ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଦ୍ମପୁର ଉପନିର୍ବାଚନ ପାଇଁ ଦିନ ପାଖାଉଥିବାବେଳେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି। ନିର୍ବାଚନୀ ମଇଦାନରୁ ପ୍ରତିଦ୍ବନ୍ଦୀ ମାନଙ୍କୁ ଜୋରଦାର ଟାର୍ଗେଟ କରାଯାଉଛି। ତେବେ ଆଜି ପଦ୍ମପୁର ଲଢେଇ ମଇଦାନରେ ଏକ ପ୍ରକାର ହାଇଭୋଲ୍ଟେଜ ପ୍ରଚାର ଦେଖିବାକୁ ମିଳିଛି। ବିଜେଡି ପାଇଁ ଦଳର ସୁପ୍ରିମୋ ପ୍ରଚାର କରିଥିବାବେଳେ ବିଜେପି ପ୍ରଚାର ମଙ୍ଗ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଧରିଥିଲେ। ନବୀନ ଆଜି ନିଜ ଚିରାଚରିତ ଢଙ୍ଗରୁ ଟିକେ ଅଲଗା କେନ୍ଦ୍ରକୁ ଟାର୍ଗେଟ କରିବା ସହିତ ଅନେକ ପ୍ରଶ୍ନ କରିଥିଲେ। ସେପଟେ ଅପରାଜିତା ମଧ୍ୟ ସିଧା ସିଧା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିବା ସହ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ। ତେବେ ଅପରାଜିତାଙ୍କ ସହ ମଞ୍ଚରେ ଥିବା ବରଗଡ଼ ସାଂସଦ ସୁରେଶ ପୂଜାରୀ କିନ୍ତୁ ନିଜ ଅଭିଭାଷଣରେ ଶାସକ ଦଳ ବିଜେଡିକୁ କଟାକ୍ଷ କରିଛନ୍ତି। ଆଉ ମଜାଳିଆ ଢଙ୍ଗରେ କହିଛନ୍ତି ଯେ, ୧୫ ଦିନ ହେଲା ପଦ୍ମପୁର ଓଡ଼ିଶାର ରାଜଧାନୀ ପାଲଟି ଯାଇଛି। ଏଠି ନେତା, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସମସ୍ତେ ଅଛନ୍ତି। ପଦ୍ମପୁରକୁ ପରମାନେଣ୍ଟଲି ଓଡ଼ିଶାର ରାଜଧାନୀ କରିଦେଲେ ଭଲ ହୁଅନ୍ତା ବୋଲି ସେ କହିଛନ୍ତି।
ପଦ୍ମପୁରରେ ନିର୍ବାଚନ ପ୍ରଚାର ବେଳେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ସାଂସଦ ସୁରେଶ ପୂଜାରୀ କହିଛନ୍ତି, ୧୦ରୁ ୧୫ ଦିନ ହେଲା ଓଡ଼ିଶା ସରକାରଙ୍କ ଯେତିକି ମନ୍ତ୍ରୀ ଅଛନ୍ତି, ସମସ୍ତେ ପଦ୍ମପୁର ଆସିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ପଦ୍ମପୁରରେ ଅଛନ୍ତି। କିଏ ଜଣେ ମୋତେ କହୁଥିଲେ, ବିଜେଡିର ୬୦ ବିଧାୟକ ଓ ୧୨ ସାଂସଦ ଏଠାରେ ଅଛନ୍ତି। ପଦ୍ମପୁର ମୋତେ ଭୁବନେଶ୍ୱର ପରି ଲାଗୁଛି। ଯଦି ଏତିକି ଲୋକ ପଦ୍ମପୁରରେ ଅଛନ୍ତି, ତା’ହେଲେ ପଦ୍ମପୁରକୁ କାହିଁକି ଜିଲ୍ଲା କରୁନ? ମୋତେ ଲାଗୁଛି ପଦ୍ମପୁରକୁ ଓଡ଼ିଶାର ରାଜଧାନୀ କରିଦେଲେ ଭଲ ହୁଅନ୍ତା। ଅପରାଜିତା ଷଡଙ୍ଗୀ ଏଥିରେ ନାରାଜ ହୋଇ ଯାଇପାରନ୍ତି। କାରଣ ସେ ଭୁବନେଶ୍ୱର ସାଂସଦ। କିନ୍ତୁ ଏଠାକାର ଦୃଶ୍ୟ ଦେଖିଲେ ଲାଗୁଛି, ୧୫ ଦିନ ହେଲା ପଦ୍ମପୁର ଓଡ଼ିଶାର ରାଜଧାନୀ ହୋଇଯାଇଛି। ପାରମାନେଣ୍ଟଲି ପଦ୍ମପୁରକୁ ଓଡ଼ିଶାର ରାଜଧାନୀ କରିଦେଲେ ଭଲ ହୁଅନ୍ତା ବୋଲି ଶ୍ରୀ ପୂଜାରୀ କହିଛନ୍ତି।
