ପ୍ରବାସୀଙ୍କ ପ୍ରଶ୍ନ : ଆମେ ବଞ୍ଚିବୁ କେମିତି ?

ସତ୍ୟପାଠ ବ୍ୟୁରୋ :  ଆଜିକୁ ଠିକ୍ ୧୫୫ ବର୍ଷ ତଳେ ୧୮୬୬ ମସିହାରେ ଆମେରିକାର ଚିକାଗୋ ସହରରେ ଲକ୍ଷଲକ୍ଷ ଶ୍ରମଜୀବୀ ଏକାଠି ହୋଇ ତତ୍କାଳୀନ ସରକାରକୁ ପଚାରିଥିଲେ ” ଆମେ ବଞ୍ଚିବୁ କେମିତି ” ହେଲେ ଉତ୍ତର ମିଳି ନଥିଲା ନାହିଁ ବରଂ ତା’ବଦଳରେ ମିଳିଥିଲା ଶାସକର ନାଲିଆଖି ଆଉ ପୋଲିସର ଗୁଳିମାଡ । ଅକାଳରେ ଝଡି ପଡିଥିଲା ୬ ଜଣ ଶ୍ରମିକଙ୍କ ମୂଲ୍ୟବାନ ଜୀବନ । ଏତିକିରେ ସରିଲା ନାହିଁ, ୧୮୬୭ ମସିହା ନଭେମ୍ବର ୧୧ ତାରିଖରେ ୪ ଜଣ ଶ୍ରମିକ ନେତାଙ୍କୁ ଫାଶୀ ଦେଇ ଦିଆଗଲା । ଆଠଘଣ୍ଟା ଶ୍ରମଦିବସ ସହ ସାମାଜିକ ସୁରକ୍ଷାକୁ ନେଇ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ କିଛିଦିନ ମଧ୍ୟରେ ସାରା ବିଶ୍ବକୁ ବ୍ୟାପିଗଲା ।

ତା’ପରେ ଦେଖାଗଲା ଶ୍ରମିକ ପାଇଁ ଚିନ୍ତା କରିବାକୁ ବାଧ୍ୟହେଲେ ଅହଂକାରୀ ଶାସକ ଗୋଷ୍ଠି । ଫଳସ୍ବରୂପ ଆଜି ବିଶ୍ବରେ କୋଟିକୋଟି ଶ୍ରମିକଙ୍କୁ ସମ୍ପୂର୍ଣ୍ଣ ନହେଲେବି କିଛିଟା ନ୍ୟାୟ ମିଳିଛି । ସେହି ବିପ୍ଳବର ସ୍ମାରକୀ ଭାବରେ ଆଜି ଦିନଟିକୁ ସାରା ଵିଶ୍ବ ଶ୍ରମିକ ଦିବସ ଭାବେ ପାଳନ କରୁଛି । କିନ୍ତୁ ପ୍ରଶ୍ନଉଠେ ଆଜି ଦେଢଶହ ବର୍ଷ ପରେ ଶ୍ରମିକଟିଏ ସେଦିନର ସେହି ପ୍ରଶ୍ନର ଉତ୍ତର ଆଜି ପାଇଛିକି ? ଶାସକ ପରେ ଶାସକ ବଦଳୁଛନ୍ତି ହେଲେ ମୁଣ୍ଡଝାଳ ତୁଣ୍ଡରେ ମାରି ମାଟି ସହ ନିଜକୁ ମାଟି ହୋଇ ଯିଏ ତାର ସର୍ବସ୍ବ ଏ ଜାତିର ବିକାଶରେ ଖଟାଇ ଚାଲିଛି ସେ ପାଇଲା କ’ଣ ? କାହିଁକି ବାରମ୍ବାର ତାକୁ ସେହି ଗୋଟିଏ ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ ବୁଲିବାକୁ ପଡୁଛି ? ସବୁଠି ସେଇ ଗୋଟିଏ ପ୍ରଶ୍ନ “ଆମେ ବଞ୍ଚିବୁ କେମିତି ? ”

