ରାଞ୍ଚି: ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦୀନ ଓଓ୍ଵେସିଙ୍କ ରାଞ୍ଚି ବିମାନ ବନ୍ଦରରେ ପହଞ୍ଚିଛନ୍ତି । ତେବେ ଏହି ସମୟରେ ତାଙ୍କ ସ୍ଵାଗତରେ ପାକିସ୍ତାନ ଜିନ୍ଦାବାଦ ନାରା ଦିଆଯାଇଛି। ଓଓ୍ଵେସି ମାଣ୍ଡର ନିର୍ବାଚନ ମଣ୍ଡଳୀର ଉପ ନିର୍ବାଚନରେ ବିଜେପିର ବିଦ୍ରୋହୀ ପ୍ରାର୍ଥୀ ଦେବ କୁମାର ଧାନଙ୍କ ପ୍ରଚାର ପାଇଁ ପହଞ୍ଚିଛନ୍ତି।

ବିଧାନସଭା ଉପ ନିର୍ବାଚନରେ ପ୍ରଚାର ପାଇଁ ରବିବାର ଅସଦୁଦ୍ଦୀନ ଓଓ୍ଵେସି ରାଞ୍ଚି ବିମାନ ବନ୍ଦରରେ ପହଞ୍ଚିଛନ୍ତି। ଏହି ସମୟରେ ତାଙ୍କ ପାର୍ଟି ଏଆଇଏମଆଇଏମର କର୍ମୀ ଏବଂ ସମର୍ଥକଙ୍କ ପ୍ରବଳ ଭିଡ ବିମାନ ବନ୍ଦରରେ ଦେଖିବାକୁ ମିଳିଥିଲା। ସମର୍ଥକ ଓଓ୍ଵେସିଙ୍କ ଜିନ୍ଦାବାଦ ନାରା ଖୁବ୍ ଦେଇଥିଲେ। ଏହି ନାରା ମଧ୍ୟରେ ପାକିସ୍ତାନ ଜିନ୍ଦାବାଦ ବି ନାରା ଲାଗିଥିଲା।

କୁହାଯାଉଛି ଓଓ୍ଵେସିଙ୍କ କୌଣସି ଏକ ସମର୍ଥକ ଏହି ନାରା ଦେଇଥିଲେ। ଏହି ନାରା କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଦେଇଛି ତାହା ଜଣା ପଡିନାହିଁ। ଅସଦୁଦ୍ଦୀନ ଓଓ୍ଵେସିଙ୍କ ମାଣ୍ଡର ଉପ ନିର୍ବାଚନରେ ଏଣ୍ଟ୍ରିରେ ନିର୍ବାଚନ ସମୀକରଣ ବଦଳିବ କି ନାହିଁ, ତାହା ପରେ ଜଣା ପଡିବ। କିନ୍ତୁ ରାଞ୍ଚିରେ ପାକିସ୍ତାନ ଜିନ୍ଦାବାଦ ପରେ ଓଓ୍ଵେସି ବିବାଦ ଘେରରେ ରହିବାର ଆଶଙ୍କା ରହିଛି।

ରାଞ୍ଚି ବିମାନ ବନ୍ଦରରେ ହୋଇଥିବା ଏହି ନାରାବାଜିକୁ ନେଇ ରାଞ୍ଚିର ସିଟି ଏସପି ଅଂଶୁମାନ କୁମାର କହିଛନ୍ତି ପାକିସ୍ତାନ ଜିନ୍ଦାବାଦର ନାରା ବିଷୟରେ ଆମେ ଅବଗତ। ଯେଉଁ ଭିଡିଓ ଏବଂ ଅଡିଓ ସାମ୍ନାକୁ ଆସିଛି ତାର ସତ୍ୟତା ଯାଞ୍ଚ କରାଯାଉଛି ଏବଂ ସେହି ଅନୁସାରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ନିଆଯିବ ।