ରାଜ୍ୟରେ ଆଜିଠୁ ଆରମ୍ଭ ହେବ ଲଘୁଚାପ ବର୍ଷା: ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଆଜି ଉତ୍ତର ଓଡ଼ିଶା ଉପକୂଳରେ କେନ୍ଦ୍ରୀଭୂତ ହେବ ଲଘୁଚାପ । ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ମିଆଁମାର ଉପକୂଳ ଉପରେ ରହିଥିବା‌ ଘୂର୍ଣ୍ଣିବଳୟ ଏବେ ପୂର୍ବ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତରପୂର୍ବ ବଙ୍ଗୋପସାଗର ଉପରେ ସମୁଦ୍ର ପତ୍ତନଠାରୁ ୫.୮ କିମି ପର୍ଯ୍ୟନ୍ତ ରହିଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରିବା ସହ ଆଜି ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳସ୍ଥ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିବାର ସମ୍ଭାବନା ରହିଛି । 

ପାଣିପାଗ ବିଭାଗର ସୂଚନା ଅନୁସାରେ ଏହି ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବାର ସେମିତି କୌଣସି ସମ୍ଭାବନା ନାହିଁ । ତେଣୁ ରାଜ୍ୟରେ ବିଶେଷ ବର୍ଷା ହେବାର ସମ୍ଭାବନା ନାହିଁ । କିନ୍ତୁ ରାଜ୍ୟର କିଛି କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଆଜି ଉତ୍ତର ଓଡ଼ିଶାର କିଛି କିଛି ଅଞ୍ଚଳ‌ରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । 

ବିଶେଷକରି ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ତେବେ କେତେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବାନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା କାଲି ଓ ୨୦ତାରିଖରେ କେତେକ ସ୍ଥାନରେ ଲଗାଣ ବର୍ଷା ସହିତ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ମଧ୍ୟ ହୋଇପାରେ । ଏଥି ସହ ୧୯ ତାରିଖ ଦିନ ଉପକୂଳ ଓଡ଼ିଶା ସମେତ ରାଜ୍ୟର ୧୬ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । 

ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ, କନ୍ଧମାଳ, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ୧୯ ଓ ୨୦ ତାରିଖ‌ରେ ଦକ୍ଷିଣ-ପଶ୍ଚିମ ଓଡ଼ିଶାକୁ ଛାଡ଼ିଲେ ସାରା ରାଜ୍ୟରେ କିଛି ପରିମାଣରେ ବର୍ଷା ହେବାର ସମ୍ଭାବନା ରହିଛି । 

Related Posts