ସତ୍ୟପାଠ ବ୍ୟୁରୋ : ନବୀନ ବାବୁଙ୍କ ଶାସନରେ ରାଜ୍ୟ ପ୍ରଶାସନର ଏକ ଅତି ନିନ୍ଦିତ ଚରିତ୍ର ହେଲା, ସରକାରଙ୍କୁ ଅଡ଼ୁଆରେ ପକାଇବା ଭଳି ତଥ୍ୟକୁ ଲୁଚେଇବା। ଏବଂ ମାମଲା ଯଦି ବହୁ ଗୁରୁତ୍ୱପୂର୍ଣ୍ଣ ତାହେଲେ ସମ୍ପୂର୍ଣ ଫାଇଲ୍ କୁ ଗାଏବ କରିଦେଇ, ଫାଇଲ୍ ହଜି ଯାଇଛି ବା ଚୋରି ହୋଇଯାଇଛି ବୋଲି କହିଦେବା। ଏବେ ସେହିଭଳି ଏକ ସନସନି ତଥ୍ୟ ସାମନାକୁ ଆସିଛି। ୨୦୦୭-୦୮ ରେ ପୂର୍ବତନ ରାଜ୍ୟ ଡିଜି ପୋଲିସ୍ ସଞ୍ଜିବ ମାରିକ ଙ୍କ ବିରୋଧରେ ହୋଇଥିବା ଲୋକପାଳ ତଦନ୍ତ ରିପୋର୍ଟ ରାଜ୍ୟ ଗୃହ ବିଭାଗ ଷ୍ଟ୍ରଙ୍ଗ ରୁମ୍ ରୁ ଗାଏବ ହୋଇଯାଇଛି। ଆଶ୍ଚର୍ଯ୍ୟର କଥା ଏଭଳି ଗୁରୁତ୍ୱପୂର୍ଣ୍ଣ ସରକାରୀ ଦସ୍ତାବିଜ୍ ସଚିବାଳୟ ( ଲୋକସେବା ଭବନ) ମଧ୍ୟରୁ ହଜି ଯାଉଛି କିନ୍ତୁ ସରକାର ନିର୍ବିକାର।
ଲୋକପାଳ ତଦନ୍ତ ରିପୋର୍ଟ ଗାଏବ ଘଟଣାରେ ଅନେକ ଗୁଡ଼ିଏ ପ୍ରଶ୍ନ ସାମନାକୁ ଆସୁଛି
ମାରିକ ଲୋକପାଳ ତଦନ୍ତ ମାମଲା କଣ ?
୨୦୦୭ ମସିହାରେ ଭଦ୍ରକ ଟାଉନ୍ LIC ଅଫିସ୍ ଲୁଟ୍ ଓ ଗୁଳିକାଣ୍ଡ ଘଟଣାରେ ବିହାର ର କେତେକ ଅପରାଧୀଙ୍କୁ ଗିରଫ କରାଯାଇ ଭଦ୍ରକ ଜେଲ୍ ରେ ରଖା ଯାଇଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ର ସମ୍ପର୍କୀୟ କହୁଥିବା ୩ ଜଣ ଲୋକଙ୍କୁ ଭଦ୍ରକ ଜେଲ୍ ରେ ଅଭିଯୁକ୍ତ ସହ ଦେଖା କରାଇଦେବାରେ ସଞ୍ଜିବ ମାରିକ ସହାୟତା କରିଥିଲେ।
ଗୁରୁତ୍ଵପର୍ଣ୍ଣ କଥା ହେଲା ମାରିକ ପ୍ରୋଷିଡିଓର କୁ ନ ମାନି, ନିଜ ପଦବୀର ଅପବ୍ୟବହାର କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଯାହାକି All India Service cadre rule 1968 ର ଖୁଲା ଉଲ୍ଲଂଘନ ଥିଲା। ଯେଉଁଥିପାଇଁ ରାଜ୍ୟ ସରକାର ସଞ୍ଜିବ ମାରିକଙ୍କୁ ଚାକିରିରୁ ନିଲମ୍ବିତ କରିଥିଲେ। ଖାଲି ସେତିକିନୁହେଁ, ତତ୍କାଳୀନ ପାଟନା ଏସ୍ ପି ରିପୋର୍ଟ୍ ଦେଇଥିଲେ ଯେ କିଛି ଦୁର୍ଦାନ୍ତ ଅପରାଧୀ ଭଦ୍ରକ ଜେଲ୍ ରେ ଥିବା ସଂପୃକ୍ତ ଅଭିଯୁକ୍ତକୁ କୋର୍ଟ କୁ ଶୁଣାଣି ପାଇଁ ଆଣିବାବେଳେ ଗୋଲିବାରି କରି ଫେରାର କରିଦେବାର ଯୋଜନା କରୁଛନ୍ତି। ଏଭଳି ସମୟରେ ଓ ଏଭଳି ଅଭିଯୁକ୍ତକୁ ଜେଲ୍ ରେ ଅପରିଚିତ ତଥା ବାହାର ରାଜ୍ୟର କିଛି ବ୍ୟକ୍ତିଙ୍କୁ ମାରିକ ଭେଟଘାଟ କରାଇବାରେ ସାହାଯ୍ୟ କରିବା ଏକ ଗୁରୁତର