ଗତକାଲିଠୁ ଉପବାସରେ ମହାପ୍ରଭୁ ଲିଙ୍ଗରାଜ; ଆଜି ବି ବନ୍ଦ ରହିଛି ନୀତିକାନ୍ତି

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆଜି ବି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ। ଗତକାଲିଠୁ ଉପବାସରେ ରହିଛନ୍ତି ପ୍ରଭୁ ଲିଙ୍ଗରାଜ। ମନ୍ଦିର ପ୍ରଶାସନ ସହ ସେବାୟତଙ୍କ ବୈଠକ ପରେ ସ୍ଥିତି ସ୍ୱାଭାବିକ ହୋଇପାରେ ବୋଲି କୁହାଯାଉଛି।

ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁ ପ୍ରଭୁ ଲିଙ୍ଗରାଜଙ୍କ ନୀତିରେ ପୁନର୍ବାର ବିଭ୍ରାଟ ଘଟିଛି। ଗତକାଲି ସକାଳୁ ସିଂହଦ୍ୱାର ଖୋଲା ନୀତି ପରଠାରୁ ଠାକୁରଙ୍କ ନୀତି ହୋଇ ପାରିନାହିଁ। ଲିଙ୍ଗରାଜଙ୍କ ଜମି ଉପରେ ‘ବଡ଼ୁ ନିଯୋଗ’ ବେଆଇନ ନିର୍ମାଣ କରୁଥିବା ଅଭିଯୋଗ କରି ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗ ଠାକୁରଙ୍କ ନୀତିରୁ ଦୂରେଇ ରହିଛନ୍ତି। ଅନ୍ୟପଟେ ବଡ଼ୁ ନିଯୋଗ କରିଆସୁଥିବା ନୀତି ଚାଲୁ ରଖିଥିବା ବେଳେ ସାହାଣମେଲା ଦର୍ଶନ ଜାରି ରହିଛି। ତେବେ ୧୨ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ହେଁ ସମସ୍ୟାର ସମାଧାନ ପାଇଁ ମନ୍ଦିର ପ୍ରଶାସନ, ଦେବୋତ୍ତର କମିସନର କିମ୍ବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ତତ୍ପରତା ଦେଖିବାକୁ ମିଳିନାହିଁ। ଏହାକୁ ନେଇ ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ସୂଚନାନୁସାରେ, ସାମନ୍ତରାପୁର ଗଙ୍ଗୁଆ ନାଳ ନିକଟରେ ପ୍ରଭୁ ଲିଙ୍ଗରାଜଙ୍କର ୨ ଏକର ବେବନ୍ଦୋବସ୍ତ ଜମି ଉପରେ ବଡ଼ୁ ନିଯୋଗ ନିର୍ମାଣ କାର୍ଯ୍ୟ କରୁଛି। ୨୦୧୮-୧୯ ମସିହାରେ ବଡ଼ୁ ନିଯୋଗ ସେଠାରେ ପ୍ରାୟ ୧୮ଟି ଦୋକାନ ଘର ନିର୍ମାଣ କରୁଥିବା ବେଳେ ଦେବୋତ୍ତର କମିଶନର ଓ ମନ୍ଦିର ପ୍ରଶାସନ ପକ୍ଷରୁ ନୋଟିସ୍ ଦିଆଯାଇଥିଲା। ଫଳରେ କାମ ଅଧାରୁ ବନ୍ଦ ରହିଥିଲା। ଏହାକୁ ଚ୍ୟାଲେଞ୍ଜ କରି ବଡ଼ୁ ନିଯୋଗ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏବେ କାମ ଚାଲିଥିବା ବଡ଼ୁ ନିଯୋଗ କହିଛି। ଏହାକୁ ନେଇ ଆରମ୍ଭ ହୋଇଛି ବିବାଦ। ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗ ଏହା ପଛରେ ଏକ ବଡ ଚକ୍ରାନ୍ତ ଥିବା ଦର୍ଶାଇ ନୀତିକାନ୍ତି ବନ୍ଦ କରିବା ସହ ଅଦାଲତଙ୍କ ନିର୍ଦ୍ଦେଶ ଉପରେ ପ୍ରଶ୍ନ ଉଠାଇଛନ୍ତି। ବେବନ୍ଦୋବସ୍ତ ଜମି ଶ୍ରୀ ଲିଙ୍ଗରାଜଙ୍କ ଖାତାକୁ ଫେରୁଥିବାବେଳେ ବଡୁ ନିଯୋଗ ଦ୍ୱାରା ନିର୍ମାଣାଧୀନ ଦୋକାନ ଘରକୁ ସମ୍ପୂର୍ଣ ନିର୍ମାଣ କରିବାକୁ ‌‌‌କେମିତି ଅନୁମତି ମିଳିଲା ବୋଲି ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗ ପ୍ରଶ୍ନ ଉଠାଇଛନ୍ତି। ବ୍ରାହ୍ମଣ ନିଯୋଗର ସମ୍ପାଦକ ବିରଞ୍ଚି ନାରାୟଣ ପତି ସାଂଘାତିକ ଅଭିଯୋଗ ଆଣି କହିଛନ୍ତି, ବଡ଼ୁ ନିଯୋଗ ବେଆଇନ ନିର୍ମାଣ କରୁଥିବା ଜମି ପ୍ରଭୁ ଲିଙ୍ଗରାଜଙ୍କର। ଏହାର ଆନୁମାନିକ ମୂଲ୍ୟ ୫୦ କୋଟିରୁ ଅଧିକ। ଠାକୁରଙ୍କ ଜମିକୁ ହାତେଇବା ପାଇଁ ଏସବୁ ପ୍ରହସନ କରାଯାଉଛି।

Related Posts