗୁଇନ୍ଦା ମଡ୍ୟୁଲ୍‌ର ପର୍ଦ୍ଦାଫାସ କରି ୧୦ ସଞ୍ଚାଳକଙ୍କୁ ଗିରଫ କରିଛି। ଅତିରିକ୍ତ ପୁଲିସ କମିସନର (ସ୍ବତନ୍ତ୍ର ଶାଖା) ପ୍ରମୋଦ କୁଶୱାହାଙ୍କ ନେତୃତ୍ବରେ ଏହି ଉଚ୍ଚସ୍ତରୀୟ ଅପରେସନ୍‌ ପରିଚାଳନା ହୋଇଥିଲା। ସେପଟେ ଜାତୀୟ ସୁରକ୍ଷାକୁ ଅସ୍ଥିର କରିବାପାଇଁ ବିଦେଶୀ ସଞ୍ଚାଳକଙ୍କ ନିର୍ଦ୍ଦେଶରେ ଏହି ସଞ୍ଚାଳକମାନେ କାର୍ଯ୍ୟ କରୁଥିଲେ ବୋଲି କୁହାଯାଉଛି। ତଦନ୍ତରୁ ଜଣାପଡ଼ିଛି ଯେ ଏହି ଗୁଇନ୍ଦା ମଡ୍ୟୁଲ୍‌ ଦିଲ୍ଲୀ ଏବଂ ଅନ୍ୟ ପ୍ରମୁଖ ସହରରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଏବଂ ଅଧିକ ଟ୍ରାଫିକ୍‌ ଜାମ୍‌ ଥିବା‌ ଅଞ୍ଚଳ ଗୁଡ଼ିକ ଉପରେ ଖବର ନେଉଥିଲେ ଏବଂ ନିରୀକ୍ଷଣ କରୁଥିଲେ। ଅଭିଯୁକ୍ତମାନେ ମଧ୍ୟ ସେମାନଙ୍କ ଆଇଏସ୍‌ଆଇ ପ୍ରତିପକ୍ଷଙ୍କୁ ସୂଚନା ପ୍ରଦାନ କରିବାପାଇଁ ସମ୍ବେଦନଶୀଳ ସ୍ଥାନମାନଙ୍କରେ କ୍ୟାମେରା ଲଗାଉଥିଲେ। କର୍ତ୍ତୃପକ୍ଷମାନେ ବିଶ୍ବାସ କରୁଛନ୍ତି ଯେ ଗିରଫ ହୋଇଥିବା ୧୦ ଜଣ ଉକ୍ତ ନେଟୱର୍କ‌କୁ ସ୍ଥାନୀୟ ଭାବେ ସହଯୋଗ କରୁଥିଲେ।