ପେଗାସସ୍ ବିବାଦ ମଧ୍ୟରେ ମମତା ବାନାର୍ଜୀଙ୍କ ଗମ୍ଭୀର ଆରୋପ – ” ମୋ ଫୋନ୍ ହ୍ୟାକ୍ ହୋଇଯାଇଛି , ମୁଁ ଆଉ କାହା ସହ କଥା ହୋଇପାରିବି ନାହିଁ “

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ପେଗାସସ୍ ବିବାଦ ଦିନକୁ ଦିନ ଉଗ୍ର ରୂପ ନେଉଛି। ବିରୋଧୀ ଦଳ ସରକାରଙ୍କୁ ସଂସଦରୁ ସଡ଼କ ପର୍ଯ୍ୟନ୍ତ ସବୁଠାରେ ଘେରୁଛନ୍ତି। ଏସବୁ ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ବୁଧବାର ଦିନ ମମତା ବାନାର୍ଜୀ ଏକ ସାଙ୍ଘାତିକ ଅଭିଯୋଗ କରିଛନ୍ତି। ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଫୋନ୍ ମଧ୍ୟ ହ୍ୟାକ୍ ହୋଇଯାଇଛି , ବର୍ତ୍ତମାନ ସେ କାହା ସହ କଥା ହୋଇପାରିବେ ନାହିଁ। ଏହା ପରେ ସେ ସଂଶୋଧନ କରି କହିଛନ୍ତି ଯେ : “ଯଦିଓ ମୁଁ ପେଗାସସ ଟାର୍ଗେଟ ତାଲିକାରେ ନାହିଁ, ଯଦି ଅଭିଷେକ ବାନାର୍ଜୀ କିମ୍ବା ପି.କେ (ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର) ଙ୍କ ସହ କଥା ହୁଏ ତେବେ ଏହା ହ୍ୟାକ୍ ହୋଇଯିବ । ଯଦି ଗୋଟିଏ ଫୋନ୍ ହ୍ୟାକ୍ ହୁଏ, ତେବେ ସମସ୍ତେ ହ୍ୟାକ୍ ହୋଇଥାଏ”।

ସୂଚନାଯୋଗ୍ୟ ଯେ ବିଜେପି ବିରୋଧରେ ବିରୋଧୀଙ୍କୁ ଏକାଠି କରିବାକୁ ୫ ଦିନିଆ ଦିଲ୍ଲୀ ଗସ୍ତରେ ଆସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବୁଧବାର ପେଗାସସ୍‌ ଘଟଣାରେ ୧୪ଟି ବିରୋଧୀ ଦଳ ବୈଠକ କରିଥିଲେ। କୁହାଯାଉଥିଲା ଏହି ବୈଠକରେ ହିଁ ମମତା ଯୋଗଦେଇପାରନ୍ତି । କିନ୍ତୁ ସେ ବିରୋଧୀଙ୍କ ପେଗାସସ୍‌ ମହାମେଳିରେ ଯୋଗ ଦେଇନାହାନ୍ତି।

ପେଗାସସ ଘଟଣାରେ କେନ୍ଦ୍ରକୁ ସବୁବେଳେ ଘେରୁଥିବା ଓ ପ୍ରଥମ ରାଜ୍ୟ ଭାବେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ମମତାଙ୍କ ଏପରି ଆଭିମୁଖ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ମଙ୍ଗଳବାର ମମତା ଦିଲ୍ଲୀ ଆସିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ଏହି ବୈଠକ ପରେ ସେ ପେଗାସସ୍‌ ଘଟଣାର ତଦନ୍ତ ସୁପ୍ରିମକୋର୍ଟଙ୍କ ଦ୍ୱାରା କରାଯିବା ଦରକାର ବୋଲି କହିଥିଲେ।

କିନ୍ତୁ ବୁଧବାର ଦିନ ସେ ପେଗାସସ୍‌ ଉପରେ ବିରୋଧୀ କରୁଥିବା ବୈଠକରେ ଯୋଗଦେଇନାହାନ୍ତି। ଏହାକୁ ନେଇ ଅନେକ ପ୍ରକାରର କଳ୍ପନା ଜଳ୍ପନା ଆରମ୍ଭ ହୋଇଥିବା ବେଳେ ମମତା କହିଛନ୍ତି ଯେ ସେ ବିରୋଧୀଙ୍କ ବୈଠକକୁ ଯାଇ ନଥିଲେ ମଧ୍ୟ ତାଙ୍କ ଦଳ ପେଗାସସ୍‌ ମାମଲାରେ ଚାଲିଥିବା ଲଢ଼େଇରେ ସବୁଠାରେ ଆଗରେ ରହିଛନ୍ତି ବୋଲି କହିଛନ୍ତି। ଏଥିସହ ସେ ସବୁ ରାଜନୈତିକ ଦଳ ଏକାଠି କାମ କରିବା ଦରକାର। ଏକାଠି ବୈଠକ କରିବା ସହ ଆଗାମୀ ରଣନୀତି ପ୍ରସ୍ତୁତ କରିବା ଦରକାର ବୋଲି ମମତା ଆହ୍ବାନ ଦେଇଛନ୍ତି।

ରାଜ୍ୟସଭାରେ ବିରୋଧୀଦଳର ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉଭୟ ଲୋକସଭା ଓ ରାଜ୍ୟସଭାର ବିରୋଧୀଦଳ ନେତାମାନେ ଯୋଗଦେଇ ଏହି ପ୍ରସଙ୍ଗରେ ସରକାରଙ୍କୁ ଏକାଠି ଘେରିବା ପାଇଁ ରଣନୀତି ଉପରେ ଆଲୋଚନା କରାଯାଇଥିଲା।

କଂଗ୍ରେସ, ଡିଏମକେ, ଏନସିପି, ଶିବସେନା, ରାଷ୍ଟ୍ରିୟ ଜନତା ଦଳ (ଆରଜେଡି), ସମାଜବାଦୀ ପାର୍ଟି (ଏସପି), କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ), କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ, ନ୍ୟାସନାଲ କନଫରେନ୍ସ, ଆମ୍ ଆଦମୀ ପାର୍ଟି (ଏଏପି), ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ (ଆଇୟୁଏମ୍ଏଲ୍), ଆରଏସପି, କେରଳ କଂଗ୍ରେସ (ଏମ୍) ଏବଂ ବିଦୁଥାଇ ଚିରୁଥାଇଗାଲ କାଚି (ଭିସିକେ) ସମେତ ମୋଟ ୧୪ ଟି ଦଳ ଏହି ବୈଠକରେ ଯୋଗ ଦେଇଥିଲେ।

ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଥିଲେ ଯେ ପଶ୍ଚିମବଙ୍ଗ ସରକାର ପେଗାସସ୍ ସ୍ନୁପିଂ ଘଟଣାର ତଦନ୍ତ ପାଇଁ ଏକ କମିଶନ ଗଠନ କରିଛନ୍ତି।

Related Posts