ସାର୍‌ ଉଡୁଛନ୍ତି ଆକାଶରେ, ବାବୁ ଲୁଟୁଛନ୍ତି ନଗଡ଼ାରେ…

(ସତ୍ୟପାଠ ବ୍ୟୁରୋ) Exclusive: 5-ଟି ସାର୍‌ ଉଡ଼ୁଛନ୍ତି ଆକାଶରେ, ସରକାରୀ ବାବୁ ଲୁଟୁଛନ୍ତି ନଗଡ଼ାରେ । 3 ବର୍ଷ ପରେ ବି ବଦଳିନି ନଗଡ଼ାର ନଗ୍ନ ଚିତ୍ର । ନଗଡ଼ା ନାଁରେ ସବୁ ଖାଇଗଲେ । ଅପପୁଷ୍ଟି ଦୂର କରିବାକୁ ଯାଇ ନିଜେ ପୁଷ୍ଟିବାନ ହୋଇଛନ୍ତି ସରକାରୀ ବାବୁ । ନଗଡ଼ାର ବିକାଶ ପାଇଁ ମଞ୍ଜୁର ହୋଇଥିବା 23 କୋଟି ଟଙ୍କାରୁ ପ୍ରାୟ 12ରୁ 15 କୋଟି ଟଙ୍କା ଚଳୁ ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଏବେ ଯାଜପୁର ଜିଲ୍ଲାର 6 ଜଣ ସରକାରୀ ଅଧିକାରୀଙ୍କୁ ନୋଟିସ କରିଛନ୍ତି ଲୋକାୟୁକ୍ତ । 6 ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ ପ୍ରକଳ୍ପ ନିର୍ଦ୍ଦେଶକ, ସୁକିନ୍ଦା ବିଡିଓ, ଗ୍ରାମାଞ୍ଚଳ ବିକାଶ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଧବଳଗିରିର ଇଲେକ୍ଟ୍ରିକାଲ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଗ୍ରାମାଞ୍ଚଳ ଜଳ ଯୋଗାଣ ଓ ପରିମଳ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

