ଲ୍ୟାଣ୍ଡ ସ୍କାମର ନବୀନ ସୂତ୍ର – ଲ୍ୟାଣ୍ଡ ସ୍ୱାପିଂ

ସତ୍ୟପାଠ ବ୍ୟୁରୋ : ନବୀନ ନିବାସ ପାଇଁ ଜମି ଦଲାଲ ସାଜିଛନ୍ତି ରାଜ୍ୟ ସରକାର । ନବୀନ ନିବାସ ସମ୍ମୁଖ ରାସ୍ତାର ପ୍ରଶସ୍ତୀକରଣ ନାଁରେ ଦେଢ଼ ଏକର ଜମିକୁ କବଜା କରିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୂଚନା ଅଧିକାରରେ ତଥ୍ୟ ମାଗି ଏଭଳି ସାଂଘାତିକ ଅଭିଯୋଗ ଆଣିଛି ପ୍ରଦେଶ କଂଗ୍ରେସ ।

ନବୀନ ନିବାସ ସାମ୍ନା ଦେଇ ଯାଇଛି ସରକାରୀ ରାସ୍ତା । ଯାହାକୁ ନିଜର କରିବାକୁ ଅତି ଗୋପନୀୟ ଓ ସତର୍କତାର ସହ କରାଯାଇଛି ଷଡଯନ୍ତ୍ର । କଂଗ୍ରେସ କହିଛି, ଓଡିଶା ସରକାରଙ୍କ ପକ୍ଷରୁ ୩ ଫେବୃଆରୀ ୨୦୧୬ରେ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆକୁ ଏକ ଚିଠି ଲେଖାଗଲା । ସିଭିଲ ଏଭିଏସନ ମିନିଷ୍ଟ୍ରିକୁ ପ୍ରସ୍ତାବରେ କୁହାଗଲା, ଏୟାରପୋର୍ଟ ଅଥରିଟି କଲୋନୀ ଠାରୁ ପଳାଶପଲ୍ଲୀ ଓଭରବ୍ରିଜ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କର ଯେଉଁ ରାସ୍ତାଟି ଅଛି ତାହାର ପ୍ରଶସ୍ତିକରଣ କରାଯିବ । ସେଥିପାଇଁ ଏୟାରପୋର୍ଟ ଅଥରିଟି ପାଚେରୀ ପାଖରୁ ଆଉ କିଛି ଅଧିକ ଜମି ଦରକାର । ତେଣୁ ଏୟାରପୋର୍ଟ ଅଥରିଟି କିଛି ଜମି ଦିଅନ୍ତୁ । ଏୟାରପୋର୍ଟ ଅଥରିଟି ସରକାରଙ୍କୁ ଯେତିକି ଜମି ଦେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଅଲଗା ଯାଗାରେ ସେତିକି ପରିମାଣର ଜମି ପ୍ରତି ବଦଳରେ ଦିଆଯିବ (ଜମି ସ୍ୱାପିଂ) ।

ଏନେଇ ୧ ଏକର ୬୦୦ ଡିସିମିଲ ଜମି ମାଗିଲେ ରାଜ୍ୟ ସରକାର । ୭ଅକ୍ଟୋବର ୨୦୧୬ରେ ଏୟାରପୋର୍ଟ ଅଥରିଟିର ପ୍ରସ୍ତାବକୁ ସିଭିଲ ଏଭିଏସନ ମିନିଷ୍ଟ୍ରି ଗ୍ରହଣ କଲା ଆଉ କେନ୍ଦ୍ର କ୍ୟାବିନେଟରେ ଆପ୍ରୁଭାଲ ପାଇଁ ନୋଟ ପଠାଗଲା । ୨୭ ଅକ୍ଟୋବର ୨୦୧୬ରେ ସାଉଥ୍ ବ୍ଲକର ରୁମ ନମ୍ବର ୧୫୫ରେ ଦିନ ୧ଟା ୧୦ରେ ବସିଥିବା କେନ୍ଦ୍ର କ୍ୟାବିନେଟରେ ଏ ସଂକ୍ରାନ୍ତୀୟ ନିଷ୍ପତି ନିଆଗଲା । ମାତ୍ର ଗୋଟିଏ ମିନିଟରେ ପଏଂଟ ନମ୍ବର ୬ରେ ଏହାକୁ ଆପ୍ରୁଭ କରିକି ରାଜ୍ୟ ସରକାରଙ୍କୁ ଜମି ସ୍ୱାପିଂ କରିବାକୁ ପ୍ରସ୍ତାବ ଦେଲା କେନ୍ଦ୍ର କ୍ୟାବିନେଟ । ୩୧ ଅକ୍ଟୋବର ୨୦୧୬ରେ ସିଭିଲ ଏଭିଏସନ ମିନିଷ୍ଟ୍ରି ରାଜ୍ୟ ସରକାରଙ୍କୁ ଚିଠି ଲେଖିଲା, କୋଉଠି ଜମି ଦେବେ ତାର ବ୍ୟବସ୍ଥା କରିକି ଜମି ନେଇ ପାରିବେ । ଏହାପରେ ସ୍ୱାପିଂ ଏମଓୟୁ ତିଆରି କରାଗଲା ।

