ଜାପାନର ମୁନ୍ ମିଶନ୍ ସଫଳ; ସଫ୍ଟ ଲ୍ୟାଣ୍ଡିଂ ବେଳେ ଦେଖାଦେଲା ତ୍ରୁଟି

ଭୁବନେଶ୍ବର,୨୦/୧(ସତ୍ୟପାଠ ବ୍ୟୁରୋ):     ମହାକାଶରେ ଜାପାନ ରଚିଲା ଇତିହାସ । ୫ମ ଦେଶ ଭାବେ ଜହ୍ମରେ ଅବତରଣ କଲା ଜାପାନ । ଏହାପୂର୍ବରୁ ଆମେରିକା, ଋଷ, ଚୀନ୍ ଏବଂ ଭାରତ ଜହ୍ନରେ ଅବତରଣ କରିସାରିଛନ୍ତି । ୫ମ ଦେଶ ଭାବରେ ଜାପାନର ମୁନ୍-ସ୍ନାଇପର ଲ୍ୟାଣ୍ଡର ସଫ୍ଟ ଲ୍ୟାଣ୍ଡିଂ ସଫଳ ହେଇଛି। ଅବତରଣ ସମୟରେ ସାମାନ୍ୟ ବୈଷୟିକ ତ୍ରୁଟି ଦେଖାଦେଇଥିଲା ବୋଲି ଜାପାନୀ ମହାକାଶ ଏଜେନ୍‌ସି ‘ଜାକ୍ସା’ କହିଛି।। 

 ପ୍ରଥମ ପ୍ରୟାସରେ ଅବତରଣ କରିବାରେ ସଫଳ ହୋଇଛି ଜାପାନ । ଜାପାନର ସ୍ଥାନୀୟ ସମୟ ଅନୁଯାୟୀ ସ୍ମାର୍ଟ ଲ୍ୟାଣ୍ଡର ଫର ଇନଭେଷ୍ଟିଗେସନ୍ ମୁନ୍ ମିଶନ ରାତି ପ୍ରାୟ ୧୨ଟା ୨୦ମିନିଟ୍ ରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଥିଲା । ଜାପାନର ଏହି ଅଭିଯାନକୁ ମୁନ୍ ସ୍ନାଇପର କୁହାଯାଉଛି । ଅବତରଣ ଉଦ୍ୟମ ବେଳେ ସାମାନ୍ୟ ବୈଷୟିକ ତ୍ରୁଟି ଘଟିବାରୁ ତାହା ଏପର୍ଯ୍ୟନ୍ତ ସୌରଶକ୍ତି ଗ୍ରହଣ କରିପାରୁ ନାହିଁ ବୋଲି ଜାପାନୀ ମହାକାଶ ଏଜେନ୍‌ସି ‘ଜାକ୍ସା’ କହିଛି।

ଜାକ୍ସା’ କହିଛି, ଅବତରଣ ଉଦ୍ୟମ ବେଳେ ବାଧା ହେବାରୁ ‘ସୋଲାର୍‌ ସେଲ୍‌’ କାମ କରୁ ନ ଥିବାରୁ ଏପର୍ଯ୍ୟନ୍ତ ମହାକାଶଯାନ ସୌରଶକ୍ତି ଗ୍ରହଣ କରିପାରୁ ନାହିଁ। ସମ୍ପ୍ରତି ଉକ୍ତ ମହାକାଶଯାନ ନିଜସ୍ବ ବ୍ୟାଟେରିରେ ଚାଲୁଛି। ସେ ବ୍ୟାଟେରି ଅଳ୍ପ କେତେ ଘଣ୍ଟା ପାଇଁ କାମ କରିବ। ‘ସୋଲାର୍‌ ସେଲ୍‌’ଗୁଡ଼ିକୁ ଯଦି ପୁନଃକାର୍ଯ୍ୟକ୍ଷମ କରାଯାଇ ନ ପାରେ, ତଥାପି ଏହି ଅଭିଯାନକୁ ସଫଳ ବୋଲି କୁହାଯିବ। କାରଣ, ଏହା ସୁଦୂର ଚନ୍ଦ୍ରରେ ଅବତରଣ କରିପାରିଛି। ଯେମିତି ହେଉ ପଛେ, ଆମେ ଚନ୍ଦ୍ର ପୃଷ୍ଠରେ ଅବତରଣ ତ କରିପାରିଛୁ ବୋଲି କହିଛନ୍ତି ‘ଜାକ୍ସା’ର ଅଧିକାରୀମାନେ।

ସୂଚନାଯୋଗ୍ୟ, ଜାପାନୀ ସମୟ ହିସାବରେ ୨୦୨୪ ଜାନୁଆରି ୨୦ ତାରିଖ ରାତି ୧୨.୨୦ରେ ‘ସ୍ଲିମ୍‌’ ଚନ୍ଦ୍ରପୃଷ୍ଠରେ ଅବତରଣ କରିଛି। ଅବତରଣ ପରେ ତା’ ସହିତ ଯୋଗାଯୋଗ କରାଯାଇ ପାରିଛି। କିନ୍ତୁ, ‘ସୋଲାର୍‌ ସେଲ୍‌’ଗୁଡ଼ିକ ସୌରଶକ୍ତି ସଂଗ୍ରହ କରି ପାରୁ ନ ଥିବାରୁ ‘ସ୍ଲିମ୍‌’ ଚନ୍ଦ୍ରପୃଷ୍ଠରୁ ସଂଗ୍ରହ କରିଥିବା ‘ଡାଟା’ ଅଧିଗ୍ରହଣ ଉପରେ ଗୁରୁତ୍ବ ଦିଆଯାଉଛି ବୋଲି ‘ଜାକ୍ସା’ର ଅନ୍ୟତମ ଅଧିକାରୀ ହିତୋଶି କୁନିନାକା କହିଛନ୍ତି।

ଏହି ମହାକାଶଯାନରେ କୌଣସି ମହାକାଶଚାରୀ ନଥିଲେ । ୦୬ ସେପ୍ଟେମ୍ବର ୨୦୨୩ରେ ସ୍ମାର୍ଟ ଲ୍ୟାଣ୍ଡର ଫର ଇନଭେଷ୍ଟିଗେସନ୍ ମୁନ୍ ମିଶନ ଲଞ୍ଚ ହୋଇଥିଲା । ଡିସେମ୍ବର ୨୫ରେ ଏହା ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିଲା । ଜାପାନ ମଧ୍ୟ ଗତବର୍ଷ ଚନ୍ଦ୍ରକୁ ଏକ ଲ୍ୟାଣ୍ଡର ପଠାଇଥିଲା । କିନ୍ତୁ ତାଙ୍କୁ ସଫଳତା ମିଳିନଥିଲା ।

ଗତବର୍ଷ ଭାରତର ବିଶ୍ୱର ଚତୁର୍ଥ ଦେଶ ଭାବରେ ଚନ୍ଦ୍ରରେ ପହଞ୍ଚି ଇତିହାସ ରଚିଥିଲା । ସେହିପରି ଗତବର୍ଷ ରୁଷିଆ ମଧ୍ୟ ଚନ୍ଦ୍ରରେ ପହଞ୍ଚିବାକୁ ଚେଷ୍ଟା କରିଥିଲା କିନ୍ତୁ ଏଥିରେ ବିଫଳ ହୋଇଥିଲା ।

Related Posts