ନବ ବାବୁ ଡାକ୍ତର କେଉଁଠୁ ଆଣିବେ କୁହନ୍ତୁ ?

ସ୍ୱାସ୍ଥ୍ୟସେବାର ବିକାଶ ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରୁଥିବାବେଳେ ହଜାର ହଜାର ଡାକ୍ତର ଓ ଡାକ୍ତରଖାନା ସହ ଜଡିତ ଅନ୍ୟାନ୍ୟ ପଦ ପଦବୀ ଖାଲିପଡିବା ଏକ ବଡ ଆହ୍ୱାନ । ରାଜ୍ୟ ସରକାରଙ୍କ ଚିଠା ସ୍ୱାସ୍ଥ୍ୟ ନୀତିରେ ସ୍ୱୀକାର କରାଯାଇଛି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନୀତି ଅନୁଯାୟୀ ପ୍ରତି ୧୦ହଜାର ଜନସଂଖ୍ୟାରେ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀ ଆଦିଙ୍କୁ ମିଶାଇ ହାରାହାରି ୨୩ଜଣ ରହିବା କଥା । ଓଡିଶାରେ କିନ୍ତୁ ଏହି ସଂଖ୍ୟା ୧୦ରୁ କମ୍‍ ରହିଛି । ସରକାର ଗୋଟିଏ ପଟେ ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କ ପଦବୀ ସଂଖ୍ୟା ବଢାଇ ଚାଲିଛନ୍ତି ସତ କିନ୍ତୁ ବାସ୍ତବରେ ଏ ସବୁ ପୂରଣ ହୋଇପାରୁନାହିଁ ।

ସ୍ୱାସ୍ଥ୍ୟ ନୀତିର ପରିସଂଖ୍ୟାନ ଅନୁଯାୟୀ ଅନ୍ୟୁନ ୧୦ ପ୍ରତିଶତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ହେଲେ ଏଲୋପାଥିକ ଡାକ୍ତର ନାହାନ୍ତି । ସରକାରୀ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯେତେ ଡାକ୍ତର ମୁତୟନ ହେବାକଥା ତାହାର ପ୍ରାୟ ୨୪ ପ୍ରତିଶତ ପଦବୀ ଖାଲିପଡିଛି । ବିଶେଷଜ୍ଞ ଡାକ୍ତରଙ୍କ ସ୍ଥିତି ଆମ ରାଜ୍ୟରେ ଆହୁରି ଦୟନୀୟ । ଭେଷଜ ବିଶେଷଜ୍ଞ ପଦବୀରୁ ସର୍ବାଧିକ ୮୬ ପ୍ରତିଶତ ଖାଲି ପଡିଥିବାବେଳେ ଶଲ୍ୟ ବିଶେଜ୍ଞ ପଦବୀରୁ ବି ସରକାରୀ ଡାକ୍ତରଖାନା ଗୁଡିକରେ ୭୯ ପ୍ରତିଶତ ଖାଲି । ମା’ ଓ ଶିଶୁଙ୍କ ସ୍ୱାସ୍ଥ୍ୟସେବା ଉପରେ ସର୍ବାଧିକ ଗୁରୁତ୍ୱଆରୋପ କରାଯାଉଥିବାବେଳେ ରାଜ୍ୟର ସରକାରୀ ଡାକ୍ତରଖାନାଗୁଡିକ ପାଇଁ ଯେତେ ସଂଖ୍ୟକ ଶିଶୁରୋଗ ବିଶେଷଜ୍ଞ ପଦବୀ ରହିଛି ସେଥିରୁ ୮୦ ପ୍ରତିଶତ ଏବଂ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ପଦବୀରୁ ୬୨ ପ୍ରତିଶତ ଖାଲି ।

