ସୁପ୍ରିମକୋର୍ଟର ଲିଷ୍ଟିଂ ସିଷ୍ଟମକୁ ନେଇ ବିଚାରପତିଙ୍କ ପ୍ରଶ୍ନ: ମାମଲାର ଶୁଣାଣି ପାଇଁ ମିଳୁନାହିଁ ପର୍ଯ୍ୟାପ୍ତ ସମୟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ଲିଷ୍ଟିଂ ସିଷ୍ଟମକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଖୋଦ୍ ବିଚାରପତି । ଯାହା ଏବେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଉଦୟ ଉମେଶ ଲଳିତଙ୍କ ଦ୍ଵାରା ଲାଗୁ ନୂତନ କେସ୍ ଲିଷ୍ଟିଂକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବିଚାରପତି ସଞ୍ଜୟ କିଶନ କୌଲ। ସେ କହିଛନ୍ତି ନୂତନ ଲିଷ୍ଟିଂ ସିଷ୍ଟମ ଯୋଗୁଁ ମାମଲାର ଶୁଣାଣି ପାଇଁ ପର୍ଯ୍ୟାପ୍ତ ସମୟ ମିଳୁନାହିଁ।

ପ୍ରଧାନ ବିଚାରପତି ଉଦୟ ଉମେଶ ଲଳିତ ନୂତନ ସିଷ୍ଟମର ଆରମ୍ଭ କରିଛନ୍ତି। ଯଦ୍ଵାରା ଦୀର୍ଘ ସମୟ ଧରି ପଡି ରହିଥିବା କେସ୍‌ ସମାଧାନ ହୋଇ ପାରିବ। ହେଲେ ଏହି ନୂତନ ସିଷ୍ଟମ ଉପରେ ସୁପ୍ରିମକୋର୍ଟର ତିନି ଜଣିଆ ପୀଠ ନାପସନ୍ଦ କରିଛନ୍ତି। ତେବେ ସିଜେଆଇ ଲଳିତ କୌଣସି ପ୍ରକାରର ମତଭେଦକୁ ଅସ୍ଵୀକାର କରି ସୁପ୍ରିମକୋର୍ଟର ସମସ୍ତ ଜଜ ଏକମତ ବୋଲି କହିଛନ୍ତି।

ସୁପ୍ରିମକୋର୍ଟ ବାର ଆସୋସିଏସନ ଦ୍ଵାରା ଆୟୋଜିତ ଏକ କାର୍ଯ୍ୟକ୍ରମ ସମୟରେ ସିଜେଆଇ କହିଛନ୍ତି, ଆମେ ମାମଲା ଲିଷ୍ଟିଂର ନୂତନ ତରିକା ଆପଣା ଯାଇଛି। ମାମଲାକୁ ନେଇ ଯେଉଁ ସବୁ କଥା ଉଠୁଛି, ତାହା ଠିକ୍ ନୁହେଁ। ସମସ୍ତ ଜଜ ଏକମତ ଅଛନ୍ତି। ଲିଷ୍ଟିଂର ନୂତନ ସିଷ୍ଟମ କାରଣରୁ କାମ ଦ୍ରୁତ ଗତିରେ ଚାଲିଛି। ଯେବେଠୁ ଏହାକୁ ଲାଗୁ କରାଯାଇଛି ୫୨୦୦ କେସ୍‌ର ଫଇସଲା ହୋଇ ସାରିଛି।

ବିଚାରପତି ସଞ୍ଜୟ କିଶନ କୌଲଙ୍କ ନେତୃତ୍ଵାଧୀନ ତିନି ଜଣିଆ ପୀଠ ଏକ ମାମଲାର ଶୁଣାଣି ସମୟରେ କହିଥିଲେ, ନୂତନ ଲିଷ୍ଟିଂ ସିଷ୍ଟମ ଯୋଗୁଁ ମାମଲାର ଶୁଣାଣି ପାଇଁ ପର୍ଯ୍ୟାପ୍ତ ସମୟ ମିଳୁନାହିଁ। ଆଜି ବି ଏମିତି ଘଟୁଛି କାରଣ ଅପରାହ୍ନ ପରର ସେସନରେ ଅନେକ ମାମଲା ପଡି ରହୁଛି। ଯେଉଁ କେସ୍‌ର ଶୁଣାଣି ସମୟରେ ପୀଠ ଏହା କହିଛନ୍ତି, ସେହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୫ ଧାର୍ଯ୍ୟ କରାଯାଇଛି।

କଣ ଏହି ନୂତନ ଲିଷ୍ଟିଂ ସିଷ୍ଟମ

ଲିଷ୍ଟିଂର ନୂତନ ସିଷ୍ଟମ ଅନୁଯାୟୀ, ସୁପ୍ରିମକୋର୍ଟର ୩୦ ଜଜ ଦୁଇଟି ଅଲଗା ଅଲଗା ସିଫ୍ଟରେ କାମ କରିବେ। ସୋମବାର ଏବଂ ଶୁକ୍ରବାର ଦୁଇଟି ଗ୍ରୁପରେ ଜଜ୍ ବସିବେ। ପ୍ରତିଟି ପୀଠ ୬୦ ଭିନ୍ନ ଭିନ୍ନ ମାମଲାର ଶୁଣାଣି କରିବେ, ଯେଉଁଥିରେ ନୂତନ ଦାଖଲ କେସ୍‌ ଏବଂ ପିଆଇଏଲ ବି ସାମିଲ୍। ଏହା ବ୍ୟତୀତ ମଙ୍ଗଳବାର, ବୁଧବାର ଏବଂ ଗୁରୁବାର ତିନି ଜଜଙ୍କ ପୀଠ ବର୍ଷ ବର୍ଷ ଧରି ବିଚାରଧୀନ ମାମଲାର ଶୁଣାଣି କରିବେ ।

Related Posts