ବଢ଼ିଲା କେଜ୍ରିଓ୍ୱାଲଙ୍କ ଅଡୁଆ; ଇଡି ସମନରେ ହଜାର ହେଉନଥିବାରୁ, ସମନ ଜାରି କଲେ କୋର୍ଟ

 ଭୁବନେଶ୍ୱର,୭/୩(ସତ୍ୟପାଠ ବ୍ୟୁରୋ):  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପାଇଁ ବଢିଲା ଅଡୁଆ। ପୁଣି ଥରେ ତାଙ୍କୁ ଡକାଇଲେ କୋର୍ଟ। ତଥାକଥିତ ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ କେଜ୍ରିଓ୍ୱାଲଙ୍କୁ ରାଉଜ ଏଭେନ୍ୟୁ କୋର୍ଟ ସମନ ପଠାଇଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଭିଯୋଗ ପରେ କୋର୍ଟ ଏହି ସମନ ଜାରି କରିଛନ୍ତି। କେଜ୍ରିଓ୍ୱାଲଙ୍କୁ ଆସନ୍ତା ମାର୍ଚ୍ଚ ୧୬ ତାରିଖରେ ହାଜର ହେବାକୁ କହିଛନ୍ତି କୋର୍ଟ।

ମଦ ଦୁର୍ନୀତି ମାମଲାରେ ଇଡି କେଜ୍ରିୱାଲଙ୍କୁ ଆଠଟି ସମନ ପଠାଇବା ସତ୍ତ୍ୱେ ସେ ଥରେ ବି ଇଡିରେ ହାଜର ହୋଇନାହାନ୍ତି। ଜାଣିଶୁଣି କେଜ୍ରିଓ୍ୱାଲ ସମନକୁ ଏଡାଇ ଦେଉଥିବା ଅଭିଯୋଗ କରି ଇଡି କୋର୍ଟର ଦ୍ୱାରସ୍ଥ ହୋଇଛି। କେଜ୍ରିଓ୍ୱାଲଙ୍କ ବିରୋଧରେ ମକଦ୍ଦମା ଚଳାଇବା ପାଇଁ କୋର୍ଟକୁ ଅନୁରୋଧ କରିଛି ଇଡି।

  ଇଡିର ବାରମ୍ବାର ସମନକୁ କେଜ୍ରିଓ୍ୱାଲ ବେଆଇନ ବୋଲି କହିଛନ୍ତି। ଏହି ସମନ ବେଆଇନ ତଥାପି ସେ ଇଡି ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ବୋଲି ମାର୍ଚ୍ଚ ୧୨ ପରେ ସେ ଇଡିକୁ ତାରିଖ ମାଗିଥିଲେ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେ ପ୍ରଶ୍ନର ଉତ୍ତର ଦେବେ ବୋଲି କେଜ୍ରିୱାଲ କହିଥିଲେ। କିନ୍ତୁ ଭିଡିଓ କନ୍‌ଫରେନ୍ସିଂରେ ପଚରାଉଚରା କରାଯାଇପାରିବ ନାହିଁ ବୋଲି କହିଥିଲା ଇଡି।

ସୂଚନାଯୋଗ୍ୟ, ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଟଙ୍କା ହେରଫେର ଅଭିଯୋଗରେ ବର୍ତ୍ତମାନ ସୁଦ୍ଧା ଇଡି ୧୪ ଜଣଙ୍କୁ ଗିରଫ କରିସାରିଛି। ଏଥିରେ ଅମ୍‌ ଆଦମୀ ପାର୍ଟିର ଅନେକ ନେତା ଗିରଫ ହୋଇଛନ୍ତି ଏବଂ ଗିରଫ ନେତାଙ୍କ ମଧ୍ୟରେ କେଜ୍ରିଓ୍ୱାଲ ସରକାରଙ୍କ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ୍‌, ସଞ୍ଜୟ ସିଂହ ଓ ବିଜୟ ନାୟର ପ୍ରମୁଖ ଅଛନ୍ତି।

Related Posts