 ନଗଡ଼ାର ବିକାଶ ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ମହିଳା ଓ ଶିଶୁ ବିଭାଗ, ପଞ୍ଚାୟତିରାଜ, ଜଙ୍ଗଲ ଓ ପରିବେଶ ଏବଂ ରାଜସ୍ବ ବିଭାଗରେ କୋଟି କୋଟି ଟଙ୍କା ଅର୍ଥ ମଞ୍ଜୁର କରାଗଲା । ନଗଡ଼ାରେ ଅପପୁଷ୍ଟି ଦୂର ସହ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ସୁଧାରିବା, ଜୁଆଙ୍ଗ ଆଦିବାସୀଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଏବଂ ଗମନାଗମର ସୁବିଧା ପାଇଁ ରାସ୍ତା ନିର୍ମାଣ ପାଇଁ 23 କୋଟି ଟଙ୍କା ମଞ୍ଜୁର କରାଗଲା । ହେଲେ ବାସ୍ତବ ସ୍ଥିତି କିନ୍ତୁ ଅଲଗା । ନଗଡ଼ାକୁ ଗଲେ ସ୍ପଷ୍ଟ ଜଣାପଡ଼ୁଛି ଜୁଆଙ୍ଗ ଆଦିବାସୀମାନଙ୍କର ଉନ୍ନତି ପାଇଁ ସରକାର କେତେ ଚିନ୍ତିତ ଅଛନ୍ତି । ସରକାରୀ ବାବୁମାନେ ବିଭିନ୍ନ ପ୍ରକଳ୍ପ ନାଁରେ କେବଳ ସରକାରୀ ଅର୍ଥ ହଡ଼ପ କରିଥିବା ଜଣାପଡ଼ୁଛି । ଜୁଆଙ୍ଗ ଆଦିବାସୀଙ୍କ ପାଇଁ ପକ୍କା ଘର ହେଉ କି ଭଲ ରାସ୍ତା, ପାନୀୟ ଜଳ, ବିଦ୍ୟୁତ ଯୋଗାଣ ଏବଂ ପାଇଖାନା ସବୁର ସୁବିଧା କରିବାକୁ ଘୋଷଣା ହେଲା ଆଉ ଅର୍ଥ ବି ମଞ୍ଜୁର ହେଲା । ହେଲେ ବାସ୍ତବତା କିନ୍ତୁ ଅଲଗା । ସରକାରୀ ବାବୁଙ୍କ ଟଙ୍କା ଖିଆ ନୀତି ସବୁ କାମରେ ପକାଇଦେଇଛି ଘଳିଆ । ବିଜୁ ପକ୍କା ଘର ପାଇଁ ଏକ ଲକ୍ଷ 20 ହଜାର ଟଙ୍କାର ବ୍ୟବସ୍ଥା ଥିବା ବେଳେ ଜୁଆଙ୍ଗଙ୍କ ଆଦିବାଦୀଙ୍କ ପାଇଁ 2 ଲକ୍ଷ 30 ହଜାର ଟଙ୍କା ଲେଖାଏଁ ଦିଆଯାଇଛି । ନଗଡ଼ାରେ ମୋଟ 60ଟି ଘର ତିଆରି ପାଇଁ ଏକ କୋଟି 38 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ସରକାରୀ ନଥିପତ୍ରରେ ଦର୍ଶାଯାଇଥିଲେ ବି ଘର କାମ ନିମ୍ନମାନର ହୋଇଛି ଆଉ ସେଗୁଡ଼ିକର ଆୟୁଷ 2ରୁ 3 ବର୍ଷ ହେବ ବୋଲି ଅଭିଯୋଗ କରିଛନ୍ତି ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ । ନଗଡ଼ାରେ PC କାରବାର ଏତିକିରେ ସରିନି 2017-18ରେ ତଳ ନଗଡ଼ା ଓ ଉପର ନଗଡ଼ା ପାଇଁ 2ଟି ଅଙ୍ଗନୱାଡ଼ି କେନ୍ଦ୍ର ମଞ୍ଜୁର ହୋଇଥିଲା । ଆଉ ଟଙ୍କା ମଞ୍ଜୁର ହୋଇଥିଲା 35 ଲକ୍ଷ ଏବଂ 7 ଲକ୍ଷ ଟଙ୍କା । କିନ୍ତୁ 2 ବର୍ଷ ପରେ ବି ଅଙ୍ଗନୱାଡ଼ି କେନ୍ଦ୍ର କାମ ଆରମ୍ଭ ହୋଇନାହିଁ । କେବଳ ଉପର ନଗଡ଼ାରେ ଗୋଟିଏ ଘରକୁ ଅଙ୍ଗନୱାଡ଼ି କେନ୍ଦ୍ର ସିଫ୍ଟ କରାଯାଇଛି । ଏଥିପାଇଁ ଖର୍ଚ୍ଚ କରାଯାଇଛି 6 ଲକ୍ଷ 80 ହଜାର ଟଙ୍କା ।

ସେହିଭଳି ତଳ ନଗଡ଼ାରେ ଟାଟା ଷ୍ଟିଲ ପକ୍ଷରୁ ଏକ ଅଙ୍ଗନୱାଡ଼ି କେନ୍ଦ୍ର କରାଯାଇଛି । ଏଠି ପ୍ରଶ୍ନ ଉଠୁଛି ସରକାର ଅଙ୍ଗନୱାଡ଼ି କେନ୍ଦ୍ର ପାଇଁ ମଞ୍ଜୁର କରିଥିବା ଟଙ୍କା ଗଲା କୁଆଡ଼େ ? ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ମାତ୍ର 3 ବର୍ଷ ଯାଏ ଅପପୁଷ୍ଟିର ଶିକାର ହୋଇଥିବା ଶିଶୁଙ୍କୁ ଖାଦ୍ୟ ଦିଆଯାଉଥିବା ବେଳେ 3 ବର୍ଷରୁ 6 ବର୍ଷ ମଧ୍ୟରେ ଥିବା ଶିଶୁ ମଧ୍ୟାହ୍ନ ଭୋଜନ ସ୍କିମ ଜରିଆରେ ଖାଦ୍ୟ ଦିଆଯାଉଥିବା ସରକାର କହୁଛନ୍ତି । ବାସ୍ତବ କଥା ହେଲା ମଧ୍ୟାହ୍ନ ଭୋଜନ ସ୍କିମରେ ସାମିଲ ହେବାକୁ ହେଲେ ଶିଶୁଙ୍କୁ 6 ବର୍ଷରୁ ଅଧିକ ହୋଇଥିବା ଦରକାର ବୋଲି ନିୟମ କହୁଛି । ତେଣୁ 3ରୁ 6 ବର୍ଷ ପିଲାଙ୍କ ପୁଣି ସେହି ଅପପୁଷ୍ଟି ଭିତରକୁ ଠେଲି ଦିଆଯାଉଥିବା ଜଣାପଡ଼ୁଛି । ଖାଦ୍ୟ ଅଭାବରୁ ସେହି ଶିଶୁମାନେ ବିଭିନ୍ନ ରୋଗର ଶିକାର ହେଉଛନ୍ତି ।

