ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଡ. ଜଷ୍ଟିସ୍ ବିଦ୍ୟୁତ୍ ରଂଜନ ଷଡ଼ଙ୍ଗୀ ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି। ନୂତନ ଦାୟିତ୍ବ ନେଇ କେନ୍ଦ୍ର ଆଇନ୍ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଅକ୍ଟୋବର ୪ରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଅବସର ଗ୍ରହଣ କରିବା ପରେ ବରିଷ୍ଠ ବିଚାରପତି ଷଡ଼ଙ୍ଗୀଙ୍କୁ ଏହି ଦାୟିତ୍ବ ମିଳିବ।
ସୂଚନାଯୋଗ୍ୟ, ଡ ଜଷ୍ଟିସ ବିଦ୍ୟୁତ୍ ରଂଜନ ଷଡ଼ଙ୍ଗୀ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅଧୀନ ପାନ୍ତିଖରିଶାସନରେ ୧୯୬୨ ମସିହା ଜୁଲାଇ ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତା ସ୍ବର୍ଗତ ବାଞ୍ଚାନିଧି ଷଡ଼ଙ୍ଗୀ ଓଡ଼ିଶା ଅର୍ଥନୈତିକ ସେବା (ଓଏଫ୍ଏସ୍)ରେ ତଥା ରାଜ୍ୟ ସରକାରଙ୍କ ଆର୍ଥନୈତିକ ଉପଦେଷ୍ଟା ଥିଲେ। ତାଙ୍କର ମା’ ସ୍ବର୍ଗତା ଶୈଳବାଳା ଷଡ଼ଙ୍ଗୀ ଗୃହିଣୀ ଥିଲେ। ଓଡ଼ିଶା ହାଇକୋର୍ଟର ଆଇନଜୀବୀ ନିରୁପମା ଷଡ଼ଙ୍ଗୀଙ୍କୁ ଜଷ୍ଟିସ ବିଦ୍ୟୁତ୍ ରଂଜନ ଷଡ଼ଙ୍ଗୀ ବିବାହ କରିଥିଲେ। ଜଷ୍ଟିସ ଷଡ଼ଙ୍ଗୀ ମାଟ୍ରିକ ଉତ୍ତୀର୍ଣ୍ଣ ହେବା ପରେ ବିଜେବି କଲେଜରୁ ବାଣିଜ୍ୟରେ ସ୍ନାତକ ପାସ୍ ହୋଇଥିଲେ। ଏହା ପରେ ସେ କଟକସ୍ଥିତ ତତ୍କାଳୀନ ମଧୁସୂଦନ ଆଇନ୍ ମହାବିଦ୍ୟାଳୟରୁ ଏଲଏଲ୍ବି ଓ ଏଲଏଲଏମ୍ ପାଠ ପଢ଼ିଥିଲେ। ପରେ ସମ୍ବଲପୁର ବିଶ୍ବବିଦ୍ୟାଳୟରୁ ପିଏଚ୍ଡି ହାସଲ କରିଥିଲେ। ୧୯୮୫ରେ ସେ ବାର୍ ଆସୋସିଏସନରେ ଯୋଗଦେଇ ନିୟମିତ ଭାବେ ଓଡ଼ିଶା ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଆଇନ ଅଭ୍ୟାସ କରିଥିଲେ।