ସେ ଆହୁରି କହିଛନ୍ତି, ଗାଁର ମାଆମାନେ କହୁଥିଲେ, ଏଠି ପାଣିର ବହୁ ସମସ୍ୟା ରହିଛି। ମହିଳାମାନେ ଗରା ଧରି ବନ୍ଧ ଓ ଘାଟକୁ ପାଣି ଆଣିବାକୁ ଯାଉଛନ୍ତି। ଘରେ ଘରେ ପାଣି ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଟଙ୍କା ଦେଇଛନ୍ତି। ପାଣି ସମସ୍ୟା ଦୂର ପାଇଁ ବରଗଡ଼ ଜିଲ୍ଲାରେ ୧୨ଟି ବ୍ଲକରେ କାମ ଚାଲିଛି। କିନ୍ତୁ କାମ ବହୁ ଧିମା ଗତିରେ ଚାଲିଛି। ଖାଲି ପାଣି ନୁହେଁ, ସ୍କୁଲ ଅବସ୍ଥା ନକହିଲେ ଭଲ। ପିଲାଙ୍କ ସଂଖ୍ୟା କମ୍ ଦର୍ଶାଇ ଏ ସରକାର ପଦ୍ମପୁର ନିର୍ବାଚନମଣ୍ଡଳୀରେ ୬୦ଟି ସ୍କୁଲ ବନ୍ଦ କରିଦେଇଛନ୍ତି। ଯେଉଁ ସ୍କୁଲରେ ମାଷ୍ଟର ନାହାନ୍ତି, ସେଠାକୁ ଛୁଆ କ’ଣ ପାଇଁ ଆସିବେ? ବିନା ମାଷ୍ଟରରେ ସ୍କୁଲ ଚାଲିଛି। ଆଉ ତା’ପରେ କହିବେ ସ୍କୁଲରେ ପିଲା କମିଗଲେ। ଗୋଟିଏ ପରେ ଗୋଟିଏ ସ୍କୁଲ ବନ୍ଦ କରି ଦେଉଛନ୍ତି। ଆଉ ସେପଟେ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ମଦ ଭାଟି ଖୋଲି ଦେଉଛନ୍ତି ବୋଲି ଶ୍ରୀ ପୂଜାରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରି ସାଂସଦ ସୁରେଶ ପୂଜାରୀ କହିଛନ୍ତି, ୨୦୧୬ ମସିହାରେ ମୁଖ୍ୟମନ୍ତ୍ରୀ ସୋହେଲାରେ କହିଥିଲେ, ସବୁ ଚାଷୀଙ୍କୁ ବସ୍ତା ପିଛା ୧୦୦ ଟଙ୍କା ବୋନସ୍ ଦେବେ। ଆଜି ପର୍ଯ୍ୟନ୍ତ ଚାଷୀ ଟଙ୍କା ପାଇଲଣି କି? ମନିଅର୍ଡରରେ ପଠାଇଥିବେ। ୫ ବର୍ଷ ହେଲାଣି ପହଞ୍ଚୁଥିବ? ନହେଲେ ଅନ୍ୟ କୌଣସି ଠିକଣାରେ ପହଞ୍ଚି ଯାଇଥିବ? ବୀମା ପଇସା ମଧ୍ୟ ଦେଇପାରିଲେ ନାହିଁ। ଆଜି ପର୍ଯ୍ୟନ୍ତ ବରଗଡ଼ ଜିଲ୍ଲାରେ ଗୋଟିଏ ହେଲେ ଶିଳ୍ପ କରିପାରିଲେ ନାହିଁ ରାଜ୍ୟ ସରକାର। ତାହାହେଲେ ଏ ବେକାର ଯୁବକମାନେ କ’ଣ କରିବେ? ଚାକିରି କେମିତି ମିଳିବ? ପଦ୍ମପୁର ହେଉଛି ଏପରି ଏକ ନିର୍ବାଚନମଣ୍ଡଳୀ ଯେଉଁ ଅଞ୍ଚଳର ଲୋକଙ୍କୁ କାମଧନ୍ଦା ମିଳୁନାହିଁ। ପେଟ ପୋଷିବା ପାଇଁ ୨୦ ହଜାର ପଦ୍ମପୁରିଆ ରାଜ୍ୟ ବାହାରେ ଅଛନ୍ତି। ମୁଖ୍ୟମନ୍ତ୍ରୀ ତମକୁ ଦେଖାଯାଉଛି କି ନାହିଁ? ଯଦି ଏଠି କାମ ମିଳି ଥାଆନ୍ତା, ତାହାହେଲେ ସେମାନେ କ’ଣ ଘରଦ୍ୱାର ଛାଡ଼ି ଯାଇଥାଆନ୍ତେ ବୋଲି ଶ୍ରୀ ପୂଜାରୀ ପ୍ରଶ୍ନ କରିଛନ୍ତି।