ଭୁବନେଶ୍ୱର,୧୬/୨(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ଆନ୍ଦୋଳନ କରୁଛନ୍ତି ବିଜେପି ନେତା ଓ କର୍ମୀ। ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆଜି ରାଜଭବନ ସମ୍ମୁଖରେ ବିଜେପି ସାଂସଦ ଓ ନେତାମାନେ ଧାରଣା ଦେଇଥିବା ଦେଖିବାକୁ ମିଳିଛି। ରାଜଭବନ ସମ୍ମୁଖରେ ହେଉଥିବା ଧାରଣାରେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ପ୍ରତାପ ଷଡ଼ଙ୍ଗୀ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଯୋଗ ଦେଇଛନ୍ତି।
ତେବେ ମନ୍ତ୍ରୀ ନବ ଦାସଙ୍କ ଭଳି ଜୟନାୟଣ ମିଶ୍ରଙ୍କୁ ହତ୍ୟା କରିବାକୁ ଯୋଜନା କରାଯାଇଥାଇପାରେ ବୋଲି ଅଭିଯୋଗ କରିଛି ବିଜେପି । ଗତ ମଙ୍ଗଳବାର ଠୁ ବିଜେପି ପକ୍ଷରୁ ଏନେଇ ବିକ୍ଷୋଭ କରାଯାଇଥିବା ବେଳେ ଆଜି ତିନି ଦିନରେ ପହଞ୍ଚିଛି । ତେବେ ଏନେଇ ବିେଜେପି ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯିବ । ଦଳ ଅଭିଯୋଗ କରିଛି ଯେ, ଗତ କିଛି ବର୍ଷ ହେବ ରାଜ୍ୟରେ ସାଇବର ଅପରାଧ, ଶିଶୁ ଅପହରଣ, ଲୁଟ୍, ଦୁଷ୍କର୍ମ ଓ ହତ୍ୟା ପରି ଅପରାଧ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି ।
ନବ ଦାସଙ୍କ ମୃତ୍ୟୁକୁ ଦୁଇ ସପ୍ତାହ ବିତିଥିଲେ ମଧ୍ୟ ଘଟଣାର ସତ୍ୟ ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିନାହିଁ’। ଏହାକୁ ନେଇ ବିଜେପି ଆନ୍ଦୋଳନ କରୁଥିବାବେଳେ ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ, ଓଡ଼ିଶାରେ ଏବେ ଆମେ ସମସ୍ତେ ଅସୁରକ୍ଷିତ ମନେ କରୁଛୁ। ମୁଁ ନିଜେ ମଧ୍ୟ ଅସୁରକ୍ଷିତ ଅନୁଭବ କରୁଛି। ଆଇନଶୃଙ୍ଖଳା ସ୍ଥିତିକୁ ନେଇ ଆଜି ସାରା ଓଡ଼ିଶାବାସୀ ମର୍ମାହତ। ଅନେକ ବିଜେଡି କର୍ମୀ ମଧ୍ୟ ଅସୁରକ୍ଷିତ ମଣୁଥିବା କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।
ଯଦି ନିଜ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ସୁରକ୍ଷା ଦେଇପାରୁନାହାନ୍ତି, ଆମେ କିଭଳି ସୁରକ୍ଷିତ ବୋଲି କହିଛନ୍ତି ସାଂସଦ। ୧୫ ଦିନ ହୋଇଗଲା, ହତ୍ୟାର ଉଦ୍ଦେଶ୍ୟ ଓଡ଼ିଶାବାସୀ ଜାଣିପାରୁ ନାହାନ୍ତି। ଜଷ୍ଟିସ ଜେପି ଦାସଙ୍କୁ ମିଳିଥିବା ଦାୟିତ୍ବକୁ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି ଅପରାଜିତା। କେଉଁ ଜୁଡିସିଆଲ ଅର୍ଡରରେ ଜେପି ଦାସଙ୍କୁ ଦାୟିତ୍ୱ ଦିଆଯାଇଛି। ଆମେ ସମସ୍ତେ ଅସୁରକ୍ଷିତ ଏବଂ ମୁଖ୍ୟମନ୍ତ୍ରୀ ଏହାର ଜବାବ ଦିଅନ୍ତୁ ବୋଲି କହିଛନ୍ତି ଅପରାଜିତା ଷଡ଼ଙ୍ଗୀ।
