ମୁମ୍ବାଇ: ପତ୍ରା ‘ଚଲ୍’ ଜମି ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ପାଇଁ ବଢ଼ିଲା ବିବାଦ । ତାଙ୍କ ଗିରଫ ପରେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ସଞ୍ଜୟଙ୍କ ପତ୍ନୀ ବର୍ଷା ରାଉତଙ୍କୁ ସମନ ପଠାଇଛି।
ସଞ୍ଜୟଙ୍କୁ ପ୍ରଥମେ ଅଗଷ୍ଟ ୪ପର୍ଯ୍ୟନ୍ତ ଇଡିର ହେପାଜତକୁ ପଠାଯାଇଥିବା ବେଳେ ଆଜି ପୁଣି ତାଙ୍କର ହେପାଜତର ଅବଧି ଅଗଷ୍ଟ ୮ପର୍ଯ୍ୟନ୍ତ ବଢ଼ାଇଦିଆଯାଇଛି। ଅନ୍ୟପକ୍ଷରେ ପତ୍ରା ‘ଚଲ୍’ ଜମି ଦୁର୍ନୀତି ମାମଲାରେ ପଚରାଉଚରା କରିବା ପାଇଁ ଇଡି
ବର୍ଷା ରାଉତଙ୍କ ଆକାଉଣ୍ଟରୁ ଟଙ୍କା ନେଣଦେଣ ହୋଇଥିବା ସାମ୍ନାକୁ ଆସିବା ପରେ ଇଡି ବର୍ଷାଙ୍କୁ ସମନ ପଠାଇଥିବା ଜଣାପଡ଼ିଛି। ଗୁରୁବାର କୋର୍ଟରେ ଶୁଣାଣି ବେଳେ ଇଡି କହିଥିଲା ଯେ ସମ୍ପର୍କ ନଥିବା ବ୍ୟକ୍ତିଙ୍କ ଠାରୁ ବର୍ଷା ରାଉତଙ୍କ ଆକାଉଣ୍ଟକୁ ୧.୦୮କୋଟି ଟଙ୍କା ଆସିଛି। ଏହି ତଥ୍ୟ ହାତରେ ଲାଗିବା ପରେ ଅଧିକ ପଚରାଉଚରା ପାଇଁ ବର୍ଷାଙ୍କୁ ସମନ ଜାରି କରିଛି ଇଡି।
ଉଲ୍ଲେଖଯୋଗ୍ୟ, ଜୁଲାଇ ୩୧ତାରିଖ ଦିନ ସକାଳେ ପ୍ରବର୍ତ୍ତନ ନିର୍ଦେଶାଳୟ ସଞ୍ଜୟ ରାଉତଙ୍କ ଘରେ ଚଢ଼ାଉ କରି ଦୀର୍ଘ ସମୟ ଧରି ତଲାସ କରିଥିଲା। ତଲାସ ସମୟରେ ତାଙ୍କ ଘରୁ ତଦନ୍ତକାରୀ ଅଧିକାରୀମାନେ ନଗଦ ୧୧.୫୦ ଲକ୍ଷ ଟଙ୍କା ଜବତ କରିଥିଲେ। ଏହା ପରେ ସନ୍ଧ୍ୟା ୭ଟା ବେଳକୁ ରାଉତଙ୍କୁ ଜେରା କରାଯାଇଥିଲା। ଦୀର୍ଘ ସମୟ ଜେରା କରିବା ପରେ ଜୁଲାଇ ୩୧ତାରିଖ ରାତିରେ ‘ଶିବସେନା’ ସାଂସଦ ସଞ୍ଜୟ ରାଉତଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଗିରଫ କରିଥିଲା। ଆଜି ତାଙ୍କୁ ଅଗଷ୍ଟ ୮ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଯାଇଛି।
