ରାଫେଲ ଚୁକ୍ତିକୁ ନେଇ ଫ୍ରାନ୍ସରେ ବିଚାର ବିଭାଗୀୟ ତଦନ୍ତ , ଭାରତରେ ଜୋର ଧରିଲା ରାଜନୀତି : ଜେପିସି ତଦନ୍ତ ଦାବି କଲା କଂଗ୍ରେସ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଭାରତ ସହ ଫ୍ରାନ୍ସର ୫୯ ହଜାର କୋଟି ଟଙ୍କାର ରାଫେଲ ଡିଲ୍ ରେ ହୋଇଥିବା ଦୁର୍ନୀତି ଓ ପକ୍ଷପାତିତା ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି। ଏନେଇ ଫ୍ରାନ୍ସ ସରକାରଙ୍କ ପକ୍ଷରୁ ଜଣେ ସ୍ୱତନ୍ତ୍ର ଜଜ୍ ନିଯୁକ୍ତ କରାଯାଇଛି । ଫ୍ରାନ୍ସର ତଦନ୍ତକାରୀ ଓ୍ବେବସାଇଟ୍‌ ଫ୍ରେଞ୍ଚ ପବ୍ଲିକସେନ ମିଡିଆ ପାର୍ଟ ଏନେଇ ବାରମ୍ବାର ରିପୋର୍ଟ ପ୍ରକାଶ କରିଥିଲା। ଏହା ପରେ ରାଫେଲ ଡିଲ ଉପରେ ଯାଂଚ ନିର୍ଦ୍ଦେଶ ଦେଇଛି । ଫ୍ରାନ୍ସର ସେରପା ନାମରେ ଏକ ବେସରକାରୀ ସଂସ୍ଥା ରାଫେଲ ଡିଲକୁ ନେଇ ଅଭିଯୋଗ ଆଣିଥିଲା । ଏହାପରେ ଭାରତରେ ପୁଣି ଥରେ ରାଜନୀତି ସରଗରମ ହୋଇଛି। ଏହି ପ୍ରସଙ୍ଗରେ କଂଗ୍ରେସ ପ୍ରବକ୍ତା ରଣଦୀପ ସୁରଜଓ୍ବୋଲା କହିଛନ୍ତି, ” ରାଫେଲ ଚୁକ୍ତିରେ ଦୁର୍ନୀତି ବର୍ତ୍ତମାନ ସ୍ପଷ୍ଟ ହୋଇଛି। କଂଗ୍ରେସ ପାର୍ଟି ଏବଂ ରାହୁଲ ଗାନ୍ଧୀଙ୍କ ଷ୍ଟାଣ୍ଡ ଆଜି ପ୍ରମାଣିତ ହୋଇଛି। ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗକୁ ଆସି ରାଫେଲ ଡିଲ୍ ଉପରେ ଯୁଗ୍ମ ସଂସଦୀୟ କମିଟି (ଜେପିସି) ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ। ୫୯ ହଜାର କୋଟି ଟଙ୍କାର ଚୁକ୍ତିରେ ଦୁର୍ନୀତି ହୋଇଥିବା ସ୍ପଷ୍ଟ ହୋଇଛି। ଫ୍ରେଞ୍ଚ ସରକାର ତଦନ୍ତ ନିର୍ଦ୍ଦେଶ ଦେବା ପରେ ପ୍ରମାଣିତ ହୋଇଛି କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ଦାବିରେ ସତ୍ୟତା ଥିଲା। ” ସୂଚନାଯୋଗ୍ୟ ଯେ ୨୦୧୯ ସାଧାରଣ ନିର୍ବାଚନ କଂଗ୍ରେସ ରାଫେଲ କୁ ମୁଦ୍ଦା କରିଥିଲା। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗକୁ ନେଇ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଜୋରଦାର ହମଲା କରିଥିଲେ। ବର୍ତ୍ତମାନ ପୁଣି ଥରେ ଏହି ପ୍ରସଙ୍ଗ ଚର୍ଚ୍ଚାକୁ ଆସିବା ପରେ ଶନିବାର ଦିନ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଟ୍ବିଟ୍ କରି କହିଛନ୍ତି ଯେ, “ତିନୋଟି ଜିନିଷ ଦୀର୍ଘ ଦିନ ପର୍ଯ୍ୟନ୍ତ ଲୁଚି ରହିପାରିବ ନାହିଁ – ସୂର୍ଯ୍ୟ, ଚନ୍ଦ୍ର ଏବଂ ସତ୍ୟ। – ଲର୍ଡ଼ ବୁଦ୍ଧ।” ସେହିଭଳି ରାହୁଲ ଗାନ୍ଧୀ ମଧ୍ୟ “# ରାଫେଲ୍ ସ୍କାମ” ହ୍ୟାସଟ୍ୟାଗ୍ ବ୍ୟବହାର କରି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ। କଂଗ୍ରେସର