ପାନୀୟ ଜଳ ଯୋଗାଣ ପାଇଁ ନଗଡ଼ାରେ 53.56 ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ସରକାର କହୁଛନ୍ତି । କିନ୍ତୁ ଆଦିବାସୀଙ୍କ ଜୀବନ ଜୀକିକା କଥା ସରକାର ଭୁଲିଯାଇଛନ୍ତି । ପାହାଡ଼ ଉପରେ ନଗଡ଼ା ଗାଁର ଜୁଆଙ୍ଗ ଆଦିବାସୀମାନେ ଚାଷ ଉପରେ ନିର୍ଭର କରୁଥିବାରୁ ସେଠାରେ ଚାଷ ପାଇଁ କୌଣସି ଜଳ ଯୋଗାଣର ବ୍ୟବସ୍ଥା କରାଯାଇନି । ଅଶୋକଝର ପାହାଡ଼ରୁ ତଳ ନଗଡ଼ା ଯାଏ ରାସ୍ତା ନିର୍ମାଣ ପାଇଁ 15 କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ସରକାର କହୁଥିବା ବେଳେ ରାସ୍ତା କାମ କିନ୍ତୁ ଅତି ନିମ୍ନ ମାନର କରାଯାଇ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି । ମନରେଗା ଯୋଜନାରେ ଉପର ନଗଡ଼ା, ତଳ ନଗଡ଼ା ଏବଂ ମଝି ନଗଡ଼ା ପାଇଁ 83 ଲକ୍ଷ 98 ହଜାର ଟଙ୍କାର ସିସି ରୋଡ଼ ନିର୍ମାଣ କରାଯାଇଛି ।

ଅନ୍ୟପଟେ ପାହାଡ଼ିଆ ଅଞ୍ଚଳ ନଗଡ଼ାରେ ଅନ୍ଧାର ଦୂର କରି ଆଲୋକ ପହଞ୍ଚାଇବା ପାଇଁ ରାଜୀବ ଗାନ୍ଧି ଗ୍ରାମୀଣ ବିଦ୍ୟୁତ ଯୋଜନାରେ 1.8 କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ସରକାରୀ ନଥିପତ୍ର କହୁଛି । ଗାଁକୁ ବିଦ୍ୟୁତ ଖୁଣ୍ଟ ପଡ଼ିବା ସହ 60 ପରିବାରକୁ ବିଦ୍ୟୁତ ସଂଯୋଗ କରାଯାଇଛି । ହେଲେ ନଗଡ଼ାର ଏହି ଆଦିବାସୀମାନେ ଆଜି ବି ଆଲୋକ ସନ୍ଧାନରେ ଅଛନ୍ତି । କାରଣ ନଗଡ଼ାକୁ ଏଯାଏ ବିଦ୍ୟୁତ ପହଞ୍ଚାଇବାରେ ସଫଳ ହୋଇନାହାନ୍ତି ସରକାର ।

ନଗଡ଼ାର ବାସ୍ତବତାକୁ ବୁଝିବା ବେଳେ ଅନେକ ପ୍ରଶ୍ନ ଉଠୁଛି । ପ୍ରକୃତରେ ମୋ ସରକାର, ମୋ ବରିବାର ଏବଂ 5-ଟି ସବୁ କେବଳ ପ୍ରଚାର ପ୍ରସାର ଏବଂ ସରକାରଙ୍କ ଅପାରଗତା ଲୁଚେଇବା ପାଇଁ ବୋଲି ମନେ ହେଉଛି ।

ମୋ ସରକାର, କାହା ପାଇଁ ?

ନଗଡ଼ାର ଜୁଆଙ୍ଗ ଆଦିବାସୀ କ’ଣ ମୋ ପରିବାରର ସଦସ୍ୟ ନୁହେଁ ?

ଆକାଶରେ ଉଡୁଥିବା 5-ଟି ସାର କ’ଣ କରୁଛନ୍ତି ?

ନା ହେଲିକପ୍ଟରରୁ 5-ଟି ସାର୍‌ଙ୍କୁ ନଗଡ଼ାର ଚିତ୍ର ଦେଖାଯାଉନି ?

