ପଡ଼ିଲା ଆନ୍ନାଙ୍କ ଅନଶନର ପ୍ରଭାବ, ଆରମ୍ଭ ହେଲା ଲୋକପାଳ ସନ୍ଧାନ

ସଂସଦରେ ଲୋକପାଳ ବିଲ୍‌ ପାସ୍ ହେବାର ଦୀର୍ଘ ବର୍ଷ ପରେ ମଧ୍ୟ ଏ ପର୍ଯ୍ୟନ୍ତ ଦେଶକୁ ଲୋକପାଳ ମିଳିପାରି ନାହିଁ । ନିକଟରେ ସମାଜସେବୀ ଆନ୍ନା ହଜାରେ ପୁଣି ଥରେ ଲୋକପାଳ ନିଯୁକ୍ତିକୁ ନେଇ ଅନଶନ କରିଥିଲେ । ତେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଆଶ୍ଵାସନା ଦେଇ ଆନ୍ନାଙ୍କୁ ଅନଶନରୁ ଓହରିବା ପାଇଁ ମନାଇବାରେ ସଫଳ ହୋଇଛନ୍ତି ।

ଫଡନବୀସ ଆନ୍ନାଙ୍କୁ ଆଶ୍ଵାସନା ଦେଇଛନ୍ତି ଯେ ଖୁବ୍ ଶୀଘ୍ର ଲୋକପାଳ ଓ ଲୋକାୟୁକ୍ତ ନିଯୁକ୍ତି କରାଯିବ । ଏହି ପରିପ୍ରେକ୍ଷୀରେ ଏବେ ଲୋକପାଳ ସନ୍ଧାନ ଆରମ୍ଭ ହୋଇ ଯାଇଛି ।

ସୁପ୍ରିମକୋର୍ଟର ବର୍ତ୍ତମାନ କିମ୍ବା ଅବସରପ୍ରାପ୍ତ ପ୍ରଧାନ ବିଚାରପତି, ସୁପ୍ରିମକୋର୍ଟର କୌଣସି ବର୍ତ୍ତମାନ କିମ୍ବା ଅବସରପ୍ରାପ୍ତ ବିଚାରପତି କିମ୍ବା ଭ୍ରଷ୍ଟାଚାର ବିରୋଧୀ ନୀତି, ଲୋକ ପ୍ରଶାସନ, ଭିଜିଲାନ୍ସ, ଆର୍ଥିକ ବ୍ୟାପାର ଓ ଆଇନ ପ୍ରବନ୍ଧନରେ ଅତି କମ୍‌ରେ ୨୫ ବର୍ଷର ନିଷ୍କଳଙ୍କ ରେକର୍ଡ ରଖିଥିବା କୌଣସି ବ୍ୟକ୍ତି ଲୋକପାଳ ପଦରେ ବସିବାକୁ ଯୋଗ୍ୟ ।

ଜଷ୍ଟିସ ରଞ୍ଜନା ପ୍ରକାଶ ଦେଶାଇ ଚୟନ ସମିତିର ଅଧ୍ୟକ୍ଷ

ଯାହା ବହୁତ ବର୍ଷ ଧରି ପଡ଼ି ରହିଥିଲା, ଲୋକସଭା ନିର୍ବାଚନର ଠିକ୍ ପୂର୍ବରୁ ଲୋକପାଳ ପଦ ପାଇଁ ପ୍ରାର୍ଥୀଙ୍କ ସନ୍ଧାନ ଶେଷରେ ଆରମ୍ଭ ହୋଇଛି । ବିଚାରପତି ରଞ୍ଜନା ପ୍ରକାଶ ଦେଶାଇଙ୍କୁ ଚୟନ ସମିତିର ଅଧ୍ୟକ୍ଷ କରାଯାଇଛି । ଲୋକପାଳର ନ୍ୟାୟିକ ସଦସ୍ୟ ହେବା ପାଇଁ ଆବେଦକଙ୍କୁ ସୁପ୍ରିମକୋର୍ଟର ବର୍ତ୍ତମାନ କିମ୍ବା ପୂର୍ବତନ ପ୍ରଧାନ ବିଚାରପତି କିମ୍ବା କୌଣସି କୋର୍ଟର ବର୍ତ୍ତମାନ କିମ୍ବା ପୂର୍ବତନ ମୁଖ୍ୟ ବିଚାରପତି ହୋଇଥିବା ଉଚିତ୍ । ଅଣ ନ୍ୟାୟିକ ସଦସ୍ୟ ହେବା ପାଇଁ ଭ୍ରାଷ୍ଟାଚାର ନିରୋଧୀ ସମ୍ବନ୍ଧିତ କ୍ଷେତ୍ରରେ ୨୫ ବର୍ଷର ଅଭିଜ୍ଞତା ରଖିଥିବା ଆବଶ୍ୟକ । ଏହି ସବୁ ନିୟମ ଲୋକପାଳ ଅଧିନିୟମ ମୁତାବକ ନିର୍ଦ୍ଧାରିତ କରାଯାଇଛି ।

ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ୫ ବର୍ଷ

ଅଧ୍ୟକ୍ଷ ପଦ ପାଇଁ ଆବେଦକ କୌଣସି ନିର୍ବାଚିତ ପ୍ରତିନିଧି କିମ୍ବା କୌଣସି ବି ବ୍ୟବସାୟ କରୁଥିବା କିମ୍ବା କୌଣସି କ୍ଷେତ୍ରରୁ ହୋଇନଥିବେ । ଏହା ବ୍ୟତୀତ ପ୍ରାର୍ଥୀ କୌଣସି ଟ୍ରଷ୍ଟ କିମ୍ବା ଲାଭ ଜନକ ପଦରେ ନଥିବେ । ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ୫ ବର୍ଷ ରହିବ ଏବଂ ତାଙ୍କ ବେତନ ମୁଖ୍ୟ ବିଚାରପତିଙ୍କ ସହ ସମାନ ରହିବ ।

ଅଧ୍ୟକ୍ଷ ହେବା ପରେ ସେହି ବ୍ୟକ୍ତିଙ୍କୁ ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ପଦ ପ୍ରାପ୍ତ କରିବାର ଅନୁମତି ମିଳିବ ନାହିଁ । ସେ କୌଣସି ପ୍ରକାର ଲାଭଜନକ ପଦରେ ନିଯୁକ୍ତ ହୋଇ ପାରିବେ ନାହିଁ । ଲୋକପାଳର ଅଧ୍ୟକ୍ଷ ପଦ ଛାଡିବା ପରେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସଂସଦ କିମ୍ବା ରାଜ୍ୟ ବିଧାନସଭା ନିର୍ବାଚନ ଲଢ଼ି ପାରିବେ ନାହିଁ ।

ଏହି ପଦ ପାଇଁ ସର୍ବନିମ୍ନ ବୟସ ସୀମା ୪୫ ବର୍ଷ ରହିଛି । ଚୟନ ପରେ ଅଧ୍ୟକ୍ଷ ଓ ଅନ୍ୟ ସଦସ୍ୟ ପାଞ୍ଚ ବର୍ଷ ଅଥବା ୭୦ ବର୍ଷ ହେବା ଯାଏଁ ଲୋକପାଳରେ ରହି ପାରିବେ ।

Related Posts