ଦାବି ପରେ ଭାଜପା ଏହାର ଜବାବ ରଖି କହିଛି ଯେ ”ମିଛ କହିବା କଂଗ୍ରେସର ପୁରୁଣା ଅଭ୍ୟାସ। ଏବେ ରାଫେଲ ଚୁକ୍ତି ସମ୍ପର୍କରେ ମିଛ କହୁଛି କଂଗ୍ରେସ। ଫ୍ରାନ୍ସର ଏକ ଏନ୍‌ଜିଓ (ଶେରପା) ଅଭିଯୋଗ ଆଣିବା ପରେ ଏହାର ଆର୍ଥିକ ପ୍ରସିକ୍ୟୁଶନ ବିଭାଗ ତଦନ୍ତ ନିର୍ଦ୍ଦେଶ ଦେଇଛି। ଏହାକୁ ଦୁର୍ନୀତି କୁହାଯିବା ଉଚିତ୍‌ ନୁହେଁ“ ବୋଲି ଭାଜପା ନେତା ସମ୍ବିତ ପାତ୍ର କହିଛନ୍ତି। ଫ୍ରାନ୍ସର ଡାସଲ୍ଟ ଆଭିଏସନ ପ୍ରଥମେ ୨୦୧୨ ରେ ଭାରତକୁ ୧୨୬ ଟି ରାଫେଲ୍ ଜେଟ୍ ଯୋଗାଇବା ପାଇଁ ଏକ ଚୁକ୍ତି କରିଥିଲା ​​ଏବଂ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (HAL) ସହିତ ବୁଝାମଣା କରିଥିଲା।ଏହା ପରେ, HAL ଠାରୁ ଏହି ଡିଲ୍ ପ୍ରତ୍ୟାହାର କରି ରିଲାଏନ୍ସ ଗ୍ରୁପ୍ ସହ ୩୬ ଟି ଜେଟ୍ ପାଇଁ ଏକ ନୂତନ ଚୁକ୍ତିନାମା ଚୂଡାନ୍ତ ହେଲା । ଏପ୍ରିଲ ୨୦୧୫ ରେ ପ୍ରଧାନମନ୍ତ୍ରୀ ମୋଦୀ ଫ୍ରାନ୍ସ ଗସ୍ତ କରିଥିଲେ। ଏହି ସମୟରେ ୩୬ ଟି ରାଫେଲ ଜେଟ୍ କିଣିବା ପାଇଁ ଭାରତ-ଫ୍ରାନ୍ସ ମିଳିତ ଘୋଷଣା କରିଥିଲେ। ଦୁଇ ଦେଶର ସରକାରଙ୍କ ମଧ୍ୟରେ ୨୦୧୬ରେ ହୋଇଥିବା ଚୁକ୍ତିରେ ତଦନ୍ତ ପ୍ରକ୍ରିୟା ଜୁନ ୧୪ରୁ ଆରମ୍ଭ ହୋଇଛି। ୨୦୧୬ରେ ଡାସଲ୍ଟ ଦ୍ୱାରା ନର୍ମିତ ୩୬ ରାଫେଲ ଫାଇଟର ଜେଟ୍‌ ଭାରତକୁ ଯୋଗାଇବା ପାଇଁ ଫ୍ରାନ୍ସ ସହ ୭.୮ ବିଲିୟନ ୟୁରୋର ଚୁକ୍ତି କରିଥିଲା। ଏଥିରେ ଦୁର୍ନୀତି ସନ୍ଦେହରେ ତଦନ୍ତ ଆରମ୍ଭ ହୋଇଥିବା ମିଡିଆପାର୍ଟରେ ଉଲ୍ଲେଖ ରହିଛି।ତତ୍କାଳୀନ ଫ୍ରାନ୍ସ ରାଷ୍ଟ୍ରପତି ଫ୍ରାଙ୍କୋଇସ୍‌ ହଲାଣ୍ଡେଙ୍କ ସମେତ ବର୍ତ୍ତମାନ ଫ୍ରାନ୍ସର ରାଷ୍ଟ୍ରପତି ଥିବା ଇମାନୁଏଲ ମାର୍କନ୍‌ ସେତେବେଳେ ଅର୍ଥମନ୍ତ୍ରୀ ଥିବାରୁ ତାଙ୍କର ଭୂମିକାକୁ ନେଇ ମଧ୍ୟ ତଦନ୍ତ ପରିସରଭୁକ୍ତ ହେବ। ଏତଦ୍ ବ୍ୟତୀତ ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ତଥା ବର୍ତ୍ତମାନର ବୈଦେଶିକ ମନ୍ତ୍ରୀ ଜିନ୍‌ ୟେସ୍‌ ଲି ଡ୍ରିଆନ୍‌ଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଛି। ମିଡିଆପାର୍ଟ ପ୍ରତିନିଧି ୟାନ୍‌ ଫିଲିପିନ୍‌ ଏହି ଦୁର୍ନୀତି ସମ୍ପର୍କରେ କ୍ରମାଗତ ଖବର ପ୍ରକାଶ କରି ଚାଲିଛନ୍ତି। ଏପ୍ରିଲରେ ଫ୍ରାନ୍ସର ଏକ ସ୍ବେଚ୍ଛାସେବୀ ସଂସ୍ଥା ‘ସେର୍‌ପା’ ପକ୍ଷରୁ ଅଭିଯୋଗ ହେବା ପରେ ମିଡିଆପାର୍ଟ ପକ୍ଷରୁ ଖବର ପ୍ରସାରିତ ହୋଇଥିଲା। ଡାସଲ୍ଟ କମ୍ପାନୀ ଭାରତୀୟ ମଧ୍ୟସ୍ଥଙ୍କୁ ୧୦ଲକ୍ଷ ୟୁରୋ ଉତ୍କୋଚ ଦେଇଥିବା ଏହି ଖବରରେ ପ୍ରକାଶ ପାଇଥିଲା। ଡାସଲ୍ଟ ପକ୍ଷରୁ ଏହି ଅଭିଯୋଗକୁ ଖଣ୍ଡନ କରାଯାଇଛି।

Related Posts