ପ୍ରକୃତିର ପ୍ରଳୟ କରୋନା ଆସି ସବୁ ନଗ୍ନତାକୁ ପଦାରେ ପକାଇ ଦେଇଛି । ବିକାଶର ଡିଣ୍ଡିମ ପିଟି ପିଢି ପରେ ପିଢି କ୍ଷମତା ଉପଭୋଗ କରି ଚାଲିଥିବା ଶାସକର ମୁଖା ଖୋଲିଯାଇଛି । କରୋନା କଟକଣା ପରେ ପଦାକୁ ଆସିଛି ଏଭଳି ଏକ ଭୟଙ୍କର ସତ୍ୟ ଯାହାକୁ ନିଜେ ଶାସକବି ବିଶ୍ବାସ କରି ପାରୁନାହିଁ । ପ୍ରକୃତ କଥା ହେଉଛି ପ୍ରବାସୀ ଶ୍ରମିକ ଯେଉଁମାନେ ପେଟ ଚାଖଣ୍ଡକ ପାଇଁ ଜନ୍ମ ମାଟିରୁ ହଜାର ହଜାର କିଲୋମିଟର ଦୁରରେ ଦାଦନ ଖଟିବାକୁ ଯାଇ ଅଟକି ରହିଛନ୍ତି । ଏ ଚିତ୍ର ସମଗ୍ର ଭାରତ ବର୍ଷରେ ଏହି କରୋନା ପରେ ପରେ ଦେଖିବାକୁ ମିଳୁଛି । ହାତଗଣତି କିଛି ରାଜ୍ୟକୁ ଛାଡିଦେଲେ ପ୍ରାୟତଃ ସମସ୍ତ ରାଜ୍ୟରୁ ଏହି ପ୍ରବାସୀମାନେ ଅନ୍ୟ ରାଜ୍ୟରେ ଦେଖିବାକୁ ମିଳିଛନ୍ତି ।

କେହି କିଛି ବୁଝିବା ପୂର୍ବରୁ ସମସ୍ତଙ୍କୁ ଘର ମଧ୍ୟରେ ବନ୍ଦୀ କରିଦେଲା ପ୍ରଳୟଙ୍କରୀ କରୋନା । ମାଲିକର କଳ କାରଖାନା ବନ୍ଦ ହୋଇଯିବା ପରେ ହାତବାନ୍ଧୀ ବସିଲେ ଏହି ପ୍ରବାସୀମାନେ । ଭାବିଥିଲେ ସପ୍ତାହେ କି ଦୁଇ ସପ୍ତାହ ପରେ ସ୍ଥିତି ସ୍ବାଭାବିକ୍ ହେବ ହେଲେ ପରିସ୍ଥିତି ଅଣାୟତ ହେଲା ଆଉ ପ୍ରବାସୀଙ୍କ ଦୁଖଃ ବଢିବାକୁ ଲାଗିଲା । ପେଟ ବିକଳରେ କିଏ ଚାଲିଚାଲି ଜନ୍ମ ମାଟିକୁ ଫେରିବାକୁ ଚାହିଁଲା ତ ପୁଣିକିଏ ହଜାର ହଜାର ମାଇଲ ସାଇକେଲ ଯୋଗେ ଗଲା । ରୋଗ ଆଉ ଭୋକର ଦୋଛକିରେ ସରଳ ନିସ୍କପଟ ପ୍ରବାସୀ ଶ୍ରମିକଟି କ’ଣ କରିବ ଚିନ୍ତା କରିପାରିଲା ନାହିଁ । ଦେଖାଗଲା ରାସ୍ତାରେ ଚାଲୁଚାଲୁ କାହାର ଜୀବନ ଚାଲିଗଲା ତ ଆର କିଏ ପିଲା ପରିବାର ଧରି ଶହଶହ ମାଇଲ ଚାଲିବାକୁ ବାଧ୍ୟ ହେଲା । ଏହାରି ମଧ୍ୟରେ ଜାମୋଲ୍ ମାଡକମ୍ ନାମକ ଗୋଟିଏ ୧୨ ବର୍ଷର ପ୍ରବାସୀ ଶିଶୁକନ୍ୟା ଶ୍ରମିକର ବାଟରେ ଜୀବନ ଚାଲିଗଲା ।

ଏହା ମଧ୍ୟରେ ଦ୍ବିତୀୟ ପର୍ଯ୍ୟୟ ଲକ୍ ଡାଉନ ଶେଷ ହେବାକୁ ବସିଲାଣି ଆଉ ଧିରେ ଧିରେ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକଙ୍କ ଚିତ୍ର ପଦାକୁ ଆସିବାରେ ଲାଗିଛି । ମୁଖ୍ୟତ୍ୟଭାବରେ ପୂର୍ବାଞ୍ଚଳ ରାଜ୍ୟସମୂହ, ଓଡିଶା, ବିହାର, ଛତିଶଗଡ଼, ଝାଡଖଣ୍ଡ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଆଦି ରାଜ୍ୟରୁ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ଗୁଜୁରାଟ, ତାମିଲନାଡୁ, କର୍ଣ୍ଣାଟକ କେରଳ, ଗୋଆ, ଦିଲ୍ଲୀ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଆନ୍ଦ୍ରପ୍ରଦେଶ, ତେଲେଙ୍ଗାନା ଆଦି ରାଜ୍ୟରେ କାମ କରୁଥିବାର ନଜରକୁ ଆସିଛି । ଏବେ ଚିନ୍ତା ପଡିଛି ଏମାନେ ଫେରିଲେ କରିବେ କ’ଣ ? ପ୍ରଥମତଃ କରୋନା ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନଥିବା ବେଳେ ଏମାନେ ଆସିଲେ ରହିବେ କେଉଁଠି ?

