ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଯାଜପୁର ଜିଲ୍ଲା ଖଣିଜ ପ୍ରତିଷ୍ଠାନ (DMF) ଟ୍ରଷ୍ଟ ବୋର୍ଡ ଗଠନକୁ ନେଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଯେଉଁ ଅଞ୍ଚଳରେ ଖଣି କାର୍ଯ୍ୟ ହେଉନାହିଁ, ସେହି ଅଞ୍ଚଳର ସରପଞ୍ଚମାନଙ୍କୁ DMF ବୋର୍ଡର ସଦସ୍ୟ କରାଯାଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଏହାସହ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ପୁନର୍ଗଠନ ବିଜ୍ଞପ୍ତିକୁ କୋର୍ଟ ଆଂଶିକ ଭାବେ ରଦ୍ଦ କରିଛନ୍ତି।
ମୁଖ୍ୟ ବିଚାରପତି ହରିଶ ଟଣ୍ଡନ ଏବଂ ବିଚାରପତି ମୁରହରି ଶ୍ରୀ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ, ଅଣ-ଖଣି ଅଞ୍ଚଳର ପ୍ରତିନିଧିଙ୍କୁ ବୋର୍ଡରେ ସାମିଲ କରିବା ‘ଓଡ଼ିଶା ଜିଲ୍ଲା ଖଣିଜ ପ୍ରତିଷ୍ଠାନ ନିୟମାବଳୀ, ୨୦୧୫’ର ସିଧାସଳଖ ଉଲ୍ଲଂଘନ।
କ’ଣ ଥିଲା ମାମଲା?
କାଳିଆପାଣି ସରପଞ୍ଚ ବିକାଶ କୁମାର ପାତ୍ର, ଜିଲ୍ଲା ପରିଷଦ ସଦସ୍ୟା ଜେମା ଚାଖି, ପଞ୍ଚାୟତ ସମିତି ସଦସ୍ୟ ନୀତିମା ମୁଣ୍ଡା ଓ ସାଲୁକା ହାନହଗା ଏବଂ ରଣସୋଲ ସରପଞ୍ଚ କନକଲତା ସର୍ଦ୍ଦାରଙ୍କ ପକ୍ଷରୁ ଏକ ମାମଲା (WP(C) No. 22794/2025) ଦାୟର କରାଯାଇଥିଲା। ରାଜ୍ୟ ସରକାର ଗତ ୨୦୨୫ ଜୁଲାଇ ୨୪ ତାରିଖରେ ଏକ ବିଜ୍ଞପ୍ତି ଜାରି କରି ଯାଜପୁର DMF ବୋର୍ଡରେ ପିମ୍ପୁଡ଼ିଆ, ହରିପୁର ଏବଂ ଧୂଳିଗଡ଼ ପଞ୍ଚାୟତର ସରପଞ୍ଚଙ୍କୁ ସଦସ୍ୟ ଭାବେ ଅନ୍ତର୍ଭୁକ୍ତ କରିଥିଲେ। ଆବେଦନକାରୀଙ୍କ ଯୁକ୍ତି ଥିଲା ଯେ, ଏହି ତିନୋଟି ପଞ୍ଚାୟତରେ କୌଣସି ଖଣି ନାହିଁ, ତେଣୁ ସେମାନଙ୍କୁ ବୋର୍ଡରେ ରଖିବା ବେଆଇନ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଉପେନ୍ଦ୍ର କୁମାର ସାମଲ ମାମଲା ପରିଚାଳନା କରୁଥିବା ବେଳେ ସରକାରଙ୍କ ପକ୍ଷରୁ ଅତିରିକ୍ତ ସରକାରୀ ଓକିଲ ଶାଶ୍ୱତ ଦାସ ପକ୍ଷ ରଖିଥିଲେ।
ସରକାରଙ୍କ ଯୁକ୍ତି ଓ କୋର୍ଟଙ୍କ ପର୍ଯ୍ୟବେକ୍ଷଣ:
ରାଜ୍ୟ ସରକାର ଯୁକ୍ତି ବାଢ଼ିଥିଲେ ଯେ, ଖଣି କାର୍ଯ୍ୟ ଦ୍ୱାରା ପରୋକ୍ଷରେ ପ୍ରଭାବିତ ହେଉଥିବା ଗାଁଗୁଡ଼ିକର ବିକାଶ ପାଇଁ ସେମାନଙ୍କ ପ୍ରତିନିଧିତ୍ୱ ଆବଶ୍ୟକ। ମାତ୍ର କୋର୍ଟ ଏହାକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ, ନିୟମ ୪(୧)(vi) ଅନୁଯାୟୀ କେବଳ ସେହି ପଞ୍ଚାୟତିରାଜ ଅନୁଷ୍ଠାନର ପ୍ରତିନିଧି ବୋର୍ଡରେ ରହିପାରିବେ, ଯେଉଁ ଅଞ୍ଚଳରେ ପ୍ରକୃତରେ ଖଣି ଅବସ୍ଥିତ। କଲ୍ୟାଣକାରୀ ଉଦ୍ଦେଶ୍ୟ ଆଳରେ ସ୍ପଷ୍ଟ ଆଇନଗତ ବ୍ୟବସ୍ଥାକୁ ବଦଳାଯାଇ ପାରିବ ନାହିଁ।
ହାଇକୋର୍ଟଙ୍କ ନିର୍ଦ୍ଦେଶ:
୧. ତିନି ଜଣ ଅଣ-ଖଣି ଅଞ୍ଚଳର ସରପଞ୍ଚଙ୍କୁ ସାମିଲ କରିଥିବା ଜୁଲାଇ ୨୪ର ବିଜ୍ଞପ୍ତିକୁ କୋର୍ଟ ରଦ୍ଦ କରିଛନ୍ତି।
୨. ଯୋଜନା ଓ ସଂଯୋଜନ ବିଭାଗକୁ ନିୟମ ଅନୁଯାୟୀ DMF ବୋର୍ଡ ପୁନର୍ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
୩. ଏହି ସମସ୍ତ ପ୍ରକ୍ରିୟା ଆସନ୍ତା ୪ ସପ୍ତାହ ମଧ୍ୟରେ ଶେଷ କରିବାକୁ କୁହାଯାଇଛି।
ଏହି ରାୟ ପରେ ରାଜ୍ୟର ଅନ୍ୟ ଖଣିଜ ଜିଲ୍ଲାଗୁଡ଼ିକରେ ଥିବା DMF ବୋର୍ଡ ଗଠନ ପ୍ରକ୍ରିୟା ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଖଣି ପ୍ରଭାବିତ ଅଞ୍ଚଳର ଲୋକଙ୍କ ସ୍ୱାର୍ଥ ରକ୍ଷା ଏବଂ DMF ପାଣ୍ଠିର ସଠିକ୍ ବିନିଯୋଗ କ୍ଷେତ୍ରରେ ଏହି ରାୟ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ଆଇନ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।