ଅଭିଯୋଗ ଥିଲା। ଯେଉଁଥିପାଇଁ ସରକାର ଖାଲି ନିଲମ୍ୱିତ କଲେନାହିଁ ବରଂ ଏହି ଘଟଣାର ଏକ ଲୋକପାଳ ତଦନ୍ତ ନିର୍ଦ୍ଦେଶ ୧ ଜୁନ୍ ୨୦୦୭ ରେ ଦେଇଥିଲେ। ସେ ସମୟରେ ଲୋକପାଳ ଥିଲେ ଜଷ୍ଟିସ ଶରତ ଚନ୍ଦ୍ର ମହାପାତ୍ର। ଜଷ୍ଟିସ ମହାପାତ୍ର ତଦନ୍ତ ସାରି ୨୭ ଜୁଲାଇ ୨୦୦୮ ରେ ରିପୋର୍ଟ୍ ମାନ୍ୟବର ରାଜ୍ୟପାଳଙ୍କୁ ପ୍ରଦାନ କରିଥିଲେ।
ରିପୋର୍ଟ୍ ଗାଏବ କଥା ସାମ୍ନାକୁ ଆସିଲା କେମିତି ?
ଲୋକପାଳ ତଦନ୍ତ ରିପୋର୍ଟ ର ନକଲ ଦେବାକୁ ବରିଷ୍ଠ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ପ୍ରଥମେ ୨୦୧୪ ରେ ମୁଖ୍ୟ ମନ୍ତ୍ରୀଙ୍କ ଅଧୀନରେ ଥିବା ସାଧାରଣ ପ୍ରଶାସନ ବିଭାଗକୁ ଆବେଦନ କଲେ। ସରକାର ଚୁପ୍ ବସିପଡିଲେ। ପୁନର୍ବାର ଆବେଦନ କରିବାରୁ ଜି ଏ ବିଭାଗ ପାଖରେ ରିପୋର୍ଟ୍ ନାହିଁ କହିବା ସହିତ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଓ ଗୃହବିଭାଗ କୁ ଚିଠି ଲେଖିଦେଇ କାମ ସାରିଦେଲେ।
ଗୃହ ବିଭାଗ ପ୍ରାୟ ତିନି ବର୍ଷ ଗାଲେଇବା ପରେ ୧୮ ମାର୍ଚ୍ଚ ୨୦୧୯ ରେ ଚିଠି ଲେଖି ଜଣାଈଲେ ଯେ ରିପୋର୍ଟ୍ ଫାଇଲର ଅସଲ୍ କର୍ତ୍ତୃପକ୍ଷ ହେଉଛନ୍ତି ରାଜ୍ୟପାଳ ତେଣୁ ତାଙ୍କ ପାଖରେ ରିପୋର୍ଟ୍ ଅଛି। ତା ଛଡା, ଲୋକପାଳ ଲୋକାୟୁକ୍ତ ଆଇନ୍ ୧୯୯୫ ର ଧାରା ୧୫ (୪) ଓ (୫) ଅନୁଯାୟୀ ଏହି ରିପୋର୍ଟ ର କପି କାହାରିକୁ ଦିଆଯାଇପାରିବନାହିଁ। ତା ପରେ ମାମଲା ରାଜ୍ୟ ମୂଖ୍ୟ ସୂଚନା କମିଶନରଙ୍କ କୋର୍ଟକୁ ଗଲା। ଯେଉଁଠି ପ୍ରଦୀପ ପ୍ରଧାନ ବାବୁ ଯୁକ୍ତି ବାଢିଲେ ଯେ ଯେହେତୁ lokapal-lokayukta ଆଇନ୍ ୧୯୯୫ କେବେ ଠାରୁ ଉଚ୍ଛେଦ ହେଇ ସାରିଲାଣି ତେଣୁ ଏହା ଆଧାର ରେ ରିପୋର୍ଟ୍ କପି ନ ଦେବା ବେଆଇନ। ମୁଖ୍ୟ ସୂଚନା କମିଶନର ଏହି ଯୁକ୍ତିକୁ ଗ୍ରହଣ କରିବା ସହିତ ତଦନ୍ତ ରିପୋର୍ଟ୍ ର ଏକ ନକଲ ଦେଖିବା ପାଇଁ ଗୃହ ବିଭାଗକୁ କହିଲେ।
ବାସ୍ ତା ପରେ ଗୃହ ବିଭାଗର ଅକଲ୍ ଗୁଡୁମ୍ ହେଇଗଲା। କଣ କରିବେ ଓ କି ବାହାନା ଦେଖେଇ ରିପୋର୍ଟ୍ କପି ନ ଦେବେ ଚାଲିଲା ତାର ଯୋଜନା। ଶେଷରେ ରିପୋର୍ଟ୍ କପି ସରକାରଙ୍କ ପାଖରେ ନାହିଁ ବୋଲି ବାହାନା ଦେଖେଇଲେ। ଏବଂ ରିପୋର୍ଟ୍ ରାଜ୍ୟପାଳଙ୍କ ପାଖରେ ଅଛି ବୋଲି କହିଲେ।
ରିପୋର୍ଟ୍ କାହାପାଖରେ- ରାଜ୍ୟପାଳ ନା ଗୃହ ବିଭାଗ ?