ଆମେ ଯଦି ଆମ ରାଜ୍ୟ କଥା ଦେଖିବା ତେବେ ସରକାରୀ ତଥ୍ୟ କହୁଛି ଏବେ ସୁଦ୍ଧା ୧୦ ଲକ୍ଷରୁ ଅଧିକ ପ୍ରବାସୀ ଓଡିଆ ଫେରିବାକୁ ସେମାନଙ୍କର ନାମ ପଞ୍ଜିକରଣ କରି ସାରିଲେଣି । ପୂର୍ବରୁ ରାଜ୍ୟକୁ ଫେରି ଆସିଥିବା ବା ଏବେବି ଅନ୍ୟ ରାଜ୍ୟରେ ରହିବି ନାମ ପଞ୍ଜିକରଣ କରିନଥିବାଙ୍କ ହିସାବ ଯଦି କରାଯାଏ ତା’ହେଲେ ଏ ସଂଖ୍ୟା ୧୫ ଲକ୍ଷରୁ ଅଧିକ ହେବ । ରାଜ୍ୟ ସରକାରଙ୍କ କହିବାନୁସାରେ ଏବେସୁଦ୍ଧା ରାଜ୍ୟରେ ୨ ଲକ୍ଷ ପ୍ରବାସୀଙ୍କ ପାଇଁ ସରକାରୀ କ୍ବାରେଣ୍ଟାଇନର ବ୍ୟବସ୍ଥା ଅଛି । ଯଦି ୧୦ ଲକ୍ଷ ପ୍ରବାସୀ ଫେରନ୍ତି ସେମାନେ ରହିବେ କେଉଁଠି ? ପରୋକ୍ଷରେ ସରକାର ବାଧ୍ୟ ହେବେ ସେମାନଙ୍କୁ ହୋମ୍ କ୍ବାରେଣ୍ଟାଇନରେ ରହିବା ପାଇଁ । ନିକଟରେ ଯାଜପୁର, ଭଦ୍ରକ ଆଉ ବାଲେଶ୍ବର ଜିଲ୍ଲାରେ ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ନେଇ ଯେଉଁ ସମସ୍ୟା ସୃଷ୍ଠି ହୋଇଛି ତା’ର ମୂଳ କାରଣ ହେଉଛି ଏହି ହୋମ୍ କ୍ବାରେଣ୍ଟାଇନ । ଦେଖିବାକୁ ଗଲେ ଏତେ ପରିଶ୍ରମ ଶେଷରେ ପାଣିରେ ପଡିଯିବାର ଆଶଙ୍କା ସୃଷ୍ଠି ହୋଇଛି ।

ତେବେ ଏଠାରେ ଯେଉଁ ମୌଳିକ ପ୍ରଶ୍ନ ମନରେ ଉଠୁଛି ତା’ହେଲା ଆମର କ’ଣ କମି ରହିଲା ଯେଉଁଥି ପାଇଁ ଲକ୍ଷଲକ୍ଷ ଓଡିଆ ଯୁବକ ଯୁବତୀଙ୍କୁ ଭିଟାମାଟି ଛାଡି ପ୍ରବାସୀ ଭାବରେ ବଞ୍ଚିବାକୁ ବାହାର ରାଜ୍ୟକୁ ଚାଲିଗଲେ । ଆଜି ବିଶ୍ବ ଶ୍ରମିକ ଦିବସରେ ପ୍ରତିଟି ପ୍ରବାସୀଙ୍କ ମନରେ ପ୍ରଶ୍ନ ଏବେ ଆମେ ବଞ୍ଚିବୁ କେମିତି ? ପ୍ରାକୃତିକ ସମ୍ପଦ ପରିପୂର୍ଣ୍ଣ ଓଡିଶାରୁ କାହିଁକି ଏମାନେ ମୁହଁ ଫେରାଇ ନେଇ ପଡୋଶୀ ରାଜ୍ୟକୁ ଚାଲି ଯାଉଛନ୍ତି ତାହା ବର୍ତ୍ତମାନ ସମୟର ସବୁଠାରୁ ବଡ ପ୍ରଶ୍ନ । ଦୁଖଃ ଆଉ ଯନ୍ତ୍ରଣାର ଜୀବନ କାଟୁଥିବା ଏହି ପ୍ରବାସୀମାନଙ୍କୁ ସରକାର ଏଵେ ରାଜ୍ୟକୁ ଫେରାଇ ଆଣିବା ପାଇଁ ଲଗାଇବାକୁ ଯାଉଛନ୍ତି ଅନେକ କଟକଣା

