ଅଜିତ୍‌ ଏବେ ଓଡ଼ିଶାର ସିଂହ !

କେମିତି ଆସିଲେ, କ’ଣ ରହିବ ଚ୍ୟାଲେଞ୍ଜ ?

ଏବେ ଅଜିତ୍‌ ହେଉଛନ୍ତି ଓଡ଼ିଶାର ସିଂହ । ଆମେ କହୁଛୁ ଲୋକାୟୁକ୍ତ ଜଷ୍ଟିସ୍‌ ଅଜିତ୍‌ ସିଂହଙ୍କ କଥା, ଯିଏ ଓଡ଼ିଶାର ନବ ନିଯୁକ୍ତ ଲୋକାୟୁକ୍ତ । ଶାସନ ପ୍ରଶାସନର ବିଭିନ୍ନ ସ୍ତରରେ ଚାଲିଥିବା ଘୋଟାଲା ବା ଦୁର୍ନୀତିର ତଦନ୍ତ, ଉପେକ୍ଷିତ, ପୀଡ଼ିତଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଶୀର୍ଷ ସ୍ତରରେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ଅନୁଷ୍ଠାନ ହେଉଛନ୍ତି ଲୋକାୟୁକ୍ତ ।

ଲୋକାୟୁକ୍ତ ନିଯୁକ୍ତି ପାଇଁ ଦୀର୍ଘ ଦିନରୁ ଦାବି ତ ହେଉଥିଲା । କିନ୍ତୁ ଏ ନେଇ ଥିଲା ଅନେକ ଆଶା ଆଶଙ୍କା । ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଲା । କୁହାଯାଉଥିଲା ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯିବ ଆଉ ନବୀନ ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗ ଟାଳିଦେବେ । କିନ୍ତୁ ନବୀନ ବାବୁଙ୍କ ସରକାର ଲୋକାୟୁକ୍ତ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ କଲେ ଓ ଲୋକାୟୁକ୍ତ ନିଯୁକ୍ତି ମଧ୍ୟ କରାଗଲା ।

ଲୋକାୟୁକ୍ତ କେତେ କ୍ଷମତାଶାଳୀ ସେ ସମ୍ପର୍କରେ ତ ବିଷଦ ଭାବେ ଆଲୋଚନା କରିବା କିନ୍ତୁ ଏହି କଥାରୁ ଲୋକାୟୁକ୍ତଙ୍କର ଶକ୍ତିକୁ ଆକଳନ କରାଯାଇପାରେ ଯେ ସେ ମୁଖ୍ୟମନ୍ତ୍ରୀ, କୌଣସି ମନ୍ତ୍ରୀ, ବିଧାୟକ, କୌଣସି ସରକାରୀ ସଂସ୍ଥାର କର୍ତ୍ତୃପକ୍ଷ, ବୋର୍ଡ ବା କମିଟି ଦ୍ବାରା ନିଆଯାଇଥିବା ନିଷ୍ପତ୍ତିର ତଦନ୍ତ କରିପାରିବେ ଏବଂ ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ନେଇପାରିବେ । ସେ ଅନୁସାରେ ଦେଖିଲେ ଏବେ ଅଜିତ୍‌ ହିଁ ଓଡ଼ିଶାର ସିଂହ । ସେ ହିଁ ଓଡ଼ିଶା ଶାସନର ସର୍ବୋଚ୍ଚ ତଦନ୍ତକାରୀ ଓ ନ୍ୟାୟ ପ୍ରଦାନକାରୀ ଅନୁଷ୍ଠାନ । କିନ୍ତୁ ଲୋକାୟୁକ୍ତ ଭାବେ ଜଷ୍ଟିସ୍‌ ଅଜିତ୍‌ ସିଂଙ୍କ ଚୟନକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ଚର୍ଚ୍ଚା ଏଇ କଥାକୁ ନେଇ ସେ ଆସିଲେ କେଉଁଠୁ, ତାଙ୍କୁ ଖୋଜିଲା କିଏ ?

90 ପ୍ରତିଶତରୁ ଅଧିକ ଓଡ଼ିଶାବାସୀଙ୍କ ପାଇଁ ଏହି ନିଯୁକ୍ତି ଅପ୍ରତ୍ୟାଶିତ । କଥା ହେଲା ଜଷ୍ଟିସ୍‌ ଅଜିତ୍‌ ସିଂ ନା ଓଡ଼ିଶା ହାଇକୋର୍ଟରେ କାମ କରିଛନ୍ତି, ନା ଓଡ଼ିଶାର କୌଣସି ଗୁରୁତ୍ବପୂର୍ଣ୍ଣ ମାମଲାର ବିଚାର ପ୍ରକ୍ରିୟାରେ ତାଙ୍କର କେବେ କୌଣସି ସଂପୃକ୍ତି ଅଛି । ତେଣୁ ଓଡ଼ିଶାର ଲୋକାୟୁକ୍ତ ହେବା ପାଇଁ ଅଜିତ୍‌ ସିଂ ଆବେଦନ କରିବା ଓ ଆଉ ତାଙ୍କ ମୁଣ୍ଡରେ ସର୍ଚ୍ଚ କମିଟି ସୁନା କଳସ ଢାଳିବା ପଛର ରହସ୍ୟ କଣ ?