୧୦ ଏପ୍ରିଲ ୨୦୧୭ ତାରିଖରେ, ଉଦୟକାନ୍ତ ତିୱାରୀ (ଆସିଷ୍ଟାଂଟ ଜେନେରାଲ ମ୍ୟାନେଜର , ସିଭିଲ ଏଭିଏସନ ମିନିଷ୍ଟ୍ରି) ଏବଂ ଦିଲ୍ଲୀପ କୁମାର ବିଶ୍ୱାଳ ( ସାଧାରଣ ପ୍ରଶାସନ ବିଭାଗ, ଓଡିଶା ସରକାର)ଙ୍କ ଭିତରେ ଏମଓୟୁ ସ୍ୱାକ୍ଷର କରାଗଲା । ଏମଓୟୁ ମୁତାବକ ଏୟାରପୋର୍ଟ ଅଥରିଟିର ପ୍ଳଟ ନମ୍ବର ୬୫୯ ପାର୍ଟ ରୁ ୮୦ ଡିସିମିଲ ଓ ପ୍ଲଟ ନମ୍ବର ୧୦୩୫ ପାର୍ଟରୁ ୧ଏକର ୫୨୦ ଡିସିମିଲର ଜମି ଆସିଲା ସାଧାରଣ ପ୍ରଶାସନ ବିଭାଗକୁ । ଅନ୍ୟପଟେ ଜିଏ ବିଭାଗ ପକ୍ଷରୁ ଭୀମପୁର ମୌଜାର ପ୍ଲଟ ନମ୍ବର ୪୯୫/୧୬୬୪ପାର୍ଟ ରେ ୩୦୭ ଡିସିମିଲ , ୪୯୩ ପାର୍ଟ ରେ ୧ଏକର ୨୯୩ ଡିସିମିଲ ଜମି ଦିଆଗଲା ଏୟାରପୋର୍ଟ ଅଥରିଟିକୁ ।

ସତ୍ୟପାଠର ପ୍ରଶ୍ନ :

୧. ରାଜ୍ୟ ସରକାର ଯେଉଁ ପ୍ରଶସ୍ତୀକରଣ କଥା କହି ଜମି ମାଗିଥିଲେ, ତାହା କେଉଁ ସ୍ଥାନରେ ହୋଇଛି ସରକାର ଦେଖାଇବେ କି ?

୨. ଏୟାରପୋର୍ଟ ଅଥରିଟିକୁ ଲେଖା ଯାଇଥିବା ଚିଠିରେ ଏହି ଜମି ନବୀନ ନିବାସ ସାମ୍ନାରେ ଥିବା ରାସ୍ତା କଥା କାହିଁକି ଉଲ୍ଲେଖ କରାଯାଇନଥିଲା ?

୩. ନବୀନ ନିବାସ ଭଳି ଏକ ବ୍ୟକ୍ତିଗତ ସମ୍ପତ୍ତିର ସୁରକ୍ଷା ପାଇଁ ସରକାରୀ ଜମିକୁ ଘେରାବନ୍ଦୀ କରାଯିବା ଦ୍ୱାରା ସାଧାରଣ ଲୋକର କି ଲାଭ ହେଉଛି ?

୪. କେନ୍ଦ୍ର କ୍ୟାବିନେଟ ଭଳି ରାଜ୍ୟ କ୍ୟାବିନେଟରେ ଏ ପ୍ରସଙ୍ଗ ଉପସ୍ଥାପିତ ହୋଇଥିଲା କି ?

୫. କେଉଁ ପରିସ୍ଥିତିରେ ଆଉ କାହାକୁ ଲୁଚାଇବା ପାଇଁ ଏହି ଜମି ଅଧିଗ୍ରହଣ ଓ ଅଦଳବଦଳ ପ୍ରକ୍ରିୟାଟି ଗୋପନୀୟ ଭାବେ କରାଯାଇଥିଲା?