ଲୋକପାଳ ତଦନ୍ତ ରିପୋର୍ଟ ହଜିବା ଓ ଖୋଜିବା ଘଟଣା ଯେତିକି ରୋଚକ ସେତିକି ଗୁରୁତ୍ବପୁର୍ଣ। ଅସଲରେ ରାଜ୍ୟ ସରକାର ଯେ ଡାହା ମିଛ କହୁଛନ୍ତି ଏବଂ ଗାଲୁ ପେଲୁଛନ୍ତି ତାହାର ଲେଖାଯୋଖା ପ୍ରମାଣ ସତ୍ୟପାଠ ପାଖରେ ଲାଗିଛି। ଗତ ୩୧.୦୭.୨୦୧୯ ରେ ଜି ଏ ବିଭାଗର ପି ଆଇ ଓ ତଥା ଅଣ୍ଡର ସେକ୍ରେଟାରୀ ନିରଞ୍ଜନ ବେହେରା ରାଜ୍ୟପାଳଙ୍କ କାର୍ଯ୍ୟାଳୟ କୁ ଚିଠି ଲେଖି ଜଣାଇଲେ ଯେ ଲୋକପାଳ ତାଙ୍କ ରିପୋର୍ଟ କେବଳ ରାଜ୍ୟପାଳଙ୍କୁ ଦେଇଥିଲେ। ତେଣୁ ତାହା ରାଜ୍ୟ ସରକାରଙ୍କ ପାଖରେ ନାହିଁ। ରିପୋର୍ଟ୍ ର ଏକ କପି ତୁରନ୍ତ ରାଜ୍ୟ ସରକାରଙ୍କୁ ଦେବାକୁ କହିଲେ। ସତ୍ୟପାଠ ର ଅନୁସନ୍ଧାନ ଏବଂ ସରକାରୀ ଦସ୍ତାବିଜ ସ୍ପଷ୍ଟ ଧରା ପକେଇ ଦେଉଛି ଯେ ଗୃହ ବିଭାଗ ଓ ସାଧାରଣ ପ୍ରଶାସନ ବିଭାଗ କିଭଳି ଗାଲୂ ପେଲୁ ଛନ୍ତି। ମାରିକଙ୍କ ମାମଲାରେ ବରିଷ୍ଠ ଆଇ ଏ ଏସ ଅଧିକାରୀ ରବି ନାରାୟଣ ସେନାପତିଙ୍କୁ Inquiring Officer ଭାବରେ ନିଯୁକ୍ତ କରିଥିଲେ।
ଯିଏକି ୨୨.୦୫.୨୦୦୯ ମସିହାରେ ଅଫିସିଆଲ୍ ନୋଟ୍ ସିଟ୍ ରେ ଲେଖିଛନ୍ତି ଯେ ସିଏ ନିଜେ ଲୋକପାଳଙ୍କ ରିପୋର୍ଟ୍ କୁ ଅନୁଧ୍ୟାନ କରିଛନ୍ତି ଯେଉଁଥିରେ ସଞ୍ଜିବ ମାରିକ୍ ଲୋକପାଳଙ୍କ ନିକଟରେ ନିଜର ଭୁଲ ସ୍ୱୀକାର କରିଛନ୍ତି ଏବଂ ଭବିଷ୍ୟତରେ ଏଭଳି କାର୍ଯ୍ୟ ର ପୁନରାବୃତ୍ତି ହେବନାହିଁ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ଅର୍ଥାତ୍, ରାଜ୍ୟପାଳ ରାଜ୍ୟ ସରକାରଙ୍କୁ ରିପୋର୍ଟ୍ ଦେଇଛନ୍ତି ଏବଂ ତାକୁ ଆଇ ଏ ଏସ ଅଧିକାରୀ ଶ୍ରୀ ସେନାପତି ମଧ୍ୟ ଦେଖିଛନ୍ତି। ଏହା ଦର୍ଶାଉଛି, ନବୀନ ବାବୁଙ୍କ ଶାସନରେ ପ୍ରଶାସନର ଦେଖିବା ଦାନ୍ତ ହେଲା 5T ଓ ଖାଇବା ଦାନ୍ତ ହେଲା ରିପୋର୍ଟ୍ ଓ ଫାଇଲ୍ ଗାଏବ କରିବା।