ଲୋକାୟୁକ୍ତ ପଦବୀ ପାଇଁ ଅନ୍ୟ କେହି ଆବେଦନ କରିଥିଲେ ନା ନାହିଁ ? ଅଜିତ୍‌ ସିଂ ଗୋଆ ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ । ନବୀନଙ୍କ ପରିବାର ସହ ଅଜିତ୍‌ ସିଂଙ୍କର ପରିଚୟ ଅଛି କି ନାହିଁ ସେ କାହାର ଘନିଷ୍ଠ ତାକୁ ନେଇ ଏବେ ଚର୍ଚ୍ଚା ହେଉଛି ।
କୁହାଯାଉଛି ଲୋକାୟୁକ୍ତ ଭାବେ ଅଜିତ୍‌ ସିଂଙ୍କ ନିଯୁକ୍ତି ପଛରେ ନବୀନଙ୍କ ଦଳର ଜଣେ ପ୍ରଭାବଶାଳୀ ନେତା ଯିଏ ଜଣେ ବରିଷ୍ଠ ଆଇନଜୀବୀ ତାଙ୍କର ସୁପାରିଶ ରହିଛି ।

ଗୋଟିଏ ପଟେ ଲୋକାୟୁକ୍ତ ଭାବେ ଅଜିତ୍‌ ସିଂଙ୍କ ନିଯୁକ୍ତିକୁ ନେଇ ଚର୍ଚ୍ଚା ଅନ୍ୟପଟେ ଗୁରୁତ୍ବପୂର୍ଣ୍ଣ ପଦବୀରେ ବସିବା ପରେ ତାଙ୍କ ଆଗରେ ଥିବା ଚ୍ୟାଲେଞ୍ଜ୍‌ । ଓଡ଼ିଶାର ଲୋକାୟୁକ୍ତ ଭାବେ ଅଜିତ୍‌ ସିଂଙ୍କ ଆଗରେ ଏବେ ରହିଛି ଅନେକ ଆହ୍ବାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ମନ୍ତ୍ରୀମଣ୍ଡଳର ମନ୍ତ୍ରୀ ଓ ବହୁ ବ୍ୟୁରୋକ୍ରାଟ୍‌ଙ୍କ ବିରୋଧରେ ରହିଛି ଅନେକ ଦୁର୍ନୀତି ଅଭିଯୋଗ ।

ନବ ନିଯୁକ୍ତ ଲୋକାୟୁକ୍ତଙ୍କ ଉପରେ ବହୁ ଆଶା ଭରସା ରହିଛି । ସବୁ ଦୁର୍ନୀତି ଅଭିଯୋଗର ତଦନ୍ତ କରିବାର କ୍ଷମତା ଥିଲେ ବି ଅଜିତ୍‌ କେଉଁଠାରୁ ଆରମ୍ଭ କରିବେ ? କେମିତି କାମ ଆରମ୍ଭ କରିବେ ? କେଉଁ ମାମଲାର ତଦନ୍ତ ପ୍ରଥମେ ହେବ ? ଆଇନ ଦୃଷ୍ଟିରୁ ଲୋକାୟୁକ୍ତଙ୍କୁ ସର୍ବୋଚ୍ଚ ଓ ସର୍ବାଧିକ କ୍ଷମତା ଦିଆଯାଇଥିବାରୁ ଅଜିତ୍‌ ଏବେ ସିଂହ, ଦେଖିବାର କଥା ସେ କେବେ ଓ କେମିତି ନିଜ ପରାକ୍ରମର ପ୍ରଦର୍ଶନ କରୁଛନ୍ତି ।

ଓଡ଼ିଶାରେ ଲୋକାୟୁକ୍ତ ନିଯୁକ୍ତି ପ୍ରକ୍ରିୟା

ରାଜ୍ୟରେ ଲୋକାୟୁକ୍ତ ପ୍ରତିଷ୍ଠା ପାଇଁ ଏକ ନୂତନ ଅଧିନିୟମ ପ୍ରଣୟନ କରିବା ପାଇଁ ପ୍ରସ୍ତାବ 2014 ଫେବ୍ରୁୟାରୀ 5 ତାରିଖରେ ରାଜ୍ୟ କ୍ୟାବିନେଟ୍‌ରେ ଅନୁମୋଦନ ଲାଭ କରିଥିଲା । 2015 ଜାନୁଆରୀରେ ଓଡ଼ିଶା ଲୋକାୟୁକ୍ତ ବିଲ୍‌କୁ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଥିଲା । କିନ୍ତୁ ସେବେଠାରୁ ପ୍ରାୟ 4 ବର୍ଷ ଧରି ଆଇନ୍‌କୁ କାର୍ଯ୍ୟକାରୀ କରୁ ନଥିଲେ ଓଡ଼ିଶା ସରକାର । ଶେଷରେ ଏ ନେଇ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିବା ପରେ ଗତ 2018 ଅକ୍ଟୋବରରେ ଲୋକାୟୁକ୍ତ ନିଯୁକ୍ତି ପାଇଁ ଅତିରିକ୍ତ 3 ମାସ ସମୟ ମାଗିଥିଲେ ଓଡ଼ିଶା ସରକାର ।