ମୋ ପରିବାର ମୁଖିଆ ଥରେ ନଗଡ଼ା ଯାଉନାହାନ୍ତି କାହିଁକି ?

ନା ସେଠି ହେଲିକ୍ପର ଓହ୍ଲାଇବାର ସୁବିଧା ନାହିଁ ବୋଲି କ’ଣ ଆଦିବାସୀଙ୍କ ଉପରେ ମୁଖିଆଙ୍କ ନଜର ପଡ଼ିବନି ?

ଫଟୋ ଉଠେଇ ମିଛ ପ୍ରଚାରରେ ଲାଗିଥିବା 5-ଟି ସାର୍ ବାସ୍ତବ ଚିତ୍ର ଦେଖିବାକୁ ନଗଡ଼ା ଯିବେ କି ?

ସଙ୍ଗେ ସଙ୍ଗେ ଆକ୍ସନ ମୋଡ଼ରେ ରହୁଥିବା କାର୍ତ୍ତିକ କ’ଣ ଲୋକାୟୁକ୍ତଙ୍କ ନୋଟିସ ଦେଖିନାହାନ୍ତି ?

ଅପପୁଷ୍ଟି ଦୂର କରିବା ନାଁରେ ସରକାରୀ ଅର୍ଥ ଚଳୁ କରୁଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ ?

ସୂଚନା ଅନୁସାରେ 2016 ଜୁଲାଇ 12ରେ ଅପପୁଷ୍ଟି ଯୋଗୁଁ ନଗଡ଼ାରେ ଜୁଆଙ୍ଗ ସମ୍ପଦ୍ରାୟର 19 ଆଦିବାସୀ ଶିଶୁ ପ୍ରାଣ ହରାଇବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ତା ପରେ ସାରା ଦେଶରେ ଏହି ଖବର ହେଡଲାଇନ ପାଲଟିଥିଲା । ବିରୋଧୀମାନେ ସରକାରଙ୍କୁ ଘେରିଥିଲେ । କେବଳ ଗଣମାଧ୍ୟମରେ ଏନେଇ ମାସାଧିତ କାଳ ଖବର ପ୍ରସାରଣ ହେବା ପରେ ଚାରିଆଡ଼ୁ ସମାଲୋଚିତ ହୋଇଥିଲେ ରାଜ୍ୟ ସରକାର । ଏହା ପରେ ସରକାର ସବୁ ଦିଗରୁ ନଗଡ଼ାର ନକ୍ସା ବଦଳାଇବାକୁ ଏକ ନାଟକ ଆରମ୍ଭ କଲେ । ନଗଡ଼ାରେ ଥିବା ଅପପୁଷ୍ଟିଠୁ ଆରମ୍ଭ କରି ସବୁ ସମସ୍ୟାକୁ ଚ୍ୟାଲେଞ୍ଜ ଭାବେ ନେଲେ । ଆଉ ଏହି ପାହାଡ଼ିଆ ଆଦିବାସୀଙ୍କ ଇଲାକାକୁ ସବୁ ପ୍ରକାର ସୁବିଧା ଦେଇ ଏକ ମଡେଲ ତିଆରି କରିବେ ବୋଲି କୁହାଗଲା । ଏନେଇ ମଧ୍ୟ ବହୁଳ ଭାବେ ପ୍ରଚାର ବି କରାଗଲା  । ହେଲେ 3 ବର୍ଷ ପରେ ବି ନଗଡ଼ାର କଣ୍ଟାଳିଆ ନଗ୍ନ ରୂପ ସମସ୍ତଙ୍କୁ ଚିକତ କରିବା ସହ ସରକାରଙ୍କ ପ୍ରଚାର ସର୍ବସ୍ବ କାର୍ଯ୍ୟକୁ ପଦାରେ ପକାଇଛି । ଅନ୍ୟପଟେ ମୋ ପରିବାରର ମୁଖିଆ କେବେ ନଗଡ଼ାର ଅସହାୟ ସନ୍ତାନଙ୍କୁ ବଡ଼ ପୁଅ ଭଳି ଦେଖୁଛନ୍ତି ତାହ ଉପରେ ଏବେ ସମସ୍ତଙ୍କ ନଜର ରହିଥିବା କିଛି ବୁଦ୍ଧିଜୀବୀ କହିଛନ୍ତି ।

Related Posts