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରାସ୍ତାର ପ୍ରଶସ୍ତୀକରଣ ପାଇଁ ଏହି ଜମି ଅଧିଗ୍ରହଣ କଲେ ରାଜ୍ୟ ସରକାର । ହେଲେ ସେଠି ପ୍ରଶସ୍ତୀକରଣ ବଦଳରେ ଆରମ୍ଭ ହେଲା ଆଡ୍ଡା । ନବୀନ ନିବାସକୁ ଆସୁଥିବା ଭିଆଇପିଙ୍କ ଗାଡି ରଖିବା ପାଇଁ ପାର୍କିଂ ଓ ସୁରକ୍ଷା କର୍ମୀ ରହିବା ପାଇଁ ଘେରାବନ୍ଦୀ କରାଯାଇଛି । ଏଠାରେ କହି ରଖିବା ଉଚିତ ହେବ, ନବୀନ ନିବାସ କୌଣସି ସରକାରୀ ବାସଭବନ ନୁହେଁ ବରଂ ଏହା ଏକ ପ୍ରାଇଭେଟ ଲାଣ୍ଡ ବା ପ୍ରାଇଭେଟ ପ୍ରପର୍ଟି । ଏହା ରାଜ୍ୟ ସରକାରଙ୍କ ଗୃହ ନୁହେଁ ବା ମୁଖ୍ୟମନ୍ତ୍ରୀଙ୍କର ସରକାରୀ ଆବାସ ନୁହେଁ ।

ତେଣୁ ଏବେ ପ୍ରଶ୍ନ ଉଠିଛି , ଏଭଳି ଏକ ବ୍ୟକ୍ତିଗତ ବାସଭବନର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର କାହିଁକି ଜମି ଦାନ କରିବେ? ଖାଲି ସେତିକି ନୁହେଁ, ବଡ କଥା ହେଉଛି, ଯେଉଁ ସାଧାରଣ ପ୍ରଶାସନ ବିଭାଗ ଏ କେଳେଙ୍କାରୀ କରିବାକୁ ଦୁଃସାହସ କରିଛି, ତାହାର ମନ୍ତ୍ରୀ ଭାବେ ଦାୟିତ୍ୱରେ ରହିଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ । ତେଣୁ ପ୍ରଶ୍ନ ଉଠିବା ସ୍ୱାଭାବିକ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଇସାରାରେ ଓ ଜାଣତରେ ଏତେ ସବୁ କାଣ୍ଡ କାରନାମା କରାଯାଇଛି । ଖାସ ନିଜଘର ପାଇଁ ସରକାରୀ ଅର୍ଥ ଓ ସରକାରୀ ସମ୍ପତ୍ତିକୁ ବ୍ୟବହାର କରିଛନ୍ତି ମୁଖ୍ୟମନ୍ତ୍ରୀ, ଏଭଳି ପ୍ରଶ୍ନ କରି ସରକାରଙ୍କୁ ଘେରିଛି ପ୍ରଦେଶ କଂଗ୍ରେସ ।

ଏନେଇ ପିସିସି ମିଡିଆ ସେଲ ମୁଖ୍ୟ ସତ୍ୟପ୍ରକାଶ ନାୟକ କହିଛନ୍ତି, ୨୦୧୭ ରାଷ୍ଟ୍ରପତି ନିର୍ବାଚନର କିଛି ମାସ ପୂର୍ବରୁ କେନ୍ଦ୍ର କ୍ୟାବିନେଟ ରାଜ୍ୟ ସରକାରଙ୍କୁ ଏହି ସହଯୋଗ କରିଛି । କେଉଁଠି ନାଁ କେଉଁଠି ରାଷ୍ଟ୍ରପତି ନିର୍ବାଚନରେ ନବୀନଙ୍କ ସମର୍ଥନ ପାଇଁ ଏହି ମହାଦୁର୍ନୀତି କରାଯାଇଛି । ଏବଂ ପରବର୍ତ୍ତୀ ସମୟରେ ବିଜେଡି ତରଫରୁ ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କ ସପକ୍ଷରେ ଭୋଟ ଦେଇଥିଲା ବିଜେଡି । ତେଣୁ ଏହାହିଁ ସେମାନଙ୍କ ଭିତରେ ଡିଲ ହୋଇଥିବା ଗନ୍ଧ ହେଉଛି । ନବୀନ ନିବସେ ଦଖଲ କରିଥିବା ସେହି ଜମିକୁ ତୁରନ୍ତ ସରକାରୀ ଖାତାକୁ ଫେରାଇ ଆଣିବା ପାଇଁ ଦାବୀ କରିଛି ଦଳ ।

 

Related Posts