କିନ୍ତୁ ସର୍ବୋଚ୍ଚ ଅଦାଲତ ଏହି ଆବେଦନକୁ ଖାରଜ କରିବା ପରେ ଲୋକାୟୁକ୍ତ ନିଯୁକ୍ତି ପାଇଁ 2018 ଡିସେମ୍ବର ମାସରେ ସର୍ଚ୍ଚ କମିଟି ଗଠନ କରିଥିଲେ ଓଡ଼ିଶା ସରକାର । ଜଷ୍ଟିସ୍‌ ଅମିତାଭ୍‌ ରାୟଙ୍କର ଅଧ୍ୟକ୍ଷତାରେ ଗଠିତ 7 ଜଣିଆ ସର୍ଚ୍ଚ କମିଟିରେ ପ୍ରଫେସର ଭେଙ୍କଟ ରାଓ ରମ୍ଭତଲା, ପୂର୍ବତନ ପ୍ରଶାସକ, ସଞ୍ଜିବ ହୋତା ଓ ରବି ନାରାୟଣ ବହିଦାର, ପୂର୍ବତନ ଡିଜି ଗୋପାଳ ଚନ୍ଦ୍ର ନନ୍ଦ, ଡକ୍ଟର ବିଧୁଭୂଷଣ ସାମଲ ଏବଂ ପ୍ରଫେସର ସ୍ନିଗ୍ଧା ପଟ୍ଟନାୟକ ସାମିଲ୍‌ ଥିଲେ । ଏହି ସର୍ଚ୍ଚ କମିଟିର ଅନୁମୋଦନ କ୍ରମେ ଅଜିତ୍‌ ସିଂଙ୍କୁ ଓଡ଼ିଶାର ଲୋକପାଳ ଭାବେ ନିଯୁକ୍ତ କରାଯାଇଛି ।

ଲୋକାୟୁକ୍ତଙ୍କ କ୍ଷମତା

ଲୋକପାଳ ଆଇନ ଅନୁସାରେ ରାଜ୍ୟର ମୁଖ୍ୟମନ୍ତ୍ରୀ, କୌଣସି ମନ୍ତ୍ରୀ, ବିଧାୟକ, କୌଣସି ସରକାରୀ ସଂସ୍ଥାର କର୍ତ୍ତୃପକ୍ଷ, ବୋର୍ଡ ବା କମିଟିର ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କ ଦ୍ବାରା ନିଆଯାଇଥିବା କୌଣସି ସାଧାରଣ ସ୍ବତନ୍ତ୍ର ନିଷ୍ପତ୍ତି ବା କାର୍ଯ୍ୟ ନେଇ କୌଣସି ଅଭିଯୋଗ ଆସିଲେ ଲୋକାୟୁକ୍ତ ତା’ର ତଦନ୍ତ କରିପାରିବେ ।

ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ କୌଣସି ସରକାରୀ ଅଧିକାରୀଙ୍କ ଦ୍ବାରା କରାଯାଇଥିବା କୌଣସି କାର୍ଯ୍ୟ ବା ପଦକ୍ଷେପର ତଦନ୍ତ ଲୋକାୟୁକ୍ତ କରିପାରିବେ ।

ତଦନ୍ତ ପ୍ରକ୍ରିୟା ମଧ୍ୟରେ ଲୋକାୟୁକ୍ତ ସର୍ଚ୍ଚ ୱାରେଣ୍ଟ ଜାରି କରିପାରିବେ । ଏଥିପାଇଁ ଲୋକାୟୁକ୍ତଙ୍କ ପାଖରେ ଗୋଟିଏ ସିଭିଲ୍‌ କୋର୍ଟ ଭଳି ସବୁ କ୍ଷମତା ରହିବ । ଯାହା ଅନୁସାରେ ସେ ସଂପୃକ୍ତ ବ୍ୟକ୍ତିଙ୍କୁ ହାଜର ହେବା ପାଇଁ କୌଣସି ସତ୍ୟପାଠ ବା ଦସ୍ତାବିଜ୍‌ ଦାଖଲ କରିବା ପାଇଁ କହିପାରିବେ । ତଦନ୍ତ ସମ୍ପର୍କରେ ସେ ଯେ କୌଣସି କୋର୍ଟ ଅଫିସ୍‌ରୁ କୌଣସି ସତ୍ୟପାଠ, ଦସ୍ତାବିଜ୍‌, ସର୍ବସାଧାରଣ ରେକର୍ଡ ବା କପି ପାଇପାରିବେ ।

ତଦନ୍ତ ପରେ ଲୋକାୟୁକ୍ତ ସଂପୃକ୍ତ ଅଧିକାରୀଙ୍କ ପଦ ଛାଡ଼ିବା ନେଇ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ କହିପାରିବେ ।

Related Posts