ଅଧ୍ୟାପକ ମାନିବେନି ୭ଘଣ୍ଟିଆ ନିୟମ

ସତ୍ୟପାଠ ବ୍ୟୁରୋ : କଲେଜରେ ୭ ଘଂଟା ଡ୍ୟୁଟିକୁ ନେଇ ମୁହାଁମୁହିଁ ସ୍ଥିତିରେ ଅଧ୍ୟାପକ ଓ ସରକାର । ଗତ ୫ ତାରିଖରେ ଏନେଇ ଉଚ୍ଚଶିକ୍ଷା ବିଭାଗରୁ ପ୍ରକାଶିତ ବିଜ୍ଞପ୍ତିକୁ ଅଧ୍ୟାପକମାନେ ମାନିବେ ନାହିଁ ବୋଲି ସଫା ସଫା ଶୁଣାଇ ଦେଇଛନ୍ତି । ସେମାନଙ୍କର ଦାବୀ ହେଲା ଆଗେ ଆମ ଦାବୀ ମାନ, ତା ପରେ ଯାଇ ଆମେ ତୁମ ଦାବୀ ମାନିବୁ । ଯାହାକୁ ନେଇ ପୁରା ଟକରା ଟକରି ସ୍ଥିତିରେ ଉଚ୍ଚଶିକ୍ଷା ବିଭାଗ ଓ ଅଧ୍ୟାପକ ସଂଘ ।

ବିଭାଗ କହୁଛି ଠକି ପାରିବେନି ଅଧ୍ୟାପକ । କଲେଜରେ ବାୟୋମେଟ୍ରିକ୍ ଲାଗିବ । ୭ଘଂଟାକୁ ଗୋଟିଏ ମିନିଟ୍ ବି ପୂର୍ବରୁ ବି କଲେଜ ଛାଡିପାରିବେନି ଅଧ୍ୟାପକମାନେ । ସରକାରୀ ଓ ଅନୁଦାନପ୍ରାପ୍ତ ବେସରକାରୀ କଲେଜର ନିୟମିତ ଅଧ୍ୟାପକଙ୍କ ପାଇଁ ଉଚ୍ଚଶିକ୍ଷା ବିଭାଗ ଏଭଳି କଡା ଗାଇଡଲାଇନ୍ ପ୍ରସ୍ତୁତ କରିଥିବା ବେଳେ ଏହାକୁ ମାନିବେନି ବୋଲି କହିଛି ୬୬୨ ବର୍ଗ ଓ ୪୪୮ ବର୍ଗ ଅଧ୍ୟାପକ ସଂଘ । ସଂଘର କହିବା କଥା ସମାନ କାମକୁ ସମାନ ଦରମା ମିଳୁନି । ଜଣେ ୨୦ହଜାର ଟଙ୍କା ଦରମା ପାଉଛି ଆଉ ଜଣେ ୨ହଜାର ଟଙ୍କା ବି ଦରମା ପାଉଛି । ତାହାହେଲେ ଉଭୟଙ୍କୁ କିଭଳି ସାତଘଂଟା କଲେଜରେ ରଖାଯିବ ଆଉ କାହିଁକି ବା ରଖାଯିବ ।

ଅଧ୍ୟାପକଙ୍କ ଯୁକ୍ତି ହେଉଛି, କଲେଜର ଭିତ୍ତିଭୂମି ସଜଡା ହେଉନି । ଶିକ୍ଷାଦାନ ଲାଗି ଜଣେ ଅଧ୍ୟାପକକୁ ମାନସିକ ଶାନ୍ତି ମିଳୁନି । ପଢ଼ିବା ପାଇଁ ପିଲାଙ୍କୁ ସବୁ ପ୍ରକାର ସୁବିଧା ମିଳୁନି । ଛାତ୍ରନେତାରୁ ଶିକ୍ଷାମନ୍ତ୍ରୀ ହୋଇଥିବା ଅରୁଣ ସାହୁ ଏକଥା ଜାଣି ପାରୁ ନାହାଁନ୍ତି କେମିତି ? ୨୦ବର୍ଷ କାଳ ବିନା ଦରମାରେ ପାଠ ପଢ଼ାଇ ଜଣେ ଅଧ୍ୟାପକ ପ୍ରତିବଦ୍ଧତା ଦେଖାଇ ସାରିଛି । ଏବେ ଚାକିରୀର ସୁରକ୍ଷା ଦରକାର, ପେଟକୁ ଦାନା ଦରକାର । ତା ପରେ ଯାଇ ସରକାରୀ ନୀତି ନିୟମକୁ ମାନିବାରେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ୬୬୨ ବର୍ଗ ବେସରକାରୀ ଅନୁଦାନପ୍ରାପ୍ତ କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘ ସଭାପତି ଗୋଲକ ନାୟକ ଓ ୪୪୮ ବର୍ଗ ବେସରକାରୀ କଲେଜ ଅଧ୍ୟାପକ ଓ କର୍ମଚାରୀ ସମନ୍ୱୟ ସମିତି ସଭାପତି ପବିତ୍ର ମାହାଲା ।

ଶୃଙ୍ଖଳା ପାଇଁ ନିୟମ କରନ୍ତି ସରକାର । ମାନିବାକୁ ଚାପ ବି ପକାନ୍ତି । ହେଲେ ନିୟମ ଆଣିବା ପୂର୍ବରୁ ପାରିପାଶ୍ୱର୍ିକ ସ୍ଥିତି କଥା ଭୁଲି ଯାଆନ୍ତି । ପରେ ପ୍ରତିଶ୍ରୁତି ମିଳେ । ହେଲେ ଇତିହାସ ସାକ୍ଷୀ ଅଛି ସରକାରୀ ପ୍ରତିଶ୍ରୁତି ପୂରଣ ହେବାପାଇଁ କେତେଦିନ ଲାଗେ ତାହା ସରକାର ବି ଜାଣନ୍ତିନି…

Related Posts