ସଂଖ୍ୟାଧିକ ଡାକ୍ତରଖାନାରେ ନିଶ୍ଚେତକ ଦେବାକୁ ବିଶେଷଜ୍ଞ ଡାକ୍ତର ନାହାନ୍ତି । ବିଶେଷଜ୍ଞ ଡାକ୍ତର ମରୁଡି ରାଜ୍ୟ ସ୍ୱାସ୍ଥ୍ୟ ସେବା ପାଇଁ ଏକ ବଡ ଆହ୍ୱାନ ଭାବେ ଠିଆହୋଇଛି । ଏହା ସତ୍ୱେ ବି ଓଡିଶାରେ ଶିଶୁ ଓ ମାତୃ ମୃତ୍ୟୁହାର କମିବା ସଂଗେ ସଂଗେ ଅନ୍ୟାନ୍ୟ ସାଂଘାତିକ ରୋଗବ୍ୟାଧି ଚିକିତ୍ସା କ୍ଷେତ୍ରରେ ସଫଳତା ବଢିଛି । ଏଥିଯୋଗୁଁ ଓଡିଶାରେ ମଣିଷର ହାରାହାରି ପରମାୟୁ ବିଗତ ବର୍ଷ ଗୁଡିକ ତୁଳନାରେ ଢେର ବୃଦ୍ଧି ପାଇଥିବା ଏହି ରିପୋର୍ଟରୁ ଜଣାପଡିଛି ।

ଓଡିଶାର ନିଜସ୍ୱ ଘରୋଇ ଉତ୍ପାଦ (ଜିଏସ୍‍ଡିପି)ର ପ୍ରାୟ ଏକ ପ୍ରତିଶତ ମାତ୍ର ସ୍ୱାସ୍ଥ୍ୟସେବା କ୍ଷେତ୍ର ପାଇଁ ବ୍ୟୟ ହେଉଛି । ଚିିକିତ୍ସା ପାଇଁ ଯେତେ ଅର୍ଥ ଖର୍ଚ୍ଚ ହେଉଛି ତାହାର ଅନ୍ୟୁନ ୭୬ପ୍ରତିଶତ ଘରୋଇ କ୍ଷେତ୍ରରେ ହେଉଛି ଏବଂ ଏହାର ୯୮ ପ୍ରତିଶତ ସାଧାରଣ ଲୋକଙ୍କ ପକେଟରୁ ଯାଉଥିବା ସ୍ୱାସ୍ଥ୍ୟନୀତିରେ ପ୍ରଦତ୍ତ ତଥ୍ୟରୁ ଜଣାପଡିଛି ।

ରାଜ୍ୟ ଜନସଂଖ୍ୟାର ୨୨.୫ ପ୍ରତିଶତ ଅନୁସୂଚିତ ଜନଜାତି । ତେବେ ଏହି ବର୍ଗର ବୟସ୍କ ଲୋକଙ୍କ ମଧ୍ୟରୁ ୫୩.୬ ପ୍ରତିଶତ ରକ୍ତହୀନତାରେ ଆକ୍ରାନ୍ତ ଯାହାକି ସର୍ବାଧିକ । ତେବେ ବିଗତ ୧୦ବର୍ଷ ମଧ୍ୟରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଡାକ୍ତରଖାନାରେ ସନ୍ତାନ ପ୍ରସବ ହାର ବଢିବା ସହିତ ଶିଶୁ ଓ ମାତୃମୃତ୍ୟୁ ହାର କମିଥିବା ଏଥିରେ ଉଲ୍ଲେଖ କରାଯାଇଛି । ସିକିଲିସେଲ୍‍ ଆନିମିଆ, ଥାଲାସିମିଆ ଆଦିର ପ୍ରାର୍ଦୁଭାବ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅଧିକ ରହୁଛି । ଏହି ବର୍ଗର ଶିଶୁମାନଙ୍କ ମଧ୍ୟରୁ ୨୭.୬ ପ୍ରତିଶତ ପୁଷ୍ଟିହୀନତାର ଶିକାର ହେଉଥିବା କଥା ଏହି ରିପୋର୍ଟରେ ଉଲ୍ଲେଖ ଅଛି ।

Related Posts