ଶ୍ରମିକର ସୁରକ୍ଷା, ଶ୍ରମ ଆଇନ୍ ଆଉ ନିରାପତ୍ତାକୁ ଦୃଢିଭୂତ କରିବା ପାଇଁ ପାଳିତ ହୋଇ ଆସୁଥିବା ଆଜିର ଦିନଟି ମନେପକାଇ ଦେଇଛି ବାସ୍ତବତାକୁ । ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୪୦ କୋଟି ଶ୍ରମିକ ଏବେବି ସେମାନଙ୍କର ଚାକିରୀ ସର୍ତ୍ତାବଳୀ, ମଜୁରୀ ନିର୍ଦ୍ଧାରଣ ଆଉ ସାମାଜିକ ସୁରକ୍ଷାକୁ ନେଇ ସଙ୍ଗ୍ରାମ ଜାରୀ ରଖିଛନ୍ତି । ୨୦୧୨ ମସିହାରେ ଜାତିସଂଘ ସବୁ ସ୍ତରର ଶ୍ରମିକମାନଙ୍କ ପାଇଁ ସାମାଜିକ ସୁରକ୍ଷା ପାଇଁ ନିୟମ କରିଛି ସତ ହେଲେ କିନ୍ତୁ ବାସ୍ତବତା ଏହାଠାରୁ ଅନେକ ଦୁରରେ ।

ଅଣସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ସଂଖ୍ୟା ଆମ ଦେଶର ସମୁଦାୟ ଶ୍ରମିକଙ୍କ ୯୩ ପ୍ରତିଶତ ଅଥଚ ଏମାନଙ୍କ ପାଇଁ ଖର୍ଚ୍ଚ ହେଉଥିବା ବ୍ୟୟ ମୋଟ ଜିଡିପିର ମାତ୍ର ୧.୮ ପ୍ରତିଶତ । ମୋଟ ଜିଡିପିର ୬୦ ପ୍ରତିଶତ ଅବଦାନ ଥିବା ଏହି ଶ୍ରମଜୀବୀ ମାନଙ୍କ ପାଇଁ ଏତେ ଅବହେଳା କାହିଁକି ତାହା ଆଜିର ସବୁଠାରୁ ବଡ ପ୍ରଶ୍ନ ।

ଶ୍ରମିକର ମୁହଁରୁ ବାରମ୍ବାର ଆହାର ଛଡାଇ ନେବାର ଚିତ୍ର ପଦାକୁ ଆସୁଛି ।, ସ୍ବାସ୍ଥ୍ୟ, ନିର୍ମାଣ ପରି କ୍ଷେତ୍ରରେ ଏ ଚିତ୍ର ସର୍ବାଧିକ । ପ୍ରଶ୍ନ ଉଠୁଛି ଏମାନେ ତା’ହେଲେ ବଞ୍ଚିବେ କେମିତି ? ଓଡିଶାର ଶିଳ୍ପସମୃଦ୍ଧ ଯାଜପୁର ଜିଲ୍ଲାରୁ ଯଦି ୫୦ ହଜାର ଶ୍ରମିକ ଅନ୍ୟ ରାଜ୍ୟରେ କାମ କରିବାକୁ ଯାଇପାରନ୍ତି ତା’ହେଲେ ଅନ୍ୟ ଜିଲ୍ଲାର କଥା ନକହିବା ଭଲ । ଏ ଖବର ଆମ ବ୍ୟବସ୍ଥାର ନଗ୍ନ ରୂପକୁ ପଦାରେ ପକାଇ ଦେଇଛି । ପ୍ରତି ମୂହୁର୍ତ୍ତରେ ଏହି ଶ୍ରମଜୀବୀ ମାନଙ୍କ ଉପରେ ଜୁଲମ ଆଉ ତାହାରି ମଧ୍ୟରେ ପାଳନ ହେଉଛି ବିଶ୍ବ ଶ୍ରମିକ ଦିବସ ।

Related Posts